ନୂଆଦିଲ୍ଲୀ, ୨୩।୭: ଦିନ ଗଡ଼ିବା ସହିତ ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଅଧିକ ଭୟାନକ ରୂପ ନେବାରେ ଲାଗିଛି । ଗୋଟିଏ ପଟେ ଆମେରିକା ଲଗାତାର ୧୨ ରାତି ପାଇଁ ଇରାନ ଉପରେ ଆକ୍ରମଣ ଜାରି ରଖିଥିବା ବେଳେ, ଅନ୍ୟପଟେ ଲାଲ ସାଗରରେ ଇରାନ ସମର୍ଥିତ ୟେମେନର ହୁତି ବିଦ୍ରୋହୀମାନେ ନାକାବନ୍ଦୀ ଆରମ୍ଭ କରିଦେଇଛନ୍ତି । ୟୁଏସ୍ ସେଣ୍ଟ୍ରାଲ କମାଣ୍ଡ ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ, ଆମେରିକୀୟ ସେନା ଲଗାତାର ୧୨ ରାତି ପାଇଁ ଇରାନର ସାମରିକ ଘାଟିଗୁଡ଼ିକୁ ଲକ୍ଷ୍ୟ କରି ଆକ୍ରମଣ କରିଛି । ଇରାନର ସରକାରୀ ଗଣମାଧ୍ୟମ ଅନୁଯାୟୀ, ଦେଶର ଦକ୍ଷିଣ-ପଶ୍ଚିମରେ ଥିବା ରାମସିର, ଅହୱାଜ ଏବଂ ଉପକୂଳବର୍ତ୍ତୀ ବୁସେହର ପ୍ରଦେଶରେ ଆମେରିକା ମିସାଇଲ ମାଡ଼ କରିଛି । ହୋର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ବ୍ୟାପାରିକ ଜାହାଜଗୁଡ଼ିକ ଉପରେ ହେଉଥିବା ବିପଦକୁ ଏଡ଼ାଇବା ଏବଂ ଇରାନର ସାମରିକ ଶକ୍ତିକୁ ଦୁର୍ବଳ କରିବା ଏହି ଆକ୍ରମଣର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଆମେରିକା ସ୍ପଷ୍ଟ କରିଛି ।
ଲାଲ ସାଗରରେ ସାଉଦି ଟ୍ୟାଙ୍କର ଉପରେ ହୁତିର ଆକ୍ରମଣ:
ବ୍ରିଟିଶ ନୌସେନା ସୁରକ୍ଷା ମନିଟର (UKMTO) ର ସୂଚନା ଅନୁସାରେ, ଲାଲ ସାଗରରେ ସାଉଦି ଆରବ ଉପକୂଳ ନିକଟରେ ହୁତି ବିଦ୍ରୋହୀମାନେ ୨ଟି ତୈଳ ଟ୍ୟାଙ୍କର ଉପରେ ଡ୍ରୋନ ଓ ମିସାଇଲ ମାଡ଼ କରିଛନ୍ତି । ଅଲ-ଶୁକେକଠାରୁ ୭୦ ନୌଟିକାଲ ମାଇଲ ଦୂରରେ ଏକ ଟ୍ୟାଙ୍କର ଆକ୍ରମଣର ଶିକାର ହୋଇଛି, ଯାହା ଫଳରେ ଜାହାଜରେ ନିଆଁ ଲାଗିଯାଇଛି । ନାବିକମାନେ ନିଆଁ ଲିଭାଇବାକୁ ଚେଷ୍ଟା ଜାରି ରଖିଛନ୍ତି । ହୁତି ବିଦ୍ରୋହୀମାନେ ଚେତାବନୀ ଦେଇଛନ୍ତି ଯେ, ଯଦି କୌଣସି ଶିପିଂ କମ୍ପାନୀ ସାଉଦି ଆରବର ବନ୍ଦରଗୁଡ଼ିକୁ ବ୍ୟବହାର କରେ, ତେବେ ସେମାନଙ୍କ ଟ୍ୟାଙ୍କର ଉପରେ ମଧ୍ୟ ଆକ୍ରମଣ କରାଯିବ । ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ହୁତି ବିଦ୍ରୋହୀମାନେ ଯଦି ଏହି ଧମକକୁ କାର୍ଯ୍ୟକାରୀ କରନ୍ତି, ତେବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଏହା ବି ପଢ଼ନ୍ତୁ... Trump Warns: ‘ହର୍ମୁଜରେ ଜାହାଜ ଉପରେ ଯଦି ଆକ୍ରମଣ ହୁଏ ତେବେ ବ୍ରିଜ୍ - ପାୱାର ପ୍ଲାଣ୍ଟ ଉଡାଇବୁ’, ଇରାନକୁ ଆମେରିକା ରାଷ୍ଟ୍ରପତିଙ୍କ ଧମକ
ଆମେରିକା-ସାଉଦି ଆରବ ମଧ୍ୟରେ ଐତିହାସିକ ଆଣବିକ ଚୁକ୍ତି:
ଇରାନ ସହ ଯୁଦ୍ଧ ଚାଲିଥିବା ସମୟରେ ଆମେରିକା ସାଉଦି ଆରବ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ନାଗରିକ ଆଣବିକ ସହଯୋଗ ଚୁକ୍ତି ସ୍ୱାକ୍ଷର କରିଛି । ଏହି ଚୁକ୍ତି ବଳରେ ସାଉଦି ଆରବରେ ବେସାମରିକ ବ୍ୟବହାର ପାଇଁ ୟୁରେନିୟମ ସମୃଦ୍ଧକରଣ ନିର୍ମାଣ କରାଯାଇପାରିବ । ଆଣବିକ ବୋମା ନିର୍ମାଣକୁ ରୋକିବା ପାଇଁ ଏଥିରେ ଆବଶ୍ୟକ କଠୋର ନିୟମାବଳୀ ସାମିଲ କରାଯାଇଛି । ଆମେରିକା ଶକ୍ତି ମନ୍ତ୍ରାଳୟ ଅନୁଯାୟୀ, ଏହା ଦୁଇ ଦେଶ ମଧ୍ୟରେ କୋଟି କୋଟି ଡଲାରର ଆର୍ଥିକ ଓ ରଣନୈତିକ ସହଯୋଗର ଭିତ୍ତିପ୍ରସ୍ତର ସ୍ଥାପନ କରିବ । ଇରାନର ପରମାଣୁ କାର୍ଯ୍ୟକ୍ରମକୁ ନେଇ ଆମେରିକା ଓ ଇରାନ ମଧ୍ୟରେ ବିବାଦ ଚାଲିଥିବା ବେଳେ, ସାଉଦି ଆରବ ସହ ଆମେରିକାର ଏହି ଚୁକ୍ତି ଇରାନକୁ ଆହୁରି ଅଧିକ କ୍ରୋଧିତ କରିବାର ସମ୍ଭାବନା ରହିଛି ।