ଟ୍ରମ୍ପଙ୍କ ନୀତିକୁ କଡା ବିରୋଧ…
ପାରସ୍ପରିକ ବୁଝାମଣାକୁ ସ୍ଥାୟୀ କ୍ଷତି…
ପୂର୍ବସ୍ଥିତିକୁ ଫେରିବା ଦରକାର ଦ୍ୱିପାକ୍ଷିକ ସମ୍ପର୍କ…
ନୂଆଦିଲ୍ଲୀ : ଟାରିଫ ପ୍ରସଙ୍ଗରେ ଭାରତକୁ ସମର୍ଥନ ଜଣାଇଲେ ଆମେରିକୀୟ ସାଂସଦ । ଟ୍ରମ୍ପଙ୍କ ଟାରିଫ ନୀତିକୁ କଲେ ନାପସନ୍ଦ। କହିଲେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ପ୍ରତି ଏହି ନୀତି ରଣନୈତିକ ବିଶ୍ୱାସ ଏବଂ ପାରସ୍ପରିକ ବୁଝାମଣାକୁ ସ୍ଥାୟୀ କ୍ଷତି ପହଞ୍ଚାଉଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦ୍ୱିପାକ୍ଷିକ ସମ୍ପର୍କର କ୍ଷତିକୁ ପୂର୍ବ ସ୍ଥିତିକୁ ଫେରାଇ ଆଣିବାକୁ ହେଲେ, ୱାଶିଂଟନକୁ ଅବିଶ୍ୱସନୀୟ ତତ୍ପରତାର ସହିତ କାର୍ଯ୍ୟ କରିବାକୁ ପଡିବ।
କାଲିଫର୍ନିଆର ଡେମୋକ୍ରାଟିକ୍ ପାର୍ଟି ସଦସ୍ୟ ସିଣ୍ଡି କାମଲାଗର-ଡୋଭ କହିଛନ୍ତି, "...ଯଦି ଟ୍ରମ୍ପ ତାଙ୍କ ନୀତି ପରିବର୍ତ୍ତନ ନ କରନ୍ତି, ତେବେ ସେ ଭାରତକୁ ହରାଇଥିବା ପ୍ରଥମ ଆମେରିକୀୟ ରାଷ୍ଟ୍ରପତି ହେବେ, ଯିଏ କି ରୁଷ ସାମ୍ରାଜ୍ୟକୁ ସଶକ୍ତ କରିବା ବିରୋଧରେ ଭାରତକୁ ଅଲଗା କରିଥିଲେ। ଟ୍ରମ୍ପ ଟ୍ରାନ୍ସଆଟଲାଣ୍ଟିକ୍ ଗଠବନ୍ଧନକୁ ଭାଙ୍ଗି ଦେଇଛନ୍ତି ଏବଂ ଲାଟିନ୍ ଆମେରିକାକୁ ବିପଦରେ ପକାଇଛନ୍ତି। ଏହା କୌଣସି ରାଷ୍ଟ୍ରପତିଙ୍କ ପାଇଁ ଗର୍ବ କରିବାର ସମୟ ନୁହେଁ।"
ସେ ଆହୁରି କହିଛନ୍ତି କି, "ଯେତେବେଳେ ଇତିହାସ ପୁସ୍ତକ ଲେଖାଯିବ ଏବଂ ପ୍ରଶ୍ନ କରାଯିବ କି ଭାରତ ପ୍ରତି ଟ୍ରମ୍ପଙ୍କ ଶତ୍ରୁତା କେବେଠୁ ଆରମ୍ଭ ହୋଇଥିଲା ? ସେତେବେଳେ ଏମାନେ ଏପରି କିଛି ପ୍ରତି ଇଙ୍ଗିତ କରିବେ ଯାହାର ଆମର ଦୀର୍ଘକାଳୀନ ରଣନୈତିକ ସ୍ୱାର୍ଥ ସହିତ କୌଣସି ସମ୍ପର୍କ ନାହିଁ। ଏହା ନୋବେଲ୍ ଶାନ୍ତି ପୁରସ୍କାର ପ୍ରତି ତାଙ୍କର ବ୍ୟକ୍ତିଗତ ଆବେଗ। ଯଦିଓ ଏହା ହାସ୍ୟାସ୍ପଦ ହୋଇପାରେ, ଏହା ଦ୍ୱାରା ହେଉଥିବା କ୍ଷତିକୁ ହାଲୁକା ଭାବରେ ନିଆଯାଇପାରିବ ନାହିଁ।"
ସାଂସଦ କମଳାଗର-ଡୋଭ ଭାରତ ପ୍ରତି ଟ୍ରମ୍ପଙ୍କ ନୀତିକୁ ସମାଲୋଚନା କରିଛନ୍ତି, ଯେଉଁଥିରେ ଭାରତ ଉପରେ ବିଶ୍ୱରେ ସର୍ବାଧିକ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିବା ଏବଂ H-1B ଭିସା ଉପରେ ଏକ ଲକ୍ଷ ଡଲାର ଶୁଳ୍କ ଲାଗୁ କରିବା ଅନ୍ତର୍ଭୁକ୍ତ। ବହୁ ସଂଖ୍ୟକ ଭାରତୀୟ ଆମେରିକାରେ ରହିବା ଏବଂ କାମ କରିବା ପାଇଁ H-1B ଭିସା ବ୍ୟବହାର କରନ୍ତି। ସେ କହିଛନ୍ତି ଯେ ଟ୍ରମ୍ପଙ୍କ ନୀତି "ପ୍ରକୃତ ଏବଂ ସ୍ଥାୟୀ କ୍ଷତି" ଘଟାଉଛି ଏବଂ ଦେଶକୁ "ଅବିଶ୍ୱସନୀୟ ଜରୁରତା" ସହିତ ଏହି କ୍ଷତିକୁ ହ୍ରାସ କରିବା ପାଇଁ ପଦକ୍ଷେପ ନେବା ଆବଶ୍ୟକ।
ଏହା ସହ ପଢନ୍ତୁ : ବିଶ୍ବରେ କେବେଠୁ ଆରମ୍ଭ ହୋଇଥିଲା ପରମାଣୁ ବୁଡାଜାହାଜର ବ୍ୟବହାର ? କେଉଁଠୁ ଆରମ୍ଭ ହୋଇଥିଲା ଏହି ମହାଶକ୍ତି ? କାହିଁକି ସବୁଠୁ ପଛରେ ଭାରତ…