ନୂଆଦିଲ୍ଲୀ,୧୩/୦୮: ଭାରତ ଏବଂ ଚୀନ୍ ଋଷରୁ ତେଲ କିଣିବା ବନ୍ଦ କରନ୍ତି, ତେବେ ତେଲର ମୂଲ୍ୟ ପ୍ରତି ବ୍ୟାରେଲ ପିଛା ୧୫୦ ଡଲାରରେ ପହଞ୍ଚିପାରେ। ଯାହା ବିଶ୍ୱ ଅର୍ଥନୀତିକୁ ବଡ଼ କ୍ଷତି ପହଞ୍ଚାଇବ । ଏନେଇ ଏକ ସାକ୍ଷାତକାରରେ ରାଜନୈତିକ ବିଶ୍ଳେଷକ ଫରିଦ ଜକାରିଆ କହିଛନ୍ତି । ଏଥିସହ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଉପରେ ୫୦% ଶୁଳ୍କ ଲାଗୁ କରିବାର ନୀତିକୁ କରିଛନ୍ତି କଡ଼ା ସମାଲୋଚନା।
ସେ ଏହାକୁ ଆମେରିକାର ୨୫ ବର୍ଷର ବୈଦେଶିକ ନୀତିର ଏକ ପରିବର୍ତ୍ତନ ବୋଲି ବର୍ଣ୍ଣନା କରିଛନ୍ତି। ଯାହା ଭାରତ ସହିତ ରଣନୈତିକ ଏବଂ ଆର୍ଥିକ ସମ୍ପର୍କକୁ ସୁଦୃଢ଼ କରିବା ଉପରେ ଧ୍ୟାନ କେନ୍ଦ୍ରିତ ଥିଲା। ସେ କହିଛନ୍ତି ଯେ, ଋଷ ତେଲ କିଣିବା ଯୋଗୁଁ ଭାରତ ଉପରେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ୨୦୨୫ ମସିହା ୨୭ ଅଗଷ୍ଟରୁ ଲାଗୁ ହେବ । କିନ୍ତୁ ଏହା ତର୍କହୀନ କାରଣ ଚୀନ୍ ଭାରତ ଅପେକ୍ଷା ଅଧିକ ଋଷରୁ ତେଲ କିଣୁଛି।
ରାଜନୈତିକ ବିଶେଷଜ୍ଞ ଏବଂ ଲେଖକ ଫରିଦ ଜକାରିଆ ଆହୁରି ବି କହିଛନ୍ତି ଯେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତୀୟ ଆମଦାନୀ ଉପରେ ୫୦% ଶୁଳ୍କ ଲାଗୁ କରିବାର ନିଷ୍ପତ୍ତି ଅବାସ୍ତବ ଏବଂ ଏହା ଆମେରିକାର ଅନେକ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। ଯଦି ଭାରତ ଏବଂ ଚୀନ୍ ରୁଷୀୟ ତେଲ କିଣିବା ବନ୍ଦ କରନ୍ତି, ତେବେ ଅଶୋଧିତ ତେଲ ମୂଲ୍ୟ ବ୍ୟାରେଲ ପିଛା ୧୫୦ ଡ଼ଲାର ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ, ଯାହା ବିଶ୍ୱ ଅର୍ଥନୀତିକୁ କ୍ଷତି ପହଞ୍ଚାଇବ।