ନୂଆଦିଲ୍ଲୀ,୧୩/୦୩; ଗତ ୧୪ ଦିନ ହେବ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଲାଗି ରହିଛି । ଏହାରି ଭିତରେ ଇରାକରେ ଆମେରିକା ସେନାର ଏକ ରିଫ୍ୟୁଲିଙ୍ଗ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଆମେରିକା ସେଣ୍ଟ୍ରାଲ କମାଣ୍ଡ ଏ ବାବଦରେ ସୂଚନା ଦେଇଛନ୍ତି । ଇରାନ ସହ ଜାରି ଯୁଦ୍ଧ ଭିତରେ ତାଙ୍କର କେସି-୧୩୫ ରିଫ୍ୟୁଲିଙ୍ଗ ବିମାନ ଇରାକରେ କ୍ରାସ ହୋଇଛି । ଏହି ପ୍ଲେନରେ ୫ ଜଣ ଥିଲେ । ପ୍ଲେନ୍କୁ ଇରାନ ଖସାଇଥିବା କୁହାଯାଉଛି ।
ସେନା ଜାରି କରିଥିବା ବୟାନ ଅନୁସାରେ, ମୋଟ୍ ୨ଟି ବିମାନ ଥିଲା । ଗୋଟିଏ ବିମାନ ସୁରକ୍ଷିତ ଅବତରଣ କରିଛି । ଦ୍ୱିତୀୟ ବିମାନଟି କ୍ରାସ ହୋଇଛି । ଏହା ଦୁର୍ଘଟଣା ନଚେତ୍ ଶତ୍ରୁ ଗୁଳିମାରି ଖସାଇ ଥାଇପାରେ । ବର୍ତ୍ତମାନ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ତଦନ୍ତ ଚାଲିଛି । ଇରାନକୁ ଟାର୍ଗେଟ କରି ଆମେରିକା ସାମରିକ ଅଭିଯାନର ଏକ ଅଂଶ ଅପରେସନ ଏପିକ୍ ଫ୍ୟୁରି ସମୟରେ ଏହି ଘଟଣା ଘଟିଛି । ଆମେରିକାର ଏହି କେସି-୧୩୫ ବିମାନକୁ ଦୂରଗାମୀ ମିଶନ ସମୟରେ ଲଢୁଆ ବିମାନ ଏବଂ ଅନ୍ୟାନ ସାମରିକ ବିମାନର ମଝି ଆକାଶରେ ଇନ୍ଧନ ପାଇଁ ବ୍ୟବହାର କରାଯାଉଥିଲା ।
ଏହା ବି ପଢନ୍ତୁ...‘କୋଭିଡ୍ ଭଳି ଏ ସମୟ ମଧ୍ୟ ଚାଲିଯିବ’...ବିଶ୍ବ ଅସ୍ଥିରତା ମଧ୍ୟରେ ଦେଶବାସୀଙ୍କୁ ଆଶ୍ବାସନା ଦେଲେ ପିଏମ ମୋଦୀ...
kc-135 ବିମାନର ଭୂମିକା- କେସି-୧୩୫ ଷ୍ଟାଟୋଟ୍ୟାଙ୍କର ହେଉଛି ଆମେରିକୀୟ ବାୟୁସେନାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଏହି ବିମାନ ପାଖରେ ଆକାଶମାର୍ଗରେ ଯୁଦ୍ଧ ବିମାନ ଏବଂ ଅନ୍ୟ ସୈନ୍ୟ ବିମାନରେ ଇନ୍ଧନ ଭରିବାର କାମ କରିବା କ୍ଷମତା ରହିଛି । ଯାହା ଫଳରେ ବିମାନ ଅବତରଣ ନ କରି ମଧ୍ୟ ମିଶନ ପୂରଣ କରିବାରେ ସହାୟତା ମିଳିବ । ଇରାନ ପରି ବଡ ଭୌଗୋଳିକ ଅଞ୍ଚଲରେ ଜାରି ଯୁଦ୍ଧ ଭିତରେ ଏହି ବିମାନକୁ ଆମେରିକାର ଲାଇଫଲାଇନ ବୋଲି କୁହାଯାଏ । ଫେବୃଆରୀ ୨୮ରୁ ଆମେରିକା ଏବଂ ଇସ୍ରାଏଲ ଦ୍ୱାରା ଇରାନ ଉପରେ ଆକ୍ରମଣ ପରେ ଜଳୁଛି ୩ ଦେଶ । ଆତଙ୍କ, ଆକ୍ରମଣ ଏବଂ ବିସ୍ଫୋରଣରେ ଥରୁଛି ଅଞ୍ଚଳ । ଯୁଦ୍ଧ ଆରମ୍ଭ ହେବା ଦିନଠୁ ଆମେରିକାର ୭ ସୈନ୍ୟ ଜୀବନ ହରାଇଛନ୍ତି । ରଏଟର୍ସର ଏକ ରିପୋର୍ଟ ମୁତାବକ ଯୁଦ୍ଧରେ ପ୍ରାୟ ୧୩୦ ଆମେରିକା ସେନା ଆହତ ହୋଇଛନ୍ତି ।