ନୂଆଦିଲ୍ଲୀ: ଜେଲେନସ୍କିଙ୍କ ସହ ବିବାଦର କିଛି ଦିନ ପରେ ଟ୍ରମ୍ପ କହିଛନ୍ତି ଯେ, ୟୁକ୍ରେନ ସହିତ ଯୁଦ୍ଧବିରତି ଏବଂ ଶାନ୍ତି ଚୁକ୍ତିନାମା ନହେବା ପର୍ଯ୍ୟନ୍ତ ସେ ରୁଷ ବିରୁଦ୍ଧରେ "ବଡ଼ ଧରଣର" କଟକଣା ଏବଂ ଶୁଳ୍କ ଲାଗୁ କରିବାକୁ ବିଚାର କରୁଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷକୁ ଧମକ ଦେଇଛନ୍ତି ଏବଂ ୟୁକ୍ରେନ ସହିତ ଆଲୋଚନା କରିବାକୁ କହିଛନ୍ତି । ସେ କହିଛନ୍ତି ଯେ, ବହୁତ ବିଳମ୍ବ ହେବା ପୂର୍ବରୁ, ଉଭୟ ଦେଶ ପରସ୍ପର ସହିତ କଥା ହୋଇ ଯୁଦ୍ଧ ବନ୍ଦ କରିବା ଉଚିତ।
ଯୁଦ୍ଧକ୍ଷେତ୍ରରେ ୟୁକ୍ରେନକୁ ଧ୍ୱଂସ କରିବାକୁ ରୁଷ ବର୍ତ୍ତମାନ ଅଣ୍ଟା ଭିଡ଼ିଛି, ଏହି ତଥ୍ୟକୁ ଆଧାର କରି ମୁଁ ରୁଷ ଉପରେ ବଡ଼ ଧରଣର ବ୍ୟାଙ୍କିଙ୍ଗ କଟକଣା ଏବଂ ଶୁଳ୍କ ଲାଗୁ କରିବା ବିଷୟରେ ଗମ୍ଭୀରତାର ସହ ବିଚାର କରୁଛି । ଯୁଦ୍ଧବିରତି ଏବଂ ଏକ ଚୂଡ଼ାନ୍ତ ଶାନ୍ତି ଚୁକ୍ତିନାମା ନହେବା ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ। ବହୁତ ବିଳମ୍ବ ହେବା ପୂର୍ବରୁ ମୁଁ ରୁଷ ଏବଂ ୟୁକ୍ରେନକୁ ଏବେ ଆଲୋଚନା କରିବାକୁ ରାଜି ହେବାକୁ ଅନୁରୋଧ କରୁଛି ବୋଲି ଟ୍ରମ୍ପ କହିଛନ୍ତି ।
ଅନ୍ତର୍ଜାତୀୟ ଆଇନ ଭାଙ୍ଗିବା କିମ୍ବା ଆକ୍ରମଣାତ୍ମକ ଭାବରେ କାର୍ଯ୍ୟ କରିବାରୁ ରୋକିବା ପାଇଁ ଗୋଟିଏ ଦେଶ ଅନ୍ୟ ଏକ ଦେଶ ଉପରେ ଏଭଳି କଟକଣା ଲାଗୁ କରିଥାଏ । ତିନି ବର୍ଷ ପୂର୍ବେ ୟୁକ୍ରେନ ଆକ୍ରମଣ କରିବା ପରଠାରୁ ଆମେରିକା, ବ୍ରିଟେନ ଏବଂ ୟୁରୋପ ସମେତ ଅଷ୍ଟ୍ରେଲିଆ, କାନାଡା ଏବଂ ଜାପାନ ରୁଷ ଉପରେ ୨୧୦୦୦ ରୁ ଅଧିକ ପ୍ରତିବନ୍ଧକ ଲଗାଇଛନ୍ତି । ଜାନୁଆରୀରେ, ଦାୟିତ୍ୱ ଗ୍ରହଣ କରିବା ପରେ, ଟ୍ରମ୍ପ ପୁଟିନ ଯୁଦ୍ଧ ବନ୍ଦ ନ କଲେ ଶୁଳ୍କ ଏବଂ ଅଧିକ କଟକଣା ଲଗାଇବାକୁ ଚେତାବନୀ ଦେଇଥିଲେ ।