ନୂଆଦିଲ୍ଲୀ: ଆମେରିକାରେ ରହୁଥିବା ଭାରତୀୟ ଆମେରିକୀୟ ମାନେ ପାରମ୍ପାରିକ ଭାବରେ ଡେମୋକ୍ରାଟିକ୍ ପାର୍ଟିର ସମର୍ଥକ ବୋଲି ଗଣାଯାଏ । ରାଷ୍ଟ୍ରପତି ନିର୍ବାଚନ ପାଖେଇ ଆସୁଥିବା ବେଳେ ବର୍ତ୍ତମାନ ଏକ ନୂତନ ସର୍ଭେରୁ ଜଣାପଡିଛି ଯେ ଡେମୋକ୍ରାଟିକ୍ ପାର୍ଟିରୁ ଭାରତୀୟ ଆମେରିକୀୟ ମାନଙ୍କର ମୋହଭଙ୍ଗ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ଅନେକ ଭାରତୀୟ ଆମେରିକୀୟ ବର୍ତ୍ତମାନ ଡୋନାଲ୍ଡ ଟ୍ରମ୍ପଙ୍କୁ ସମର୍ଥନ କରୁଛନ୍ତି। ରିସର୍ଚ୍ଚ ଏବଂ ଆନାଲିଟିକ୍ସ ଫର୍ମ ୟୁଗୋଭ ସହଯୋଗରେ କାର୍ନେଗି ଏଣ୍ଡୋମେଣ୍ଟ ଫର୍ ଇଣ୍ଟରନ୍ୟାସନାଲ ପିସ୍ ସେଣ୍ଟର ଦ୍ୱାରା କରାଯାଇଥିବା ଏହି ସର୍ଭେକୁ ‘୨୦୨୪ ଇଣ୍ଡିଆନ-ଆମେରିକାନ ଆଟିଚ୍ୟୁଡ୍’ ନାମ ଦିଆଯାଇଛି।
ଏହି ସର୍ଭେରୁ ଜଣାପଡିଛି ଯେ ଏବେ ବି ବହୁ ସଂଖ୍ୟାରେ ଭାରତୀୟ-ଆମେରିକୀୟ ଭୋଟର ଡେମୋକ୍ରାଟିକ ପାର୍ଟିକୁ ସମର୍ଥନ କରୁଛନ୍ତି । ହେଲେ ଏଥର କିନ୍ତୁ ଭାରତୀୟ ଆମେରିକୀୟ ଭୋଟରଙ୍କ ମଧ୍ୟରେ ରିପବ୍ଲିକାନ ପାର୍ଟିକୁ ସମର୍ଥନ ମଧ୍ୟ ବୃଦ୍ଧି ପାଇଛି। ଅନେକ ଲୋକ ଏଥର ଟ୍ରମ୍ପଙ୍କୁ ସମର୍ଥନ କରୁଛନ୍ତି। ସେପ୍ଟେମ୍ବର ୧୮ରୁ ଅକ୍ଟୋବର ୧୫ ମଧ୍ୟରେ ୭୧୪ ଭାରତୀୟ-ଆମେରିକୀୟ ନାଗରିକଙ୍କ ସହିତ ଏହି ସର୍ଭେ କରାଯାଇଥିଲା।
ସର୍ବେକ୍ଷଣ ଅନୁଯାୟୀ, ପଞ୍ଜୀକୃତ ଭାରତୀୟ-ଆମେରିକୀୟ ଭୋଟରଙ୍କ ମଧ୍ୟରୁ ୬୧ ପ୍ରତିଶତ କମଲା ହାରିସଙ୍କୁ ଭୋଟ୍ ଦେବାକୁ ଯୋଜନା କରୁଥିବାବେଳେ ୩୨ ପ୍ରତିଶତ ଟ୍ରମ୍ପଙ୍କୁ ଭୋଟ୍ ଦେବାକୁ ଚାହୁଁଛନ୍ତି । ସର୍ଭେ ଅନୁଯାୟୀ, ୨୦୨୦ ତୁଳନାରେ ଟ୍ରମ୍ପଙ୍କୁ ଭୋଟ୍ ଦେବାକୁ ଇଚ୍ଛୁକ ଭାରତୀୟ ଆମେରିକୀୟଙ୍କ ଅଂଶରେ ସାମାନ୍ୟ ବୃଦ୍ଧି ଘଟିଛି ।
ସୂଚନା ମୁତାବକ ଆମେରିକାରେ ୫୨ ଲକ୍ଷରୁ ଅଧିକ ଭାରତୀୟ ମୂଳ ଲୋକ ବାସ କରନ୍ତି । ୨୦୨୨ ତଥ୍ୟ ଉପରେ ଆଧାର କରି, ଆମେରିକାରେ ପ୍ରାୟ ୨୬ ଲକ୍ଷ ଯୋଗ୍ୟ ଭାରତୀୟ-ଆମେରିକୀୟ ଭୋଟର ଅଛନ୍ତି।