ନୂଆଦିଲ୍ଲୀ: ଆମେରିକା ରାଜନୀତିରେ ପୁଣିଥରେ ଚୀନକୁ ନେଇ କଠୋର ମନୋଭାବ ଦେଖିବାକୁ ମିଳିଛି। ରିପବ୍ଲିକାନ୍ ସିନେଟର୍ ଲିଣ୍ଡସେ ଗ୍ରାହାମ୍ ଶୁକ୍ରବାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଚୀନ୍ ଉପରେ ତୁରନ୍ତ କଠୋର ପ୍ରତିବନ୍ଧକ ଏବଂ ଶୁଳ୍କ ଲାଗୁ କରିବାକୁ ଅନୁରୋଧ କରିଛନ୍ତି। ଗ୍ରାହାମ୍ କହିଛନ୍ତି ଯେ,ଶସ୍ତା ରୁଷୀୟ ତେଲ କିଣି ଚୀନ୍ ପୁଟିନ୍‌ଙ୍କ ଯୁଦ୍ଧ ମେସିନ୍‌କୁ ସିଧାସଳଖ ଇନ୍ଧନ ଦେଉଛି। ୟୁରୋପୀୟ ସଂଘ ରୁଷ ସହିତ ବ୍ୟବସାୟ କରୁଥିବା ଚୀନ୍ ଶକ୍ତି କମ୍ପାନୀ ଗୁଡ଼ିକ ଉପରେ ନୂତନ ପ୍ରତିବନ୍ଧକ ଲଗାଇବା ସମୟରେ ତାଙ୍କର ଏହି ବକ୍ତବ୍ୟ ଆସିଛି।

ଗ୍ରାହାମ୍ ଇୟୁର ୧୯ ତମ ପ୍ରତିବନ୍ଧକ ପ୍ୟାକେଜ୍‌କୁ ସମର୍ଥନ କରିଛନ୍ତି ଏବଂ କହିଛନ୍ତି ଯେ, ଆମେରିକା ଏହାକୁ ଅନୁସରଣ କରିବା ଉଚିତ। ସେ କହିଛନ୍ତି ଯେ, ଟ୍ରମ୍ପ୍ ସମ୍ପ୍ରତି ୟୁରୋପକୁ ଚୀନ୍ ଉପରେ ୫୦ ରୁ ୧୦୦ ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଇୟୁର ନୂତନ ନିଷ୍ପତ୍ତି ସେହି ଦିଗରେ ଏକ ପ୍ରମୁଖ ପଦକ୍ଷେପ। ଗ୍ରାହାମ୍ ଟ୍ୱିଟର୍‌ରେ ଲେଖିଛନ୍ତି ଯେ, ଏହା ସଠିକ୍ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏବେ ଚୀନ୍ ଉପରେ ଶୁଳ୍କ ଲାଗୁ କରିବାର ପାଳି ଆମେରିକାର।

ଗ୍ରାହାମ୍ ଭାରତ ଉପରେ ଲାଗୁ ହୋଇଥିବା ଶୁଳ୍କର ଉଦାହରଣ ଦେଇ ଆହୁରି କହିଛନ୍ତି ଯେ, ଟ୍ରମ୍ପଙ୍କ ଭାରତ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଭଦାୟକ ସାବ୍ୟସ୍ତ ହେବ। ସେ ଲେଖିଛନ୍ତି ଯେ, ଯଦି ଏହି ନୀତି ଭାରତ ଉପରେ କାର୍ଯ୍ୟକାରୀ ହୋଇପାରିବ, ତେବେ ଚୀନ୍ ଏବଂ ରୁଷ ଉପରେ ସମାନ ଶୁଳ୍କ ଲଗାଇବାର ସମୟ ଆସିଛି। ଗ୍ରାହାମଙ୍କ ବୟାନ ଆମେରିକୀୟ ରାଜନୀତିରେ ଏକ ନୂତନ ବିତର୍କ ସୃଷ୍ଟି କରିଛି, କାରଣ ଟ୍ରମ୍ପଙ୍କ ନୀତି ଗୁଡ଼ିକ ପୂର୍ବରୁ ବିଶ୍ୱ ବାଣିଜ୍ୟ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇଛି।

ଏହି ସମୟରେ, ଶୁକ୍ରବାର, ରାଷ୍ଟ୍ରପତି ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଫୋନ୍ ମାଧ୍ୟମରେ କଥା ହୋଇଛନ୍ତି ଏବଂ ଟିକଟକ୍ ପରିଚାଳନା ସମ୍ପର୍କରେ ଏକ ଚୁକ୍ତି ହୋଇଛି। ଟ୍ରମ୍ପ କହିଛନ୍ତି ଯେ ଟିକଟକ୍ ଚୁକ୍ତି ଖୁବ୍ ଶୀଘ୍ର ସମାପ୍ତ ହେବ ଏବଂ ନିବେଶକ ମାନେ ଏଥିପାଇଁ ପ୍ରସ୍ତୁତ ଅଛନ୍ତି। ଟ୍ରମ୍ପ କହିଛନ୍ତି ଯେ, ସି ଜିନପିଙ୍ଗ ଟିକଟକ୍ ଚୁକ୍ତିକୁ ଅନୁମୋଦନ କରିଛନ୍ତି ଏବଂ ଏହା ଖୁବ୍ ଶୀଘ୍ର ସ୍ୱାକ୍ଷରିତ ହେବ।