ନୂଆଦିଲ୍ଲୀ,୮।୧୦:  ଆତଙ୍କୀସ୍ତାନ ଉପରେ ଆମେରିକାର ଦୟା ଦୃଷ୍ଟି। ଚାଟୁକାରିତା ପାଇଁ ଦେବାକୁ ଯାଉଛି ବଡ଼ ଉପହାର। ଭାରତର  ଅପରେସନ୍ ସିନ୍ଦୂରରେ ଧରାଶାୟୀ ହୋଇଥିବା ପାକିସ୍ତାନର କ୍ଷମତା ବଢାଇବାକୁ ଟ୍ରମ୍ପଙ୍କ ଚେଷ୍ଟା। ମୁନୀର ସେନାଙ୍କୁ ମିଳିବ AIM-120 ଆଡଭାନ୍ସଡ ମିଡିୟମ ରେଞ୍ଜ ଏୟାର-ଟୁ-ଏୟାର ମିସାଇଲ ବା ଅମରାମ୍। କିଛି ଦିନ ତଳେ  ମୁନୀରଙ୍କ ସହ ଟ୍ରମ୍ପଙ୍କ ଡିନର ମଧ୍ୟ ହୋଇସାରିଛି। ଏହି ସମୟରେ ରେୟାର ଆର୍ଥ ଡିଲ୍‌ ହୋଇଥିଲା।

ଆମେରିକାର ଯୁଦ୍ଧ ବିଭାଗ ପକ୍ଷରୁ ଏନେଇ ଅଫିସିଆଲ ପ୍ରେସ୍ ବିଜ୍ଞପ୍ତି ଜାରି କରାଯାଉଛି। ଏହା ଅନୁସାରେ, ପାକିସ୍ତାନ ସହ ଆମେରିକା ଅସ୍ତ୍ରଶସ୍ତ୍ର ଚୁକ୍ତି କରିବାକୁ ଯାଉଛି। AIM-120 ଅମରାମ୍ ଏକ ଏୟାର-ଟୁ-ଏୟାର ମିସାଇଲ। ଯାହାକି ଶତ୍ରୁର ବିମାନକୁ ବହୁ ଦୂରରୁ ଟାର୍ଗେଟ କରିବାରେ ସକ୍ଷମ ହୋଇଥାଏ। ଏହି ମିସାଇଲ ଏଫ୍-୧୬ ଫାଲକନ୍ ଫାଇଟର ଜେଟ୍‌ରେ ଲଗାଯିବ। ପାକିସ୍ତାନ ବାୟୁସେନା ୨୦୧୯ରେ ବାଲାକୋଟ୍ ଏୟାରଷ୍ଟ୍ରାଇକ୍ ପରେ ଏଫ୍-୧୬ ବ୍ୟବହାର କରିଥିଲା। ଏବେ ପାକିସ୍ତାନ ଏୟାରଫୋର୍ସ ପାଖରେ ଏହାର C5 ଭର୍ସନ ରହିଛି। ସେଭଳି ନୂଆ ଡିଲ୍ C8 D3 ଭର୍ସନର ପ୍ରଡକ୍ସନ ପାଇଁ ହୋଇଛି। ଯାହାକି ଅଧିକ ରେଞ୍ଜ ଓ ସଠିକ ଟାର୍ଗେଟ କରିବ।  

AIM-120 D3 ମିସାଇଲ ’ଅମରାମ’ ଫ୍ୟାମିଲିର ଲାଟେଷ୍ଟ ଓ ହାଇ ଟେକ୍ ସଂସ୍କରଣ। ଏହି ମିସାଇଲ ଶତ୍ରୁର ଫାଇଟର ଜେଟ୍ ଓ ଆସୁଥିବା ମିସାଇଲ ଉପରେ ଆକ୍ରମଣ ପାଇଁ ଡିଜାଇନ୍ ହୋଇଛି। ପ୍ରତିରକ୍ଷା ବିଶେଷଜ୍ଞଙ୍କ ମତରେ ଏହି ମିସାଇଲ ପାକିସ୍ତାନର ଏଫ୍-୧୬ ଭିତରେ ଅପରେସନାଲ ସୀମା ଓ ସଠିକତାକୁ ବଢାଇବ। ଏହା ପାକିସ୍ତାନ ଏୟାରଫୋର୍ସର ବିପଦକୁ ଭଲ ଭାବରେ ଜବାବ ଦେବାରେ ସକ୍ଷମ ହେବ। ପାକିସ୍ତାନ ମଧ୍ୟ ଦୀର୍ଘ ଦିନ ହେବ ପୁରୁଣା AIM-120C-5 ଭାରିଆଣ୍ଟ ସ୍ଥାନରେ ନୂତନ ପୀଡିର ଅମରାମ ମିସାଇଲ କିଣିବାର ଚେଷ୍ଟାରେ ଲାଗି ରହିଛି।  ଭାରତ ଗତ କିଛି ବର୍ଷ ମଧ୍ୟରେ ନିଜର ବାୟୁସେନା ଶକ୍ତି ବୃଦ୍ଧି କରିଛି। ଭାରତକୁ   ରାଫେଲ ଜେଟ୍ ବିମାନ ମିଳିଥିଲା। ଭାରତ ରାଫେଲ ହାସଲ କରିବା ପରଠାରୁ, ପାକିସ୍ତାନ ନିଜର ଶକ୍ତି ବୃଦ୍ଧି କରିବା ପାଇଁ ଚାପରେ ଥିଲା। ପାକିସ୍ତାନର ଏହି ପଦକ୍ଷେପ ରାଫେଲ ବିରୁଦ୍ଧରେ ନିଜ  ସ୍ଥିତିକୁ ସୁଦୃଢ କରିବାର ଏକ ପ୍ରୟାସ।