ନୂଆଦିଲ୍ଲୀ,୨୪/୦4: ଆମେରିକାର ଟାରିଫ୍‌ ଯୋଗୁ ଭାରତର ମୋଟ ଘରୋଇ ଉତ୍ପାଦ(ଜିଡିପି) ଉପରେ ସିଧାସଳଖ ପ୍ରଭାବ ରହିବ ୦.୨%ରୁ ୦.୫% । ଅର୍ଥ ସଚିବ ଅଜୟ ସେଠ୍‌ ବୁଧବାର ଏହା ପ୍ରକାଶ କରିଛନ୍ତି । 

ଶ୍ରୀ ସେଠ୍‌ କହିଲେ ଯେ, ଚଳିତ ଆର୍ଥିକବର୍ଷ ଭାରତୀୟ  ଅର୍ଥନୀତି ପ୍ରାୟ ୬.୫% ବଢ଼ିପାରେ । ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ଆଇଏମ୍‌ଏଫ୍‌ ଏବଂ ବିଶ୍ୱ ବ୍ୟାଙ୍କ ମଧ୍ୟ ଭାରତର ଜିଡିପି ଅଭିବୃଦ୍ଧି ଅନୁମାନକୁ ଖସାଇଛନ୍ତି । ଏପ୍ରିଲରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଏହାର ଅଭିବୃଦ୍ଧି ଅନୁମାନକୁ ୬.୫%କୁ ଖସାଇଥିଲା । ପୂର୍ବରୁ ଏହାର  ଆକଳନ ଥିଲା ୬.୭% । ଆମେରିକାର ଟାରିଫ୍‌ ନୀତି  ବିତ୍ତୀୟ ବଜାରଗୁଡ଼ିକୁ ପ୍ରଭାବିତ କରିଛି । ଏହା ମଧ୍ୟ ବିଶ୍ୱ  ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରଭାବିତ କରିବ ବୋଲି ଅନୁମାନ  କରିଛନ୍ତି ବିଶେଷଜ୍ଞ । 

ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌) ଏବଂ ବିଶ୍ୱ  ବ୍ୟାଙ୍କ ୨୦୨୫-୨୬ ଆର୍ଥିକବର୍ଷ ପାଇଁ ଭାରତର ଅଭିବୃଦ୍ଧି  ଅନୁମାନକୁ ଯଥାକ୍ରମେ ୬.୨% ଏବଂ ୬.୩%କୁ ଖସାଇଛନ୍ତି ।  ବିଶ୍ୱ ଅର୍ଥନୈତିକ ଅନିଶ୍ଚିତତା ଏବଂ ବାଣିଜ୍ୟିକ ଅସ୍ଥିରତା  ମଧ୍ୟରେ ଉଭୟ ପ୍ରତିଷ୍ଠାନ ସଂଶୋଧିତ ଆକଳନ କରିଛନ୍ତି ।  ଜାନୁଆରୀରେ ଆଇଏମ୍‌ଏଫ୍‌ ଏବଂ ବିଶ୍ୱବ୍ୟାଙ୍କ ଆକଳନ  କରିଥିଲେ ଯେ, ଚଳିତ ଆର୍ଥିକବର୍ଷ ଭାରତୀୟ ଅର୍ଥବ୍ୟବସ୍ଥା  ଯଥାକ୍ରମେ ୬.୫% ଏବଂ ୬.୭% ବଢ଼ିବ ।