ନୂଆଦିଲ୍ଲୀ, ୬।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକାଧିକ ଦେଶ ଉପରେ ଟାରିଫ୍ ଲଗାଇଥିଲେ । ଏହି ଟାରିଫ୍‌ରେ ୯୦ ଦିନର ଛାଡ଼ ପରେ ୯ ଜୁଲାଇ ୨୦୨୫ରେ ଶେଷ ହେବାକୁ ଯାଉଛି । ଏହାର ଡେଡ୍‌ଲାଇନ ସରିବା ପୂର୍ବରୁ ଆମେରିକାରୁ ଏକ ବଡ଼ ଖବର ଆସିଛି । ଯେଉଁଥିରେ କୁହାଯାଇଛି ଯେ, ଆସନ୍ତା ମାସର ପ୍ରଥମ ତାରିଖ ଅର୍ଥାତ୍ ଅଗଷ୍ଟ ୧ରେ ୧୦୦ଟି ଦେଶ ଉପରେ ନୂଆ ରେସିପ୍ରୋକାଲ ଟାରିଫ୍ ଲାଗୁ ହେବ । ଏହି ଆମଦାନୀ ଶୁଳ୍କ ୧୦ ପ୍ରତିଶତ ରହିବ । ଆମେରିକା ଟ୍ରେଜରି ସଚିବ ସ୍କଟ୍ ବେସେଣ୍ଟ ଏନେଇ ସୂଚନା ଦେଇଛନ୍ତି । 

୧୨ଟି ଦେଶ ଉପରେ ଲାଗୁ ହେବ ଟାରିଫ୍: 

ଏହାରି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୧୨ଟି ଦେଶ ଉପରେ ଟାରିଫ୍ ଲଗାଇବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଆସନ୍ତା କାଲି ଅର୍ଥାତ୍ ସୋମବାର ଏନେଇ ଘୋଷଣା କରାଯାଇପାରେ । ରିପୋର୍ଟ ଅନୁସାରେ, ଟ୍ରମ୍ପ ନିଜେ କହିଥିଲେ ଯେ, ସେ ପାଖାପାଖି ଡଜନେ ଦେଶ ପାଇଁ ଟ୍ରେଡ୍ ଲେଟର ଉପରେ ଦସ୍ତଖତ କରିଛନ୍ତି । ତାଲିକାରେ ସାମିଲ ଥିବା ଦେଶକୁ ଏହି ଚିଠି ପ୍ରଥମ ସପ୍ତାହରେ ପଠାଇ ଦିଆଯିବ । ଯେଉଁଥିରେ ସେମାନଙ୍କ ପାଖରେ ଦୁଇଟି ବିକଳ୍ପ ରହିବ । ଏହି ଚିଠିଟିକୁ ଚୟନ କରିବେ କିମ୍ୱା ସେମାନେ ଏହାକୁ ପ୍ରତ୍ୟାଖ୍ୟାନ କରିବେ । ଏହା ସେହି ଦେଶମାନଙ୍କ ଉପରେ ନିର୍ଭରଶୀଳ । ତେବେ ତାଲିକାରେ ସାମିଲ ଥିବା କୌଣସି ଦେଶର ନାଁ ସାର୍ବଜନୀନ କରିବା ଉପରେ ରୋକ୍ ଲଗାଯାଇଛି । 

ରଏଟର୍ସର ରିପୋର୍ଟ ମୁତାବକ, ଏହି ତାଲିକାରେ ଭାରତ, ଜାପାନ ଓ ୟୁରୋପୀୟ ୟୁନିୟନ୍ ସାମିଲ ଥାଇପାରନ୍ତି । କହିରଖୁ କି, ଗତ ଏପ୍ରିଲ୍‌ରେ ଟ୍ରମ୍ଫ ରେସିପ୍ରୋକାଲ୍ ଟାରିଫ୍‌ର ଘୋଷଣା କରିଥିଲେ । ଏହା ପରେ ୯୦ ଦିନର ଛାଡ଼ ଦିଆଯାଇଥିଲା ଓ ୯ ଜୁଲାଇରେ ଏହାର ଡେଡ୍‌ଲାଇନ ଶେଷ ହେବାକୁ ଯାଉଛି ।