ନୂଆଦିଲ୍ଲୀ,୨୯।୯: ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ରବିବାର ଘୋଷଣା କରିଛନ୍ତି, ଆମେ ୟୁକ୍ରେନ୍ ସେହି ଅନୁରୋଧ ଉପରେ ବିଚାର କରୁଛୁ, ଯେଉଁଥିରେ ଲମ୍ବା ଦୂରଗାମୀ ମିସାଇଲ ଟମହକ୍ ଦାବି କରାଯାଇଛି। ଏହାଦ୍ବାରା ରୁଷକୁ ପଛକୁ ପକାଇ ହେବ। ସେ କହିଛନ୍ତି, ଆମେରିକାର ଲକ୍ଷ୍ୟ ହେଉଛି ଯେ, ନାଟୋର ୟୁରୋପୀୟ ସଦସ୍ୟ ରାଷ୍ଟ୍ର ଏହି ଟମହକ୍ କ୍ରୁଜ୍ ମିସାଇଜ୍ କିଣୁ ଏବଂ ଏହାକୁ ସେ ୟୁକ୍ରେନକୁ ହସ୍ତାନ୍ତରିତ କରୁ। ଫକ୍ସ ନ୍ୟୁଜ ସହ କଥା ହୋଇ ଭାନ୍ସ କହିଛନ୍ତି, ଆମେ ବହୁ ୟୁରୋପୀୟ ଦେଶକୁ ଏଭଳି ପ୍ରସ୍ତାବ ଦେଇଛୁ। ଯେତେବେଳେ ତାଙ୍କୁ ୟୁକ୍ରେନକୁ ମିସାଇଲ ଦେବାର ସମ୍ଭାବିତ ବିପଦ ବିଷୟରେ ପଚରା ଯାଇଥିଲା ସେ କହିଥିଲେ ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ଧାର୍ଯ୍ୟ କରିବେ ଆମେରିକାର ହିତ ପାଇଁ କ’ଣ ଠିକ୍ ରହିବ। ଭାନ୍ସ ଦୋହରାଇଛନ୍ତି ଅନ୍ତିମ ନିଷ୍ପତ୍ତି ସମ୍ପୂର୍ଣ୍ଣ ଭାବରେ ଟ୍ରମ୍ପଙ୍କର ରହିବ। ଅନ୍ୟପକ୍ଷେ ରୁଷ ପ୍ରଶ୍ନ ଉଠାଇଛି ଏହି ମିସାଇଲ କିଏ ପକାଇବ ?
ଭାନ୍ସ ଆହୁରି କହିଛନ୍ତି, ଟ୍ରମ୍ପ ପ୍ରଶାସନ ଏବେ ୟୁରୋପଠାରୁ ଅଧିକ ଦାୟିତ୍ବ ସମ୍ଭାଳିବା ଓ ଆମେରିକାର ସହାୟତାକୁ ସୀମିତ ରଖିବାର ଆଶା କରୁଛି। ସେ ରୁଷକୁ ବାର୍ତ୍ତା ଦେଇଛନ୍ତି ସେ ଶାନ୍ତି ବାର୍ତ୍ତା ପାଇଁ ଆଲେଚନା କରନ୍ତୁ। ଉଲ୍ଲେଖନୀୟ ଯେ, ଟମହକ୍ ଏକ ସବସୋନିକ୍ କ୍ରୁଜ ମିସାଇଲ, ଯାହାର ରେଞ୍ଜ ୨୫୦୦ କିଲୋମିଟର ରହିଥାଏ। ଏହାର ଓ୍ବାରହେଡ୍ ୪୫୦ କିଲୋ ରହିଛି। ୟୁରୋପରୁ ଲଞ୍ଚ ହେବାପରେ ଏହା ମସ୍କୋ ଏବଂ ଏହାର ଆଖପାଖ ଅଞ୍ଚଳରେ ପହଁଞ୍ଚିପାରେ।
ଉଲ୍ଲେଖନୀୟ ଯେ, ୟୁକ୍ରେନ୍ ରାଷ୍ଟ୍ରପତି ଭୋଲ୍ଡିମିର ଜେଲେନସ୍କି ନ୍ୟୁୟର୍କରେ ଜାତିସଂଘ ମହାସଭାର ସ୍ବତନ୍ତ୍ର ଅଧିବେଶନ୍ ବେଳେ ଟ୍ରମ୍ପଙ୍କୁ ସାକ୍ଷାତ କରିଥିଲେ। ଏହି ପ୍ରସଙ୍ଗ ଉପରେ ଚର୍ଚ୍ଚା ମଧ୍ୟ କରିଥିଲେ। ଟ୍ରମ୍ପ ଜବାବ୍ ଦେଇଥିଲା ସେ ଏହା ଉପରେ କାମ କରିବେ। ଅନ୍ୟପକ୍ଷେ ରୁଷ ରାଷ୍ଟ୍ରପତି ବ୍ଲାଡିମିର ପୁଟିନ୍ ପୂର୍ବରୁ ଚେତାବନୀ ଜାରି କରିଥିଲେ। ଯଦି ପାଶ୍ଚାତ୍ୟ ଦେଶ ୟୁକ୍ରେନକୁ ରୁଷ ଭିତରେ ପଶି ଆକ୍ରମଣ କରିବା ପାଇଁ ମିସାଇଲ ପାଇଁ ଗୁଇନ୍ଦା ସୂଚନା ଦିଏ, ତେବେ ନିଜକୁ ସିଧା ଯୁଦ୍ଧରେ ସାମିଲ କରିବେ। ଭାନ୍ସଙ୍କ ବୟାନ ଉପରେ କ୍ରେମାଲିନ୍ ମୁଖପାତ୍ର ଦିମିତ୍ରି ପେସ୍କୋଭ କହିଛନ୍ତି, ରୁଷ ଏହି ବୟାନକୁ ସାବଧାନ ହୋଇ ବିଶ୍ଲେଷଣ କରୁଛି। କିଏ ଏହି ମିସାଇଲ ମାଡ଼ କରିବ ? କେବଳ ୟୁକ୍ରେନ୍ ସୈନିକ ନା ଆମେରିକୀୟ ସୈନିକଙ୍କୁ ଏଥିରେ ଭାଗ ନେବାକୁ ପଡିବ ?