ନୂଆଦିଲ୍ଲୀ,୨୮/୦୨: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍ଏଫ୍) ଏବଂ ବିଶ୍ୱ ବ୍ୟାଙ୍କ ଭଳି ବିଶ୍ୱସ୍ତରୀୟ ଆର୍ଥିକ ପ୍ରତିଷ୍ଠାନରୁ ବାହାରି ଯାଇପାରେ ଆମେରିକା । ଆଇଏମ୍ଏଫ୍ ଏବଂ ବିଶ୍ୱବ୍ୟାଙ୍କରୁ ଆମେରିକାର ସମ୍ଭାବ୍ୟ ଏକ୍ଜିଟ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଜି-୨୦ ବୈଠକଗୁଡ଼ିକରେ ଆମେରିକା ଟ୍ରେଜେରି ସଚିବ ସ୍କଟ୍ ବେସେଣ୍ଟଙ୍କ ଅନୁପସ୍ଥିତି ଏଭଳି ଏକ ଆଶଙ୍କା ସୃଷ୍ଟି କରିଥିବା ଜଣାପଡ଼ିଛି ।
ବିଶ୍ୱ ଅର୍ଥନୀତିରେ ସମନ୍ୱୟ ଏବଂ ଭବିଷ୍ୟତରେ ଯୁଦ୍ଧଗୁଡ଼ିକୁ ରୋକିବା ଲାଗି ଆମେରିକା ଓ ଏହାର ସହଯୋଗୀ ରାଷ୍ଟ୍ରଗୁଡ଼ିକ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଆଇଏମ୍ଏଫ୍ ଓ ବିଶ୍ୱ ବ୍ୟାଙ୍କକୁ ଗଢ଼ିଥିଲେ । ସଂକଟରେ ଥିବା ରାଷ୍ଟ୍ରଗୁଡ଼ିକୁ ଋଣ ଯୋଗାଇ ଏହି ପ୍ରତିଷ୍ଠାନ ଦ୍ୱୟ ସେମାନଙ୍କ ପୁନଃରୁଦ୍ଧାର କାର୍ଯ୍ୟରେ ଲିପ୍ତ । ବିକାଶମୁଖୀ ରାଷ୍ଟ୍ରଗୁଡ଼ିକ ଏମାନଙ୍କ ଉପରେ ବଡ଼ ମାତ୍ରାରେ ନିର୍ଭର କରିଥାନ୍ତି ।
ନ୍ୟୁବର୍ଜର ବର୍ମନର ଏମର୍ଜିଂ ମାର୍କେଟ ଡେଟ୍ ପୋର୍ଟଫୋଲିଓ ମ୍ୟାନେଜର କାନ୍ ନାଜ୍ଲି କୁହନ୍ତି, ଯଦି ଆଇଏମ୍ଏଫ୍ ଏବଂ ବିଶ୍ୱବ୍ୟାଙ୍କରୁ ଆମେରିକା ଓହରିଯାଏ ତେବେ ଏହା ଏକ ବିପର୍ଯ୍ୟୟ ଆଣିବ । ପ୍ରତିଷ୍ଠାତା ସଦସ୍ୟ ଭାବେ ଆମେରିକା ଉଭୟ ପ୍ରତିଷ୍ଠାନରେ ଏକକ ବୃହତ୍ ଅଂଶଧନ ଧରିଛି । ଆଇଏମ୍ଏଫ୍ରେ ଏହାର ୧୬%ରୁ ଅଧିକ ଅଂଶଧନ ଅଛି ଏବଂ ବିଶ୍ୱ ବ୍ୟାଙ୍କରେ ୧୬%ରୁ ସାମାନ୍ୟ କମ୍ । ବିଶ୍ୱ ଲିଡରମାନେ ଭରସା କରିପାରୁଥିବା କୌଣସି ନିଷ୍ପତ୍ତି ନେବାକୁ ଏହା ଆମେରିକା ନୀତିନିର୍ଦ୍ଧାରଣକାରୀମାନଙ୍କୁ ସଶକ୍ତ କରିଥାଏ ।
ଆମେରିକା ଆଇଏମ୍ଏଫ୍ ଏବଂ ବିଶ୍ୱବ୍ୟାଙ୍କରୁ ଓହରିଲେ ଏହା ବିଶେଷଜ୍ଞ ଏବଂ ନିବେଶକଙ୍କ ପାଇଁ ଝଟ୍କା ସାବ୍ୟସ୍ତ ହେବ । କାରଣ ଅତ୍ୟନ୍ତ କମ୍ ଖର୍ଚ୍ଚରେ ଉଭୟ ଆର୍ଥିକ ପ୍ରତିଷ୍ଠାନ ୱାଶିଂଟନକୁ କ୍ଷମତା ପ୍ରଦାନ କରିଛନ୍ତି । ଆମେରିକା ଯଦି ଏଭଳି କିଛି ନିଷ୍ପତ୍ତି ନିଏ ତା’ହେଲେ ଏହା ଚୀନ୍ ପାଇଁ ଉପହାର ସମାନ ହେବ । ଆମେରିକାକୁ ବିଶ୍ୱ ଲିଡର ପଦରୁ ହଟାଇବା ପାଇଁ ଚାହୁଁଥିବା ରାଷ୍ଟ୍ରଗୁଡ଼ିକ ଖୁସି ହେବେ ।
ଉଭୟ ପ୍ରତିଷ୍ଠାନରେ ଆମେରିକାର ପ୍ରଭୁତ୍ୱ ରହିଆସିଛି । କିନ୍ତୁ ଚୀନ୍ ଭଳି କିଛି ରାଷ୍ଟ୍ର ଆଇଏମ୍ଏଫ୍ ଏବଂ ବିଶ୍ୱବ୍ୟାଙ୍କରେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକର ପ୍ରଭୁତ୍ୱକୁ ନେଇ ଅନେକ ସମୟରେ ବିରୋଧ କରି ଆସିଛନ୍ତି । ବିଶ୍ୱବ୍ୟାଙ୍କରେ ଚୀନ୍ର ଅଂଶ ଏବେ ୫%ରୁ ସାମାନ୍ୟ ଅଧିକ। ବିଶେଷଜ୍ଞଙ୍କ ମତରେ ଆମେରିକାର ଏକ୍ଜିଟ୍ ଆଇଏମ୍ଏଫ୍ ଏବଂ ବିଶ୍ୱ ବ୍ୟାଙ୍କର ପରିଚାଳନାକୁ ପ୍ରଭାବିତ କରିବ । ଏହା କେବଳ ଚୀନ୍ ପାଇଁ ଖୁସି ଆଣିବ ।
ବିଶେଷଜ୍ଞଙ୍କ ମତରେ, ଆଇଏମ୍ଏଫ୍ର ଅଂଶୀଦାର ଢ଼ାଞ୍ଚାରେ ପରିବର୍ତ୍ତନ କ୍ଷମତା ସନ୍ତୁଳନକୁ ବିଗାଡ଼ିବ । ନିଷ୍ପତ୍ତିଗୁଡ଼ିକ ଆକଳନ କରିହେବ ନାହିଁ ଏବଂ ସମ୍ଭବତଃ ନିଷ୍ପତ୍ତି ସେତେଟା ସ୍ୱଚ୍ଛ ରହିବ ନାହିଁ ।