ନୂଆଦିଲ୍ଲୀ: ଭାରତର ଅନେକ ପ୍ରମୁଖ ସହରରେ ସୋମବାର ମୋବାଇଲ୍ ନେଟୱାର୍କରେ ବ୍ୟାପକ ସମସ୍ୟା ଦେଖାଦେଇଛି । ଏୟାରଟେଲ୍, ଜିଓ ଏବଂ ଭୋଡାଫୋନ୍-ଆଇଡିଆ ବ୍ୟବହାରକାରୀମାନେ କଲ୍ ଡ୍ରପ୍, ନୋ ସିଗନାଲ୍ ଏବଂ ସ୍ଲୋ ଇଣ୍ଟରନେଟ୍ ସମସ୍ୟାର ଅଭିଯୋଗ କରିଥିଲେ । ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ଏବଂ ଗୁରୁଗ୍ରାମ ଭଳି ସହରଗୁଡ଼ିକ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲା । ଏୟାରଟେଲ୍ ଉପଭୋକ୍ତାମାନେ ସୂଚନା ଦେଇଛନ୍ତି ଯେ, ରାତି ପ୍ରାୟ ସାଢ଼େ ୩ଟାରୁ ନେଟୱାର୍କ କାମ କରୁନାହିଁ। ଅନେକ ଲୋକ କଲ୍ କରିପାରି ନଥିଲେ, ଇଣ୍ଟରନେଟ୍ ଧୀର ଥିଲା ଏବଂ SMS ପଠାଇ ହେଉନଥିଲା । 

ଏୟାରଟେଲ୍ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ କହିଛି ଯେ, ନେଟୱାର୍କ ବିଭ୍ରାଟ ବିଷୟରେ ଅବଗତ ଅଛି ଏବଂ ଏହାକୁ ଶୀଘ୍ର ସମାଧାନ କରିବା ପାଇଁ କାମ ଚାଲିଛି । ପ୍ରଥମେ ଏହି ସମସ୍ୟା ଦିଲ୍ଲୀ-ଏନସିଆରରେ ଦେଖାଯାଇଥିଲା । ଏହା ପରେ ମୁମ୍ବାଇ ଏବଂ ବେଙ୍ଗାଲୁରୁରେ ସମସ୍ୟା ଦେଖା ଦଇଥିଲା । ଏୟାରଟେଲ୍ ପରେ, ଜିଓ ଏବଂ ଭୋଡାଫୋନ୍-ଆଇଡିଆ (ଭିଆଇ) ନେଟୱାର୍କ ମଧ୍ୟ ପ୍ରଭାବିତ ହୋଇଥିଲା। ଡାଉନ ଡିଟେକ୍ଟର ପୋର୍ଟାଲ୍ ଅନୁଯାୟୀ, ସନ୍ଧ୍ୟା ପ୍ରାୟ ୫ଟାରେ ଜିଓ ନେଟୱାର୍କ ସହିତ ଜଡିତ ୨୦୦ ରୁ ଅଧିକ ଅଭିଯୋଗ ପଞ୍ଜିକୃତ ହୋଇଥିଲା । ସେହି ସମୟରେ, ଭୋଡାଫୋନ୍-ଆଇଡିଆ ସହିତ ଜଡିତ ପ୍ରାୟ ୫୦ ଟି ଅଭିଯୋଗ ରିପୋର୍ଟ କରାଯାଇଥିଲା । କିନ୍ତୁ ଏହି ସଂଖ୍ୟା ଏୟାରଟେଲ୍ ତୁଳନାରେ କମ୍ ଥିଲା ।

ଦିଲ୍ଲୀ, ମୁମ୍ବାଇ, କୋଲକାତା, ବେଙ୍ଗାଲୁରୁ, ଚେନ୍ନାଇ ଏବଂ ଜୟପୁର ଭଳି ସହରରେ ଭୋଡାଫୋନ-ଆଇଡିଆ ସେବା ପ୍ରଭାବିତ ହୋଇଥିଲା। ଅନ୍ୟପକ୍ଷରେ, ଜିଓର ବିଭ୍ରାଟ ଅଧିକ ବ୍ୟାପକ ଥିଲା । ଚଣ୍ଡିଗଡ଼, ହାଇଦ୍ରାବାଦ, ଲକ୍ଷ୍ନୌ, ପାଟନା, ଅହମ୍ମଦାବାଦ ସମେତ ଅନେକ ସହରରେ ଉପଭୋକ୍ତାମାନେ ସମସ୍ୟା ଭୋଗିଥିଲେ । ଏପର୍ଯ୍ୟନ୍ତ ଜିଓ କିମ୍ବା ଭୋଡାଫୋନ-ଆଇଡିଆ ଏହି ସମସ୍ୟା ଉପରେ କୌଣସି ବିବୃତ୍ତି ଜାରି କରିନାହାନ୍ତି। ସନ୍ଧ୍ୟା ସୁଦ୍ଧା, ଏୟାରଟେଲ୍ ତାର ସେବା ପୁନଃସ୍ଥାପିତ କରିବା ଆରମ୍ଭ କରିଥିଲା କିନ୍ତୁ କିଛି ଉପଭୋକ୍ତା ଏବେ ବି କଲ୍ ଡ୍ରପ୍ ଏବଂ ଇଣ୍ଟରନେଟ୍ ଚାଲୁନଥିବା ଅଭିଯୋଗ କରିଥିଲେ। ଜିଓ ଏବଂ ଭିଆଇ ମଧ୍ୟ ନେଟୱାର୍କ ପୁନଃସ୍ଥାପିତ କରିଥିଲେ ।