ନୂଆଦିଲ୍ଲୀ,୦୫/୦୧; ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ନିଜର ଏଆଇ ଆପ୍ ଗ୍ରୋକ୍‌ରେ ପ୍ରସ୍ତୁତ କରାଯାଉଥିବା ଅଶ୍ଳୀଳ କଣ୍ଟେଣ୍ଟକୁ ନେଇ କଠୋର ନିୟମ ଆଣିଛି । କମ୍ପାନି କହିଛି ଏଭଳି କଣ୍ଟେଣ୍ଟକୁ ତୁରନ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ହଟାଯିବ । ଏଥିସହ ଯଦି କୌଣସି ୟୁଜର ଗ୍ରୋକ୍‌କୁ ବ୍ୟବହାର କରି ଆପତ୍ତିଜନକ କଣ୍ଟେଣ୍ଟ ପ୍ରସ୍ତୁତ କରନ୍ତି ତେବେ ତାଙ୍କ ବିରୋଧରେ ସମାନ କାର୍ଯ୍ୟାନୁଷ୍ଠାନ ହେବ ଯାହା ଅବୈଧ କଣ୍ଟେଣ୍ଟ ଅପଲୋଡ କରାଯିବା କ୍ଷେତ୍ରରେ ହେଉଛି । ଅର୍ଥାତ ୟୁଜରଙ୍କ ଆକାଉଣ୍ଟକୁ ସବୁଦିନ ପାଇଁ ବନ୍ଦ କରିଦିଆଯିବ । ଭାରତ ସରକାର ଆପତ୍ତି ଉଠାଇବାର ୩ ଦିନ ପରେ ଏକ୍ସ ପକ୍ଷରୁ ଏଭଳି କଠୋର ନିୟମ ଅଣାଯାଇଛି ।

କେନ୍ଦ୍ର ସରକାର ଜାନୁଆରୀ ୨ ତାରିଖରେ ଏକ୍ସକୁ କହିଥିଲେ ଯେ ଏହାର ଏଆଇ ଆପ୍ ଗ୍ରୋକ୍ ମାଧ୍ୟମରେ ପ୍ରସ୍ତୁତ କରାଯାଉଥିବା ଅଶ୍ଳୀଳ ଓ ଅବୈଧ କଣ୍ଟେଣ୍ଟକୁ ତୁରନ୍ତ ହଟାଉ । ନଚେତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପ୍ରକୃତ କଥା ହେଲା ଶିବସେନା (ୟୁବିଟି) ନେତ୍ରୀ ପ୍ରିୟଙ୍କା ଚତୁର୍ବେଦୀ ଗତ ଶୁକ୍ରବାର ଏଆଇ ଚାଟବଟ ଗ୍ରୋକ୍‌ର ଅପବ୍ୟବହାର ନେଇ ଚିନ୍ତା ପ୍ରକଟ କରିଥିଲେ । ଏହି ପ୍ରସଙ୍ଗରେ ସେ କେନ୍ଦ୍ର ଆଇଟି ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ସେଥିରେ ସେ ଦର୍ଶାଇଥିଲେ ଯେ କିଛି ଲୋକ ନକଲି ଆକାଉଣ୍ଟ ଖୋଲି ଏଆଇ ସହାୟତାରେ ମହିଳାଙ୍କ ଫଟୋ ଓ ଭିଡିଓକୁ ଅଶ୍ଳୀଳ ତଥା ଆପତ୍ତିଜନକ କରୁଛନ୍ତି, ଯାହାକି ଅତ୍ୟନ୍ତ ଗମ୍ଭୀର ପ୍ରସଙ୍ଗ ।

ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ଏକ୍ସର ମାଲିକ ଏଲନ ମସ୍କ ଶନିବାର କହିଥିଲେ ଯେ କିଛି ଲୋକ କହୁଛନ୍ତି ଗ୍ରୋକ୍ ଆପତ୍ତିଜନକ ଛବି ବନାଉଛି । ଏହା ଏଭଳି ଏକ ଘଟଣା ଯେପରି କୌଣସି ଖରାପ କଥା ଲେଖିବା ଲାଗି କଲମକୁ ଦୋଷ ଦେବା ସହ ସମାନ । କଣ ଲେଖାଯିବ ତାହା କଲମ ସ୍ଥିର କରେ ନାହିଁ । ସେହିକାମ କଲମକୁ ଧରିଥିବା ଲୋକ ହିଁ କରିଥାନ୍ତି । ଗ୍ରୋକ୍ ହିଁ କଲମ ଭଳି କାମ କରିଥାଏ । ଦାୟିତ୍ୱ କୌଣସି ବସ୍ତୁ କିମ୍ବା ଉପକରଣର ନୁହେଁ, ବରଂ ଏହାକୁ ବ୍ୟବହାର କରୁଥିବା ବ୍ୟକ୍ତିଙ୍କର ରହିଥାଏ ବୋଲି ମସ୍କ କହିଥିଲେ ।