ଭୁବନେଶ୍ବର,୭।୧ : ଭେନେଜୁଆଲା ରାଷ୍ଟ୍ରପତିଙ୍କୁ ଗିରଫ କରି ଆମେରିକା ରାଷ୍ଟ୍ରପତି ଭୁଲ କରିଛନ୍ତି। ଅନ୍ୟ ଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ଆମେରିକା ମୁଣ୍ଡ ପୁରାଇବା ଉଚିତ୍ ନୁହେଁ। ଭେନେଜୁଏଲା ବିରୁଦ୍ଧରେ ଆମେରିକାର ଏହା ବର୍ବର କାର୍ଯ୍ୟ  । ବୁଧବାର ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ୨୭ତମ ପ୍ରତିଷ୍ଠା ଦିବସ ଉଦ୍‌ଯାପନୀ ସମାରୋହରେ ମୁଖ୍ୟଅତିଥି ଭାବେ ପୂର୍ବତନ ଉପରାଷ୍ଟ୍ରପତି ଏମ୍ ଭେଙ୍କେୟା ନାଇଡୁ ଯୋଗ ଦେଇ  ଏହା କହିଛନ୍ତି।

ଏହି ଅବସରରେ ଓଡ଼ିଆରେ ଭାଷଣ ଦେଇଥିଲେ ଏମ୍ ଭେଙ୍କେୟା ନାଇଡୁ । ଜୀବନରେ ନିଜର ସଂସ୍କୃତି କଳାର ପ୍ରଚାର ପ୍ରସାର ଦିଗରେ ଛାତ୍ରଛାତ୍ରୀ ଅଗ୍ରସର କେମିତି ହେବେ  ସେ ନେଇ ଉପଦେଶ ଦେଇଥିଲେ । ସାଂସ୍କୃତିକ ବିଭବର ବିକାଶରେ ପିଲାଙ୍କ ଅବଦାନ କେମିତି ରହିବ ସେ ସମ୍ପର୍କରେ ଆଲୋଚନା କରିଥିଲେ।

ସେହିପରି ଜମ୍ମୁ କୁ ଅଲଗା ରାଜ୍ୟ ପାଇଁ ଉଠୁଥିବା ଦାବିକୁ ପୂର୍ବତନ ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ  ନିନ୍ଦା କରିଛନ୍ତି। ଭୌଗଳିକ ଦୃଷ୍ଟିକୋଣରୁ ଜମ୍ମୁ ଅଞ୍ଚଳ ଗୁରୁତ୍ଵପୂର୍ଣ୍ଣ। ଜମ୍ମୁ ଭାରତର ରହିଛି ଓ ରହିବ ବୋଲି କହିଥିଲେ।  ପ୍ରଧାନମନ୍ତ୍ରୀ ମୋଦି ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ଜେଏନୟୁରେ ସ୍ଲୋଗାନ ଘୃଣାର ପ୍ରତିକ ବୋଲି  ଭେଙ୍କେୟା କହିଥିଲେ।

ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ୨୭ତମ ପ୍ରତିଷ୍ଠା ଦିବସ ଉଦ୍‌ଯାପନୀ ସମାରୋହରେ  ଅନ୍ୟମାନଙ୍କ ମଧ୍ୟରେ  ରାଜ୍ୟପାଳ ଡ଼. ହରିବାବୁ କମ୍ଭମ୍‌ପାଟି, ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ପଦ୍ମ ଭୂଷଣ ଡ଼. ପ୍ରତିଭା ରାୟ ପ୍ରମୁଖ ଯୋଗ ଦେଇଥିଲେ । ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ନୂଆ ପ୍ରେକ୍ଷାଳୟ ସହ ସ୍ପୋର୍ଟସ କମ୍ପ୍ଲେସ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଘୋଷଣା କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସଂସ୍କୃତି ମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ।