ଭୁବନେଶ୍ୱର,୨୨/୦୪: ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଏବେ ଅଣ  ଛାତ୍ରଙ୍କ କବ୍‌ଜାରେ । ରାତି ପାଇଲେ  ନିଶାଡ଼ିଙ୍କ ଆଡ୍ଡା ଜମୁଛି । ଗଣ୍ଡଗୋଳ  ହେଉଛି । ଶୈକ୍ଷିକ ବାତାବରଣ ନଷ୍ଟ ହେଉଛି । ହଷ୍ଟେଲରେ ରହି ପଢ଼ୁଥିବା  ପିଲା ମାନସିକ ସ୍ତରରେ ଅଶାନ୍ତ ହେଉଛନ୍ତି। ଏସବୁ ପଛରେ ଅଣଛାତ୍ରଙ୍କ ହାତ ରହୁଛି । ଏପରି ବାରମ୍ବାର ଅଭିଯୋଗ  ପରେ ଚେତିଛନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟ  କର୍ତ୍ତୃପକ୍ଷ । 

ସୋମବାର ବିଶ୍ୱବିଦ୍ୟାଳୟ କୁଳପତି  ପୁଲିସ ଡିଜିଙ୍କୁ କ୍ୟାମ୍ପସ୍‌ରୁ ଅଣଛାତ୍ର ମୁକ୍ତ  କରିବା ପାଇଁ ସହାୟତା ଲୋଡ଼ିଛନ୍ତି।  ଏନେଇ ସେ ଚିଠି ଲେଖିଛନ୍ତି । ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଚିଠିରେ  ଉଲ୍ଲେଖ କରିଛନ୍ତି ଯେ, କ୍ୟାମ୍ପସ୍‌ରେ  ଅଣଛାତ୍ର ଅସାମାଜିକ କାର୍ଯ୍ୟ କରୁଛନ୍ତି ।  ତେଣୁ ସେମାନଙ୍କୁ ଉଚ୍ଛେଦ କରିବା  ସମୟରେ ପୁଲିସର ସହାୟତା  ଆବଶ୍ୟକ ।   

ଛାତ୍ରଙ୍କ ଅଭିଯୋଗ ଅନୁଯାୟୀ,  ହଷ୍ଟେଲରେ ଅନେକ ଅଣଛାତ୍ର ରୁମ୍‌  କବ୍‌ଜା କରି ରଖିଛନ୍ତି । ହଷ୍ଟେଲ୍‌ଏବେ  ନିଶାଡ଼ିଙ୍କ ପେଣ୍ଠସ୍ଥଳୀ ପାଲଟିଛି ।  ସଂଧ୍ୟା ହେଲେ ନିଶାର ଆସର ଜମୁଛି ।  ଗଣ୍ଡଗୋଳ ହେଉଛି । ଅସାମାଜିକ  କାର୍ଯ୍ୟକଳାପ ହେଉଛି । ଏହାକୁ ବିରୋଧ  କଲେ ଛାତ୍ରଙ୍କ ଉପରେ ଆକ୍ରମଣ  ହେଉଛି । ନିକଟରେ ଅଖିଳ ଭାରତୀୟ  ବିଦ୍ୟାର୍ଥୀ ପରିଷଦ ମଧ୍ୟ ସମାନ  ଅଭିଯୋଗ ଆଣିଥିଲା । କ୍ୟାମ୍ପସ୍‌କୁ ଅଣ  ଛାତ୍ର ମୁକ୍ତ କରିବାକୁ ଦାବି କରିଥିଲା । ଦାବି ପୂରଣ ନହେଲେ ଆନ୍ଦୋଳନ  ଜୋରଦାର ହେବ ବୋଲି ଚେତାବନୀ  ଦେଇଥିଲା । ଏପରିକି ଗତବର୍ଷ ମଧ୍ୟ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଓ ପୁଲିସକୁ  ନେଇ ଏକ ଟିମ୍‌ ହୋଇଥିଲା । ଏଥିରେ କ୍ୟାମ୍ପସ୍‌ ଓ ହଷ୍ଟେଲରୁମ୍‌ କବ୍‌ଜା କରି ରଖିଥିବା ପିଲାଙ୍କୁ ବାହାର କରିବାକୁ  ଉଦ୍ୟମ ହୋଇଥିଲା । ହେଲେ ପିଲାମାନେ  ରୁମ୍‌ ତାଲା ପକାଇ ପଳାଇଥିଲେ । ଏହାକୁ  ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ତେଣୁ ଉଚ୍ଛେଦରେ କର୍ତ୍ତୃପକ୍ଷ ସଫଳ  ହୋଇନଥିଲେ । ତେଣୁ ଚଳିତବର୍ଷ ଉଚ୍ଛେଦ ସମୟରେ ଯେପରି କୌଣସି  ଅପ୍ରୀତିକର ପରିସ୍ଥିତି ନହୁଏ ସେଥିପାଇଁ ପୁଲିସର କୁଳପତି ଡିଜିଙ୍କ ସହାୟତା ଲୋଡ଼ିଛନ୍ତି ।