ଭୁବନେଶ୍ୱର,୦୭/୦୮: ଛାତ୍ର ସଂସଦ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇନି । ହେଲେ ଏବେଠୁ ଉଷ୍ମ ହେଲାଣି କ୍ୟାମ୍ପସ ରାଜନୀତି । ଛାତ୍ର ସଂଗଠନମାନେ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ  କରିଥିବା ବେଳେ ଏହାରି ଭିତରେ ଗଣ୍ଡଗୋଳ, ଆରୋପ ପ୍ରତ୍ୟାରୋପ ସହ ହାତାହାତି ପରିସ୍ଥିତି ଉପୁଜିଲାଣି । ଗତକାଲି ରାତିରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଏବିଭିପି ଓ ବିଜେପି  ଯୁବମୋର୍ଚ୍ଚାର ସଦସ୍ୟ ହାତାହାତି ହୋଇଥିଲେ । ଆକ୍ରମଣରେ ପବ୍ଲିକ ଆଡମିନିଷ୍ଟ୍ରେଟିଭ ବିଭାଗ ଦ୍ୱିତୀୟବର୍ଷର ଛାତ୍ର ରାଜକିଶୋର ପରିଡ଼ା ଗୁରୁତର  ହୋଇଥିଲେ । ତାଙ୍କୁ କିଛି ଅଣଛାତ୍ର ମାଡ଼ ମାରିଥିବା  ଅଭିଯୋଗ ହୋଇଥିଲା । ତାଙ୍କୁ ଉଦ୍ଧାର କରାଯାଇ  ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ ଏମ୍‌ସକୁ  ସ୍ଥାନାନ୍ତର କରାଯାଇଛି । ତାଙ୍କ ପିଠିରେ ଆଘାତ  ଲାଗିଥିବା ବେଳେ ସେ ଚିକିତ୍ସାଧୀନ ଅଛନ୍ତି । କ୍ୟାମ୍ପସକୁ ଅଣଛାତ୍ର ମୁକ୍ତ କରିବା ଓ ଅଭିଯୁକ୍ତଙ୍କୁ  ଧରିବା ପାଇଁ ଦାବିରେ ଦିନସାରା ବିଶ୍ୱବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀମାନେ ପ୍ରତିବାଦ କରିଛନ୍ତି । 

ଛାତ୍ର ଆନ୍ଦୋଳନ ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟରେ ପାଠପଢ଼ା ବାଧାପ୍ରାପ୍ତ ହୋଇଛି । କାଳେ ଅଧିକ ବିଶୃଙ୍ଖଳା ସୃଷ୍ଟି ହେବ ସେଥିପାଇଁ ବୁଧବାର ପୁଲିସ ବିଶ୍ୱବିଦ୍ୟାଳୟ ପରିସରରେ ଉପସ୍ଥିତ ରହିଥିଲା । ଉତ୍ତ୍ୟକ୍ତ ଛାତ୍ରଛାତ୍ରୀଙ୍କୁ ବୁଝାଇବା ପାଇଁ କର୍ତ୍ତୃପକ୍ଷ, ପୁଲିସ ପ୍ରୟାସରେ  କରିଥିଲେ । ହେଲେ ଅଣଛାତ୍ରଙ୍କ ପ୍ରବେଶ ନିଷେଧ ସହ ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ଛାତ୍ର ସଙ୍ଗଠନ ଅଡ଼ି ବସିଥିଲେ । ଅଣଛାତ୍ରଙ୍କ  ଅବାଧ ପ୍ରବେଶ ବନ୍ଦ କରିବା ଦିଗରେ କର୍ତ୍ତୃପକ୍ଷ ପଦକ୍ଷେପ ନ ନେବା ପର୍ଯ୍ୟନ୍ତ ଧାରଣା ଜାରି  ରହିବ ବୋଲି ଚେତାବନୀ ଦେଇଥିଲେ । ଛାତ୍ରୀ ମୌସୁମୀ  ପଣ୍ଡା କହିଛନ୍ତି, କ୍ୟାମ୍ପସରେ  ଅଣଛାତ୍ରଙ୍କ ଉତ୍ପାତ  ଚରମସୀମାରେ ପହଞ୍ଚିଲାଣି ।  ଏଠାରେ ବୁଲିବାକୁ ଡର  ଲାଗିଲାଣି । ତେଣୁ ସରକାର  ଏ ଦିଗରେ ପଦକ୍ଷେପ ଗ୍ରହଣ  କରନ୍ତୁ । ଗତକାଲି ଘଟିଥିବା  ସଂଘବଦ୍ଧ ଆକ୍ରମଣର ତଦନ୍ତ ହେଉ ।  

ଅପରପକ୍ଷେ, ସହିଦନଗର ଥାନାରେ ଉଭୟ ଏବିଭିପି ଓ ଯୁବ ମୋର୍ଚ୍ଚା ପକ୍ଷରୁ ପୃଥକ ମାମଲା ଦାୟର କରାଯାଇଛି । ଉଭୟ ଗୋଷ୍ଠୀର  ୫ରୁ ଅଧିକ ଛାତ୍ର ଆହତ ହୋଇଛନ୍ତି । ତେଣୁ ପୁଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି । ଗତ ସୋମବାର ଜଗତସିଂହପୁର  ଜିଲ୍ଲା ଏସଭିଏମ୍‌ କଲେଜରେ ମଧ୍ୟ ୨ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଭୟଙ୍କର ଗଣ୍ଡଗୋଳ ହୋଇଥିଲା । ଉଭୟ ଗୋଷ୍ଠୀର କିଛି ଛାତ୍ର  ଗୁରୁତର ଆହତ ହୋଇଥିବା ବେଳେ କ୍ୟାମ୍ପସରେ  ରାତି ସାରା ଉତ୍ତେଜନା ଦେଖିବାକୁ ମିଳିଥିଲା ।  ଛାତ୍ର ସଂସଦ ନିର୍ବାଚନ ପାଇଁ ଶିକ୍ଷାନୁଷ୍ଠାନରେ  ଏଭଳି ଘଟଣା ଘଟୁଥିବା ବୁଦ୍ଧିଜୀବୀମାନେ  କହିଛନ୍ତି । ଯଦିଓ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନାହିଁ କିନ୍ତୁ ବିଭିନ୍ନ ରାଜନୈତିକ  ଦଳର ଆଶାୟୀ ଛାତ୍ର ନେତା ଏବେଠୁ ମାଳମାଳ  ପ୍ରସଙ୍ଗ ଧରି ମଇଦାନକୁ ଓହ୍ଲାଇଲେଣି । ଏହାର  ଫାଇଦା ନେଇ ଛାତ୍ର ସଙ୍ଗଠନମାନେ ନିଜ ନିଜ ପତିଆରା ଜାହିର କରୁଛନ୍ତି । ଫଳରେ କ୍ୟାମ୍ପସର  ଶୈକ୍ଷିକ ବାତାବରଣ ଖରାପ ହେବାରେ ଲାଗିଛି  ।  ଆଗକୁ ଯଦି ନିର୍ବାଚନ ହୁଏ ତା'ହେଲେ କଲେଜ  କର୍ତ୍ତୃପକ୍ଷଙ୍କ ପାଇଁ ଏହା ବଡ଼ ଚ୍ୟାଲେଞ୍ଜ ହେବ ।