ଆମ ରାଜ୍ୟର ଯୁବବର୍ଗଙ୍କୁ ନିଯୁକ୍ତି ମିଳିବା ସହିତ, ସେମାନେ ନିଯୁକ୍ତିଦାତା ଭାବେ ରୂପାନ୍ତରିତ ହେବା ସମ୍ଭବ ହେବ । ଆମ ରାଜ୍ୟର ରାଜକୋଷ ସମୃଦ୍ଧ ହେବା ସହିତ ରାଜ୍ୟବାସୀଙ୍କ ପକେଟକୁ ଅଧିକ ରୋଜଗାର  ଆସିବ । ଆମ ରାଜ୍ୟର ଲୋକ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ନଯାଇ  ଓଡ଼ିଶାରେ କାମ କରିବେ । ଓଡ଼ିଶା ଶ୍ରୀଜଗନ୍ନାଥଙ୍କ ଅପାର କରୁଣାରୁ ଆଉ ଗରିବ ହୋଇ ରହିବ ନାହିଁ, ଏହା ମୋର ସଂକଳ୍ପ। ଆମେ ଏହି ଲକ୍ଷ୍ୟ  ପୂରଣ ପାଇଁ ଉଦ୍ୟମ କରିଚାଲିଛୁ ଏବଂ କରିବୁ ମଧ୍ୟ ।

ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ  କରକମଳରେ ଉଦ୍‌ଘାଟିତ “ଉତ୍କର୍ଷ ଓଡ଼ିଶା’  କନକ୍ଲେଭ ଅତ୍ୟନ୍ତ ସଫଳତାର ସହିତ ସମାପ୍ତ ହୋଇଯାଇଛି । ଓଡ଼ିଶାକୁ ସମୃଦ୍ଧ ରାଜ୍ୟ ଭାବେ ଗଢ଼ି  ତୋଳିବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରତିଶ୍ରୁତିବଦ୍ଧତାକୁ  ଦୋହରାଇବା ସହ ନିବେଶକଙ୍କୁ ସେ ଗ୍ୟାରେଣ୍ଟି  ଦେଇଛନ୍ତି । ଶିଳ୍ପ ବିକାଶ କ୍ଷେତ୍ରରେ ଓଡ଼ିଶା ଏଭଳି ଏକ  ଉଦାହରଣ ହେବ ଯାହା କେହି କଳ୍ପନା କରିନଥିବେ ବୋଲି  ପ୍ରଧାନମନ୍ତ୍ରୀ ମୋଦି କହିବା ସହ ଓଡ଼ିଶା ନୂଆ ଆକାଂକ୍ଷା,  ସୁଯୋଗ ଓ ସମ୍ଭାବନାର ଭୂମି ବୋଲି କହିଛନ୍ତି । ଏଠାରେ  ନିବେଶ କଲେ ସମସ୍ତ ନିବେଶକ ଓ ଉଦ୍ୟୋଗପତି  ସଫଳତାର ଶିଖର ପର୍ଯ୍ୟନ୍ତ ପହଞ୍ଚିବେ ବୋଲି ଆଶ୍ୱସ୍ତ  କରାଇଛନ୍ତି । 

ମୋଦିଜୀ “ଉତ୍କର୍ଷ ଓଡ଼ିଶା’ ସମାବେଶକୁ ବୁଲି  ଦେଖିଲା ପରେ ଏଭଳି ସୁବ୍ୟବସ୍ଥିତ ତଥା ଭବ୍ୟ  ଆୟୋଜନ ପାଇଁ ପ୍ରଶଂସା କରିବା ସହ ରାଜ୍ୟରେ  ପୂର୍ବରୁ ଅନୁଷ୍ଠିତ ତିନିଟି ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌  ତୁଳନାରେ ଚଳିତ ଥର ୫-୬ ଗୁଣ ଅଧିକ ନିବେଶକ  ସାମିଲ ହୋଇଥିବାରୁ ଖୁସି ବ୍ୟକ୍ତ କରିଥିଲେ । ପୂର୍ବ-ଭାରତକୁ ଦେଶର ବିକାଶର ଅଭିବୃଦ୍ଧି ଇଞ୍ଜିନ ଭାବେ  ଅଭିହିତ କରିଆସିଛନ୍ତି ମୋଦିଜୀ ଓ ତାଙ୍କର ବିଶ୍ୱାସ ଯେ,  ଏଥିରେ ଓଡ଼ିଶାର ଏକ ବଡ଼ ଭୂମିକା ରହିଛି । ଏକଦା  ଦକ୍ଷିଣ-ପୂର୍ବ ଏସିଆର ବାଣିଜ୍ୟ କାରବାର ମୁଖ୍ୟସ୍ଥଳୀ  ଥିଲା ଏବଂ ଓଡ଼ିଶା ହିଁ ଭାରତର ପ୍ରବେଶ ଦ୍ୱାର ଭାବେ  ପରିଗଣିତ ହେଉଥିଲା । ସେଥିପାଇଁ ଆଜି ବି ଓଡ଼ିଶାରେ  ପ୍ରତିବର୍ଷ ବାଲିଯାତ୍ରାକୁ ଐତିହାସିକ ମହୋତ୍ସବ ଭାବେ  ପାଳନ କରାଯାଏ। ସମସ୍ତ ନିବେଶକାରୀ ଓ ଶିଳ୍ପପତିଙ୍କ  ଦୃଷ୍ଟି ଆକର୍ଷଣ କରି ସେ କହିଥିଲେ ଯେ, ଓଡ଼ିଶାର ଏହି ବିକାଶ ଯାତ୍ରାରେ ପୁଞ୍ଜିନିବେଶ ହିଁ ଆପଣମାନଙ୍କୁ  ସଫଳତାର ନୂଆ ଶିଖରରେ ପହଞ୍ଚାଇବ । ଏକବିଂଶ  ଶତାବ୍ଦୀର ଓଡ଼ିଶା ନିଜର ଗୌରବମୟ ପରମ୍ପରାକୁ  ପୁଣିଥରେ ପୁନରୁଦ୍ଧାର କରିବାରେ ଲାଗିଛି । ଏହା ହିଁ  ଓଡ଼ିଶାର ବିରାସତ୍‌ ବା ଐତିହ୍ୟ । ସିଙ୍ଗାପୁର ରାଷ୍ଟ୍ରପତି ମଧ୍ୟ ଓଡ଼ିଶା ସହ ସମ୍ପର୍କ ବୃଦ୍ଧି ପାଇଁ ଉତ୍ସାହ ପ୍ରଦାନ  କରିଛନ୍ତି । ଆସିୟାନା ରାଷ୍ଟ୍ରଗୁଡ଼ିକ ମଧ୍ୟ ଓଡ଼ିଶା ସହ  ବ୍ୟବସାୟ ପାଇଁ ଇଚ୍ଛୁକ । ଏବେ ଓଡ଼ିଶାରେ ସବୁ  କ୍ଷେତ୍ରରେ ଏତେ ସମ୍ଭାବନାର ଦ୍ୱାର ଖୋଲିଯାଇଛି, ଯାହାକି  ସ୍ୱାଧୀନତା ପରେ କେବେ ହୋଇନଥିଲା ବୋଲି ମୋଦିଜୀ କହିବା ତାତ୍ପର୍ଯ୍ୟପୂର୍ଣ୍ଣ । 

ଶିଳ୍ପପତିଙ୍କୁ ସ୍ୱାଗତ କଲାବେଳେ ମୋ ବକ୍ତବ୍ୟର  ଗୋଟିଏ ବାକ୍ୟ ଥିଲା “ନିବେଶ ପାଇଁ ବର୍ତ୍ତମାନର ସମୟ  ହିଁ ଉଚିତ ସମୟ’ । ଏହି କଥାଟି ତାଙ୍କର ମନକୁ ଖୁବ୍‌  ପାଇଥିଲା । ସେ ନିଜ ବକ୍ତବ୍ୟରେ ଏହା ପ୍ରକାଶ କରି  କହିଥିଲେ ଯେ, ବିପୁଳ ସମ୍ଭାବନାର କ୍ଷେତ୍ର ଓଡ଼ିଶା  ପୁଞ୍ଜିନିବେଶ ପାଇଁ ଏକ ଉପଯୁକ୍ତ ସ୍ଥାନ । ସମୃଦ୍ଧ  ଓଡ଼ିଶା ଗଠନ ପାଇଁ ରାଜ୍ୟବାସୀ ନେଇଥିବା ସଂକଳ୍ପକୁ  ସଫଳ କରିବା ପାଇଁ କେନ୍ଦ୍ର ସରକାରଙ୍କ ସହଯୋଗ  ରହିବ । ପ୍ରଧାନମନ୍ତ୍ରୀ ଭାବେ ଗତ ୧୦ବର୍ଷ ମଧ୍ୟରେ  ସେ ପ୍ରାୟ ୩୦ଥର ଓଡ଼ିଶା ଆସି ସାରିଲେଣି, ଯାହାକି  ପୂର୍ବତନ ପ୍ରଧାନମନ୍ତ୍ରୀମାନେ ହୁଏତ ଏତେଥର ଓଡ଼ିଶାକୁ  ଆସିନଥିବେ ବୋଲି ପ୍ରକାଶ କରି, ଓଡ଼ିଶାକୁ ସେ ଭଲ  ପାଉଥିବା ଭଳି ଶିଳ୍ପପତିମାନେ ବି ଭଲପାଆନ୍ତୁ ବୋଲି  କହିବା ମଧ୍ୟ ଅତ୍ୟନ୍ତ ପ୍ରେରଣାଦାୟୀ । 

ମୋ ସରକାର ଲୋକଙ୍କ ସରକାର । ବିକଶିତ ଓଡ଼ିଶା  ଗଠନ ପାଇଁ ଲୋକମାନେ ଆମକୁ କ୍ଷମତାକୁ ଆଣିଛନ୍ତି ।  ୨୦୩୬ରେ ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ଭାବେ ଗଠିତ  ହେବାର ଶତବାର୍ଷିକୀ ଉତ୍ସବ ପାଳନ କରିବା ପୂର୍ବରୁ  ଆମେ ବିକଶିତ ଓଡ଼ିଶା ପାଇଁ ପଣ କରିଛୁ । ଏଥିପାଇଁ ବିଭିନ୍ନ ବିକାଶମୂଳକ କାର୍ଯ୍ୟରେ ପୁଞ୍ଜି ଆବଶ୍ୟକ  ହେବ । ସେଇଥିପାଇଁ ତ ଉତ୍କର୍ଷ ଓଡ଼ିଶାର ଆୟୋଜନ ।  ପୁଞ୍ଜିନିବେଶକମାନେ ଗୋଟିଏ ପାହୁଣ୍ଡ ଚାଲିଲେ, ମୋ  ସରକାର ୩ ପାଦ ଚାଲିବାକୁ ପ୍ରସ୍ତୁତ ହୋଇ ରହିଛି ।  ସେମାନଙ୍କ ସୁବିଧା ପାଇଁ ଆମ ଡବଲ୍‌ ଇଞ୍ଜିନ ସରକାର ସବୁପ୍ରକାରର ସୁବିଧା ଓ ସହଜ ବାତାବରଣ ସୃଷ୍ଟି  କରିଚାଲିଛି । ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ ସମର୍ଥନକୁ  ପାଥେୟ କରି ଆମେ ୨୦୩୬ ସୁଦ୍ଧା ଓଡ଼ିଶାକୁ ନିଶ୍ଚୟ  ସମୃଦ୍ଧ କରିବୁ । ଓଡ଼ିଶାର ଶିଳ୍ପକ୍ଷେତ୍ରରେ ବିକାଶ ହେଲେ,  କେବଳ ଆମ ରାଜ୍ୟ ପାଇଁ ନୁହେଁ ସମଗ୍ର ଭାରତ ପାଇଁ  ପ୍ରଗତି ଓ ବିକାଶର ଏକ ଇଞ୍ଜିନ ଭାବେ କାର୍ଯ୍ୟ କରିବ ।  ଓଡ଼ିଶାରେ ନିବେଶ କରିବା ପାଇଁ ଏହା ହିଁ ଉଚିତ ସମୟ । 

ଆମେ ଦୁଇଦିନ ଧରି ଶତାଧିକ କମ୍ପାନୀର  ମୁଖ୍ୟମାନଙ୍କ ସହ ସ୍ୱତନ୍ତ୍ର ଭାବେ ବୈଠକ କରିଥିଲୁ ।  ନିବେଶକଙ୍କ ପାଇଁ ଆମେ କିଭଳି ଅନୁକୂଳ ପରିବେଶ ବା ଇକୋସିଷ୍ଟମ ପ୍ରସ୍ତୁତ କରିଛୁ ତାହା ଅବଗତ କରି,  ସେମାନଙ୍କ ଆବଶ୍ୟକତା ମଧ୍ୟ ବୁଝିଥିଲୁ । ଭୁଲ୍‌ ବୁଝାମଣା ଓ ଆନ୍ତରିକତା ଅଭାବ ହିଁ ଶିଳ୍ପାୟନ ରାସ୍ତାରେ ବଡ଼ ବାଧକ  ବୋଲି ସମସ୍ତେ ଜାଣନ୍ତି, ଯେଉଁ କାରଣରୁ ଶିଳ୍ପପତି  ଓ ନିବେଶକାରୀମାନେ ପରବର୍ତ୍ତୀ କାଳରେ ପ୍ରକଳ୍ପରୁ  ଓହରି ଯାଇଥାଆନ୍ତି । ବିଭିନ୍ନ ରାଜ୍ୟ ସରକାର ନିଜ  ନିଜ ରାଜ୍ୟରେ ଶିଳ୍ପାୟନ ପାଇଁ ପ୍ରତିଯୋଗିତା କରୁଥିଲା ବେଳେ, ଆମ ରାଜ୍ୟବାସୀଙ୍କ ଶିଳ୍ପମନସ୍କତା, ରାଜ୍ୟର  ଶିଳ୍ପନୀତି, ସରକାରୀ କଳ ପକ୍ଷରୁ ଆନ୍ତରିକ ସହଯୋଗ,  ଅନୁକୂଳ ଇକୋସିଷ୍ଟମ, ସରଳ ଓ ସୁବିଧାରେ ବ୍ୟବସାୟ  ଆରମ୍ଭ କରିବାପାଇଁ ବ୍ୟବସ୍ଥା ତଥା ସ୍ଥାନୀୟ ଲୋକଙ୍କ  ଭାଗିଦାରୀ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏସବୁ ବ୍ୟବସ୍ଥା ନକରି କେବଳ ଏମ୍‌ଓୟୁ କଲେ ବିକାଶ ହୋଇପାରେନା, ଏହା  ରାଜ୍ୟବାସୀ ଅତୀତ ଅଭିଜ୍ଞତାରୁ ଜାଣନ୍ତି । ଉତ୍କର୍ଷ ଓଡ଼ିଶା  ଆୟୋଜନ କରି ଆମେ ୫ଲକ୍ଷ କୋଟି ଟଙ୍କାର ନିବେଶ  ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରିଥିଲୁ । କିନ୍ତୁ ସମାବେଶ କାଳରେ  ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟର ପ୍ରତ୍ୟେକ ଶବ୍ଦ ଓ ବାକ୍ୟରେ  ଥିବା କର୍ତ୍ତବ୍ୟନିଷ୍ଠା, ପ୍ରତିବଦ୍ଧତା, ତାଙ୍କର ଓଡ଼ିଶା ପ୍ରତି  ଶ୍ରଦ୍ଧା, ଆନ୍ତରିକତା ଏବଂ ଡବଲ ଇଞ୍ଜିନ୍‌ ସରକାର ପ୍ରତି  ଆସ୍ଥା ଓ ବିଶ୍ୱାସ ସହିତ ଏଭଳି ପରିବେଶ ସୃଷ୍ଟି କଲା,  ଯାହା ଫଳରେ ନିବେଶ ପରିମାଣ ବମିଗଲା । 

ଏସବୁ ନିବେଶ ପ୍ରତିଶ୍ରୁତି କେବଳ ଖଣିଜ ଆଧାରିତ  ଶିଳ୍ପ ନୁହେଁ, ବରଂ ଜଳଜାହାଜ ତିଆରି ଓ ମରାମତି,  ପେଟ୍ରୋ କେମିକାଲ, ଅକ୍ଷୟ ଶକ୍ତି, ସବୁଜ ଉଦଜାନ  ଇନ୍ଧନ, ସେମିକଣ୍ଡକ୍ଟର, ଖାଦ୍ୟ ପ୍ରକ୍ରିୟାକରଣ, କୃଷି  ଆଧାରିତ ଶିଳ୍ପ, ଶିଳ୍ପ ପାର୍କ ପ୍ରତିଷ୍ଠା ଭଳି ଅନେକ  ଆନୁଷଙ୍ଗିକ ଶିଳ୍ପକ୍ଷେତ୍ର ପାଇଁ ବରଦାନ । ଓଡ଼ିଶାରେ  ପ୍ରକୃତିଦତ୍ତ ଧାତବ ଖଣିଜ ଓ କୋଇଲା ଗଚ୍ଛିତ ରହିଥିବାରୁ  ଇସ୍ପାତ, ସିମେଣ୍ଟ, ଆଲୁମିନା, ସ୍ମେଲଟର, ଶକ୍ତି କ୍ଷେତ୍ରରେ  ନିବେଶ ଆସିବା ଏକ ସ୍ୱାଭାବିକ କଥା । କିନ୍ତୁ ଏକବିଂଶ  ଶତାବ୍ଦୀର ଆବଶ୍ୟକତା ପୂରଣ ପାଇଁ ଅଣପାରମ୍ପରିକ ନବସୃଜନ କ୍ଷେତ୍ରରେ ଶିଳ୍ପ ପ୍ରତିଷ୍ଠା କରିବାକୁ ଶିଳ୍ପ  ସଂସ୍ଥା ଆଗେଇ ଆସିବା ନିଶ୍ଚୟ ଉତ୍ସାହପ୍ରଦ । 

ଓଡ଼ିଶାରେ  ଉଚ୍ଚ ଗୁଣମାନର, ରପ୍ତାନିଯୋଗ୍ୟ ତଥା ମୂଲ୍ୟଯୁକ୍ତ  ଶିଳ୍ପ ସାମଗ୍ରୀ ପ୍ରସ୍ତୁତ କରୁଥିବା କଳକାରଖାନା ସ୍ଥାପିତ  ହେଲେ, ବିକଶିତ ଓଡ଼ିଶା ଓ ବିକଶିତ ଭାରତ ନିର୍ମାଣ  ହେବା ନିଶ୍ଚିତ । କିନ୍ତୁ ସବୁଠୁ ବଡ଼ କଥା ହେଲା ଯେ,  ଆମ ରାଜ୍ୟର ଯୁବବର୍ଗଙ୍କୁ ନିଯୁକ୍ତି ମିଳିବା ସହିତ, ସେମାନେ ନିଯୁକ୍ତିଦାତା ଭାବେ ରୂପାନ୍ତରିତ ହେବା ସମ୍ଭବ  ହେବ । ଆମ ରାଜ୍ୟର ରାଜକୋଷ ସମୃଦ୍ଧ ହେବା ସହିତ  ରାଜ୍ୟବାସୀଙ୍କ ପକେଟକୁ ଅଧିକ ରୋଜଗାର ଆସିବ । ଆମ ରାଜ୍ୟର ଲୋକ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ  ନଯାଇ ଓଡ଼ିଶାରେ କାମ କରିବେ । ଓଡ଼ିଶା ଶ୍ରୀଜଗନ୍ନାଥଙ୍କ  ଅପାର କରୁଣାରୁ ଆଉ ଗରିବ ହୋଇ ରହିବ ନାହିଁ, ଏହା  ମୋର ସଂକଳ୍ପ । ଆମେ ଏହି ଲକ୍ଷ୍ୟ ପୂରଣ ପାଇଁ ଉଦ୍ୟମ  କରିଚାଲିଛୁ ଏବଂ କରିବୁ ମଧ୍ୟ। 

ପୂର୍ବରୁ ଥିବା ରାଜ୍ୟ ସରକାରଙ୍କ ସମସ୍ତ ପ୍ରକାର  ଉଦ୍ୟମ ଓ କେନ୍ଦ୍ର ସହଯୋଗ ସତ୍ତେ୍ୱ ଯେତେ ସଂଖ୍ୟକ  ବୃହତ୍‌ ଶିଳ୍ପ ପ୍ରତିଷ୍ଠାକୁ ଅନୁମୋଦନ ମିଳୁଥିଲା, ସେଥିରୁ  ୨୦ ପ୍ରତିଶତ ବି ପ୍ରତିଷ୍ଠା ହୋଇପାରୁନଥିଲା  । କେଉଁଠି  ସ୍ଥାନୀୟ ଲୋକଙ୍କ ବିରୋଧ ହେଉଥିଲା ତ, ବିଭିନ୍ନ ପ୍ରକାର ଅନୁମତି ଏ କ୍ଷେତ୍ରରେ ପ୍ରମୁଖ ପ୍ରତିବନ୍ଧକ ସାଜୁଥିଲା ।  ରାଜ୍ୟରେ କିଭଳି ଅଧିକରୁ ଅଧିକ ଶିଳ୍ପ ପ୍ରତିଷ୍ଠା କରାଯାଇ  ଲୋକଙ୍କ ହାତକୁ କାମ ଯୋଗାଇ ଦିଆଯିବ ସେଥିପାଇଁ  ଏକକ ବାତାୟନ ବ୍ୟବସ୍ଥାରେ ପୁଞ୍ଜିନିବେଶକୁ ମଞ୍ଜୁରି  ପ୍ରଦାନ କରୁଛୁ ଏବଂ ଆଗକୁ ଏହାର ଗତି ବଢ଼ିବାର ସୂଚନା ଦେଇଛି ଉତ୍କର୍ଷ ଓଡ଼ିଶାରେ ଯୋଗ ଦେଇଥିବା  ନିବେଶକଙ୍କ ଆଗ୍ରହ । ଆମେ କିନ୍ତୁ ସେଗୁଡ଼ିକ ମଧ୍ୟରୁ  ଖାଦ୍ୟ ପ୍ରକ୍ରିୟାକରଣ, କୃଷିଭିତ୍ତିକ ଶିଳ୍ପ, ଅକ୍ଷୟ ଶକ୍ତି,  କାଗଜ ଉତ୍ପାଦନ, ବୟନ ଶିଳ୍ପ, ପୋଷାକ ପ୍ରସ୍ତୁତି,  ପେଟ୍ରୋ କେମିକାଲ୍‌ସ, କାଠଶିଳ୍ପ, ବିମାନ ଶିଳ୍ପ, ଔଷଧ, ପର୍ଯ୍ୟଟନ, ସିମେଣ୍ଟ ଓ ପ୍ଲାଷ୍ଟିକ ଶିଳ୍ପ ଉପରେ ଅଧିକ  ଗୁରୁତ୍ୱ ଦେବାକୁ ଯାଉଛୁ । 

ସବୁଠାରୁ ନୈରାଶ୍ୟଜନକ ସ୍ଥିତିରେ ରହିଥିବା ପର୍ଯ୍ୟଟନ କ୍ଷେତ୍ରରେ ସର୍ବାଧିକ ଲୋକଙ୍କୁ କର୍ମସଂସ୍ଥାନ  ଯୋଗାଇ ଦିଆଯାଇ ପାରିବ । ସ୍ୱୟଂ ପ୍ରଧାନମନ୍ତ୍ରୀ ମଧ୍ୟ  ଓଡ଼ିଶାର ସାମୁଦ୍ରିକ ବେଳାଭୂମି, ଜଙ୍ଗଲ, ପାହାଡ଼ ପର୍ବତ, କଳା ଓ ସଂସ୍କୃତିକୁ ଆଧାର କରି ପର୍ଯ୍ୟଟନ ବିକାଶ ପାଇଁ ଆହ୍ୱାନ ଦେଇଛନ୍ତି । ଆମେ ଏହି ଦିଗରେ ମଧ୍ୟ ଅଧିକ  ଆଗ୍ରହ ପ୍ରଦର୍ଶନ କରିବୁ । ଗୁଜରାଟରେ ଥିବା ବୟନ  ଶିଳ୍ପ କ୍ଷେତ୍ରରେ ତଥା ରତ୍ନପଥର ଶିଳ୍ପରେ ପ୍ରାୟ ସାତଲକ୍ଷ  ପ୍ରବାସୀ କୌଶଳୀ ଓଡ଼ିଆ ଶ୍ରମିକ କାମ କରୁଛନ୍ତି ।  ରତ୍ନଗର୍ଭା ଓଡ଼ିଶାର ମାଟି ତଳେ ରହିଛି ବିଭିନ୍ନ ପ୍ରକାର  ମୂଲ୍ୟବାନ ରତ୍ନପଥର । ଓଡ଼ିଶାରେ ସୂତାକଳ ଓ ଲୁଗାକଳ  ପ୍ରତିଷ୍ଠା ହେଲେ କପାଚାଷୀ ଲାଭବାନ ହେବେ । ଓଡ଼ିଆ  ପୁଅ ଓଡ଼ିଶାରେ ରହି କାମ କରିବ । ସେହିପରି ଆଖୁ ଓ  ଝୋଟ ଚାଷ ସହିତ ଚିନିକଳ ଓ ଝୋଟକଳ ପ୍ରତିଷ୍ଠାକୁ  ଆମେ ଗମ୍ଭୀରତାର ସହିତ ଗ୍ରହଣ କରିଛୁ । ଆମ ରାଜ୍ୟ  ଓ ଦେଶର ଶିଳ୍ପପତିଙ୍କ ସହଯୋଗରେ ଆଗାମୀ ଦିନରେ  ଏଭଳି ଅନେକ କୃଷି ଆଧାରିତ ଶିଳ୍ପ ଉଦ୍ୟୋଗ ସ୍ଥାପନ  କରିବାକୁ ଆମେ ସଂକଳ୍ପ ନେଇଛୁ । ରାଜ୍ୟବାସୀଙ୍କ  ନିରନ୍ତର ସହଯୋଗ ପାଇଲେ, ଏକ ସମତୁଲ ଶିଳ୍ପ  ବିକାଶର ନୀଳନକ୍ସା କାର୍ଯ୍ୟକାରୀ ହୋଇପାରିବ । ଏହି  ଅବସରରେ, ମୁଁ ନିମନ୍ତ୍ରିତ ଅତିଥି, ଗଣମାଧ୍ୟମ, ଯୁବ  ଉଦ୍ୟୋଗୀ ଓ ଶିଳ୍ପ ସଙ୍ଗଠନ ପ୍ରତିନିଧିମାନଙ୍କୁ ସହଯୋଗ  ପାଇଁ ଧନ୍ୟବାଦ ଦେଉଛି । ବନ୍ଦେ ଉତ୍କଳ ଜନନୀ ।