ପ୍ରମୂଖ ଖବର
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ରବିବାର ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ, ୧୨ ଜିଲ୍ଲାକୁ କରାଗଲା ସତର୍କ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

Muzaffarnagar: ଉତ୍ତରପ୍ରଦେଶର ଚାଞ୍ଚଲ୍ୟ; ଜୋରଜବରଦସ୍ତ ମହିଳାଙ୍କ ହିଜାବ ଖୋଲିବା ସହ ହିନ୍ଦୁ ଯୁବକଙ୍କୁ ମାଡ଼, ୬ ଗିରଫ

Published By : Bijay Swain | April 14, 2025 5:36 PM

Image courtesy: indiatoday

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମୁଜାଫରନଗର ଜିଲ୍ଲାର ଖାଲାପାର ଅଞ୍ଚଳରେ ଏକ ଅତ୍ୟନ୍ତ ନିନ୍ଦନୀୟ ଘଟଣା ଘଟିଛି। ଏକ ୨୦ ବର୍ଷୀୟା ମୁସଲମାନ ମହିଳାଙ୍କ ହିଜାବ ଜବରଦସ୍ତୀ ଖୋଲାଯାଇଥିବା ଅଭିଯୋଗ ହୋଇଛି। କେବଳ ଏତିକି ନୁହେଁ ତାଙ୍କ ସହ ଥିବା ଜଣେ ହିନ୍ଦୁ ଯୁବକଙ୍କୁ ଏକ ଦଳ ଦ୍ଵାରା ମାଡ଼ମାରା କରାଯାଇଛି। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ସୂଚନା ମୁତାବକ, ଏପ୍ରିଲ ୧୨ ତାରିଖ ଅପରାହ୍ନ ୪ ରୁ ୪:୩୦ ମଧ୍ୟରେ ଫରହିନ ନାମକ ଜଣେ ମହିଳା ଏବଂ ସଚିନ ନାମକ ଜଣେ ଯୁବକ ସାଙ୍ଗ ହୋଇ ମୋଟରସାଇକେଲ ଯୋଗେ କାମରେ ଯାଇଥିଲେ। ଉଭୟେ ଉତ୍କର୍ଷ ସ୍ମଲ ଫାଇନାନ୍ସ ବ୍ୟାଙ୍କରେ କାର୍ଯ୍ୟ କରନ୍ତି। ଏଣୁ ସେମାନେ ସୁଜଡୁ ଗାଁରୁ ଋଣର କିସ୍ତି ସଂଗ୍ରହ କରିବା ପାଇଁ ଯାଇଥିଲେ। ତେବେ କିସ୍ତି ସଂଗ୍ରହ କରି ଫେରୁଥିବା ବେଳେ ଖାଲାପାରର ଦରଜୀ ଓ୍ଵାଲି ଗଳିରେ ୮-୧୦ ଜଣ ବିଶିଷ୍ଟ ଏକ ଦଳ ସେମାନଙ୍କୁ ରାସ୍ତାରେ ଅଟକାଇଥିଲେ। ଏହି ଦଳ ଫରହିନଙ୍କ ହିଜାବ ଖୋଲିବା ସହ ତାଙ୍କୁ ଏବଂ ସଚିନଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ ମଧ୍ୟ କରିଥିଲେ। ଏହି ଘଟଣାକୁ କେହି ଜଣେ ମୋବାଇଲରେ ରେକର୍ଡ କରିଥିଲେ, ଯାହା ପରେ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥିଲା।

ଫରହିନଙ୍କ ଅଭିଯୋଗ ଆଧାରରେ ପୋଲିସ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଧାରାରେ ଏକ ଏଫଆଇଆର ରୁଜୁ କରିଛି। ପୋଲିସ ସରତାଜ, ଶୋଏବ, ଉମର, ଶାଦାବ, ଶାମୀ ଏବଂ ଆର୍ଶ ନାମକ ୬ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଛି। ମୁଜାଫରନଗର ସିଟି ଡିଏସପି ରାଜୁ କୁମାର କହିଛନ୍ତି, "ଭିଡିଓରୁ ଅନ୍ୟ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଉଛି ଏବଂ ଆଗକୁ ଆହୁରି ଅନେକଙ୍କୁ ଗିରଫ କରାଯିବ। ସମସ୍ତଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।"

ଏହି ଘଟଣା ପରେ ମୁଜାଫରନଗରରେ ସାମ୍ପ୍ରଦାୟିକ ହିଂସା ସଂଗଠିତ ହେବାନେଇ ଚିନ୍ତା ବଢ଼ାଇଛି। ତେବେ ପୋଲିସ ଶାନ୍ତି ବଜାୟ ରଖିବା ପାଇଁ ସମସ୍ତ ପ୍ରକାରର ପଦକ୍ଷେପ ନେଉଥିବା କହିଛି। ଏହାସହ ଜନସାଧାରଣଙ୍କୁ ଭିଡିଓକୁ ଆଗକୁ ପ୍ରଚାର ନ କରିବାକୁ ଅନୁରୋଧ କରିଛି। କାରଣ ଏହାଦ୍ୱାରା ପୀଡ଼ିତାଙ୍କ ଗୋପନୀୟତା ପ୍ରଭାବିତ ହୋଇପାରେ ବୋଲି ପୋଲିସ କହିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.