ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ଚମୋଲୀରେ ହୋଇ ଥିବା ହିମସ୍ଖଳନର ତିନି ଦିନ ପରେ ଏବେ ବି ଜଣେ ଶ୍ରମିକ ଅନେକ ଫୁଟ ବରଫର ତଳେ ଚାପି ହୋଇ ରହିଛନ୍ତି। ରବିବାର ସକାଳେ ସନ୍ଧାନୀ କୁକୁର ଓ ହେଲିକପ୍ଟରଙ୍କ ସାହାଯ୍ୟରେ ଆରମ୍ଭ ହୋଇଥିବା ରେସ୍କ୍ୟୁ ଅପରେସନରେ ତିନି ଜଣ ଲୋକଙ୍କ ଶବକୁ ଖୋଜି ବାହାର କରାଯାଇଛି। ଆଉ ଜଣଙ୍କର ତଲାସୀ ଜାରି ରହିଛି। ଏହା ସହ ଏହି ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୬ ହୋଇ ଯାଇଛି। ବଦ୍ରିନାଥ ପାଖରେ ମାଣା ଗାଁରେ ଶୁକ୍ରବାର ହିମସ୍ଖଳନ ଆସିବା ଯୋଗୁଁ ପାଖାପାଖି ୫୪ ଶ୍ରମିକ ବରଫ ତଳେ ଚାପି ହୋଇ ଯାଇ ଥିଲେ। ଆଉ ଜଣେ ଶ୍ରମିକ ପୂର୍ବରୁ ହିଁ ଘରକୁ ଯାଇ ସାରିଥିଲେ , ଯେଉଁଥି ପାଇଁ ସେ ହିମସ୍ଖଳନର ପ୍ରଭାବରେ ଆସିବାରୁ ରକ୍ଷା ପାଇଯାଇ ଥିଲେ।
ଏପଟେ , ଶନିବାର ସୁଦ୍ଧା ମୋଟ ୫୦ ଜଣ ଶ୍ରମିକଙ୍କୁ ସୁରକ୍ଷିତ ବାହାରକୁ ଅଣାଯାଇ ଥିଲା , ଯେଉଁଥିରେ ୪ ଜଣଙ୍କ ଚିକିତ୍ସା ବେଳେ ମୃତ୍ୟୁ ହୋଇଛି। ଆଜି ଅନ୍ୟ ଦୁଇ ଜଣ ଲୋକଙ୍କ ଶହ ଉଦ୍ଧାର ହେବା ପରେ ମୃତକଙ୍କ ସଂଖ୍ୟା ମୋଟ ୬ ହୋଇ ଯାଇଛି , ଅନ୍ୟ ଦୁଇ ଜଣ ଲୋକଙ୍କ ତଲାସ ଜାରି ରହିଛି।
ସୂଚନା ଆଧାରରେ , ଭାରତୀୟ ବାୟୁ ସେନାର Mi-17 , ଚିତା ହେଲିକପ୍ଟର ଉଦ୍ଧାର କାର୍ଯ୍ୟ ପାଇଁ ମୁତୟନ କରାଯାଇଛି। ଭାରତୀୟ ବାୟୁ ସେନାର ଅଧିକାରୀଙ୍କ ଅନୁସାରେ , ଏକ Mi-17 ହେଲିକପ୍ଟର ରବିବାର ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ହିମସ୍ଖଳନ ପ୍ରଭାବିତ କ୍ଷେତ୍ରରେ ତଲାସୀ ଅଭିଯାନ ପାଇଁ ଡ୍ରୋନ୍-ଆଧାରିତ ଇଣ୍ଟେଲିଜେଣ୍ଟ ବରିଡ ଅବଜେକ୍ଟ ଡିଟେକ୍ସନ ସିଷ୍ଟମକୁ ଏୟାରଲିଫ୍ଟ କରିବାକୁ ପ୍ରସ୍ତୁତ। ସେଠାରେ ଯୋଶୀମଠରେ ଡିଏମ୍ ଚମୋଲୀ ସନ୍ଦୀପ ତିୱାରୀ କହିଛନ୍ତି , ଉଦ୍ଧାର କାର୍ଯ୍ୟ ଆଜି ସକାଳ ୭ଟାରେ ଆରମ୍ଭ ହୋଇ ଯାଇ ଥିଲା। ଆଜିର ପାଗ ସଫା ରହିଛି। ସେନା ଓ ବାୟୁସେନାର ୭ଟି ହେଲିକପ୍ଟର ଉଦ୍ଧାର ଅଭିଯାନରେ ଲାଗିଛନ୍ତି। ଆମେ ସର୍ଚ୍ଚ ଓ ରେସ୍କର ଅଭିଯାନ ପାଇଁ ମାଣାରେ ଥର୍ମଲ ଇମେଜିଂ କ୍ୟାମେରା , ଏନଡିଆରଏଫ୍ର ସ୍ନିଫର ଡଗ୍କୁ ପଠାଇଛୁ। ନିଖୋଜ ଲୋକ ଖୁବ୍ ଶୀଘ୍ର ଆମକୁ ମିଳିବେ।
ଏପଟେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ରରେ ପହଞ୍ଚି ମାଣାରେ ଜାରି ଉଦ୍ଧାର କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି ଏବଂ ଅଧିକାରୀଙ୍କୁ ହିମସ୍ଖଳନର ପ୍ରଭାବିତ ବିଦ୍ୟୁତ୍ , ସଞ୍ଚାର ତଥା ଅନ୍ୟ ସୁବିଧା ଗୁଡ଼ିକୁ ଖୁବ୍ ଶୀଘ୍ର ସୁଧାରିବାକୁ ନିର୍ଦ୍ଦେଶ ଦେଇଛନ୍ତି।