ନୂଆଦିଲ୍ଲୀ,୦୫/୦୮: ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାର ଧରାଳିରେ ବାଦଲଫଟା ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ଥିବା ଗାଁଗୁଡ଼ିକ ହଠାତ୍ ବନ୍ୟାରେ ପ୍ରଭାବିତ ହୋଇଛି ଏବଂ ପ୍ରବଳ ପାଣିରେ ଅନେକ ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ଅନେକ ଘର ଭାସିଯାଇଛି। ହର୍ଷିଲରେ ଥିବା ସେନା ଶିବିର ମଧ୍ୟ ଏହି ବିଶେଷ ଭାବେ ପ୍ରବାବିତ ହୋଇଛି। ଯାହାଫଳରେ ୮-୧୦ ଜଣ ସେନା କର୍ମଚାରୀ ନିଖୋଜ ଥିବା ଜଣାପଡ଼ିଛି। ମଙ୍ଗଳବାର ଉତ୍ତରକାଶୀର ହର୍ଷିଲ ନିକଟ ଧରାଳି ଗାଁ ନିକଟରେ ବାଦଲଫଟା ବର୍ଷା ହେବା ପରେ ଏକ ଧ୍ୱଂସର ଦୃଶ୍ୟ ସୃଷ୍ଟି ହୋଇଥିଲା।
ସମ୍ବାଦ ସରବରାହ ସଂସ୍ଥା ଏଏନ୍ଆଇର ଏକ ରିପୋର୍ଟ ଅନୁଯାୟୀ, ଜଣେ ଭାରତୀୟ ସେନା ଅଧିକାରୀ କହିଛନ୍ତି, "ତଳିଆ ହର୍ଷିଲ ଅଞ୍ଚଳର ଏକ ଶିବିରରୁ ୮-୧୦ ଜଣ ଭାରତୀୟ ସେନା ସୈନିକ ନିଖୋଜ ହୋଇଥିବା ରିପୋର୍ଟ ହୋଇଛି। ଏହି ଘଟଣାରେ ନିଜ ଲୋକଙ୍କ ନିଖୋଜ ହେବା ସତ୍ତ୍ୱେ, ଭାରତୀୟ ସେନା ସୈନିକମାନେ ରିଲିଫ୍ କାର୍ଯ୍ୟରେ ନିୟୋଜିତ ଅଛନ୍ତି।"
ଭାରତୀୟ ସେନା ସହିତ, ଆଇଟିବିପି, ଏସ୍ଡିଆର୍ଏଫ୍ ସମେତ ଅନେକ ବିଭିନ୍ନ ରିଲିଫ୍ ଏବଂ ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଏହାରିଭିତରେ ଭାରତୀୟ ବାୟୁସେନା ମଧ୍ୟ ଧରାଲିରେ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତ ଥିବା ଖବର ଆସିଛି। ମେଘ ହଟିବା ମାତ୍ରେ, ଭାରତୀୟ ବାୟୁସେନାର କର୍ମଚାରୀ ଚିନୁକ୍ MI-17, ଚିତା ଏବଂ ALH ହେଲିକପ୍ଟର ଧରାଲି ଅଭିମୁଖେ ଯାତ୍ରା କରିବେ। ଭାରତୀୟ ବାୟୁସେନାର ଅଧିକାରୀମାନେ କହିଛନ୍ତି ଯେ ବାୟୁସେନାର କର୍ମଚାରୀ ଏବଂ ହେଲିକପ୍ଟର ଆବଶ୍ୟକୀୟ ସାମଗ୍ରୀ ଏବଂ ଉପକରଣ ସହିତ ଧରାଲି ଅଭିମୁଖେ ଯାତ୍ରା କରିବାକୁ ପ୍ରସ୍ତୁତ ଅଛନ୍ତି। ପାଗ ସଫା ହେବା ମାତ୍ରେ ସେମାନେ ଚଣ୍ଡିଗଡ଼ ଏୟାରବେସ୍ରୁ ଉତ୍ତରାଖଣ୍ଡ ଅଭିମୁଖେ ଯାତ୍ରା କରିବେ।
ଏହି ଭୟଙ୍କର ବିପର୍ଯ୍ୟୟର ଗମ୍ଭୀରତାକୁ ବିଚାର କରି, ତୁରନ୍ତ ଧରାଲି ଅଞ୍ଚଳକୁ ଡାକ୍ତରଙ୍କ ଏକ ସ୍ୱତନ୍ତ୍ର ଦଳ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଦଳରେ ସର୍ଜନ, ଆନେସ୍ଥେଟିକ, ଡାକ୍ତର ଏବଂ ଅର୍ଥୋପେଡିକ୍ ସର୍ଜନ ରହିଛନ୍ତି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଅଗଷ୍ଟ ୪ ରେ ଉତ୍ତରାଖଣ୍ଡର ଅନେକ ଅଞ୍ଚଳ ପାଇଁ ଏକ ସତର୍କ ସୂଚନା ଜାରି କରିଥିଲା। ଆଇଏମ୍ଡି ଉତ୍ତରକାଶୀ, ପାଉରି ଗଡ଼ୱାଲ, ତେହରି ଏବଂ ଚାମୋଲି ସମେତ ଉତ୍ତରାଖଣ୍ଡର କିଛି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ଚେତାବନୀ ଜାରି କରିଥିଲା।