ନୂଆଦିଲ୍ଲୀ,୬/୯ :  ଉତ୍ତରକାଶୀ ଜନପଦର ନାଉଗାଁଓରେ ବାଦଲ ଫାଟିବାରୁ ଭାରି କ୍ଷତି ହୋଇଛି । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଏହି ଘଟଣା ଉପରେ ନଜର ରଖିଛନ୍ତି । ସିଏମ ପୁଷ୍କର ସିଂହ ଧାମୀ ଜିଲ୍ଲାଧୀକାରୀଙ୍କୁ ଉଦ୍ଧାର କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲା ପ୍ରଶାସନ, ଏସଡିଆରଏଫ ଏବଂ ଏନଡିଆରଏଫର ଦଳ ପ୍ରଭାବିତ ଅଞ୍ଚଳ ଲାଗି ବାହାରି ପଡ଼ିଛନ୍ତି ।

ଏହା ବ୍ୟତୀତ ସିଏମ୍ ପୁଷ୍କର ସିଂହ ଧାମୀ ପ୍ରଭାବିତ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ତୁରନ୍ତ ପହଞ୍ଚାଇବାକୁ ତଥା ଯଥା ସମ୍ଭବ ସାହାଯ୍ୟରେ କୌଣସି ବି ପ୍ରକାର ଯେପରି ବିଳମ୍ବ ନ ହେବ ଏହା ସୁନିଶ୍ଚିତ କରିବା ଲାଗି ବି ସ୍ପଷ୍ଟ ରୂପରେ ନିର୍ଦ୍ଦେଶ କରାଯାଇଛି । ସିଏମ୍ ଧାମୀ ଇଶ୍ବରଙ୍କ ନିକଟରେ ସମସ୍ତଙ୍କ କୁଶଳ ହେଉ ବୋଲି ପ୍ରାର୍ଥନା କରିଛନ୍ତି । ସେହିଭଳି ଉତ୍ତରାଖଣ୍ଡର ଚମୋଲୀ ଜିଲ୍ଲାର ଗୋପେଶ୍ବର ମୁଖ୍ୟାଳୟର ସମୀପ ବ୍ରହ୍ମାସୈନ ଅଞ୍ଚଳରେ ବାରମ୍ବାର ହେଉଥିବା ଭୂସ୍ଖଳନ ସ୍ଥାନୀୟ ଅଞ୍ଚଳବାସୀଙ୍କ ଲାଗି ବିପଦ ଉପଜାଇ ଦେଇଛି । ଭାରୀ ବର୍ଷା କାରଣରୁ ପ୍ରାୟ ଦେଢ ଶହ ମିଟର ଲମ୍ବା ରାସ୍ତା ସମ୍ପୂର୍ଣ୍ଣ ଭାବେ ଧ୍ବଂସ ହୋଇଯାଇଛି । ଫଳରେ ଆଖପାଖର ଆବାସିକ ଘରେ ବିପଦ ପଡ଼ିଯାଇଛି । ପ୍ରଭାବିତ ଅଞ୍ଚଳରେ ରହୁଥିବା ଲୋକଙ୍କ ମଧ୍ୟରେ ଭୟର ମାହୋଲ ରହିଥିବାବେଳେ କେତେକ ପରିବାର ନିଜ ସୁରକ୍ଷାକୁ ନେଇ ଚିନ୍ତିତ ଅଛନ୍ତି ।

ଜିଲ୍ଲାଧିକାରୀ ସନ୍ଦୀପ ତିଓ୍ବାରୀ କହିଛନ୍ତି କି ଜନପଦରେ ବାରମ୍ବାର ହେଉଥିବା ଭୂସ୍ଖଳନ କାରଣରୁ କେତେକ ଅଞ୍ଚଳ ପ୍ରଭାବିତ ହୋଇଛି । ଏହି ପ୍ରାକୃତିକ ବିପଦ ଫଳରେ ହୋଇଥିବା କ୍ଷତିର ଆକଳନ କରିବା ଲାଗି ପ୍ରଶାସନ ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କୁ ପଠାଇଛି । ସେ ଆହୁରି ମଧ୍ୟ କହିଛନ୍ତି କି, ଆମେ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳର ପୂରା ସୂଚନା ଦେଇଛୁ । ଭାରତ ସରକାରଙ୍କ ଦ୍ବାରା ଗଠିତ ଏକ ବିଶେଷଜ୍ଞ ଟିମ୍ ଖୁବଶୀଘ୍ର ଚମୋଲୀରେ ପହଞ୍ଚି ପ୍ରଭାବିତ ଅଞ୍ଚଳରେ ନିରୀକ୍ଷଣ କରିବେ ଏବଂ କ୍ଷତିର ଆକଳନ କରିବେ ।

ଜିଲ୍ଲାଧିକାରୀ ଆହୁରି ମଧ୍ୟ କହିଛନ୍ତି କି, ପ୍ରଶାସନ ସ୍ଥିତି ଉପରେ ନଜର ରଖିଛି ଏବଂ ପ୍ରଭାବିତ ଲୋକଙ୍କୁ ଯଥା ସମ୍ଭବ ସହାୟତା ପ୍ରଦାନ କରାଯାଉଛି । ଆମର ପ୍ରାଥମିକତା ଲୋକଙ୍କ ସୁରକ୍ଷା ଅଟେ । ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇ ସରିଛି । ଭାରତ ସରକାରଙ୍କ ଏକ ଟିମର ଗସ୍ତ ପ​‌ରେ କ୍ଷୟକ୍ଷତିର ସଠିକ୍ ଆକଳନ ହେବ । ଯାହାର ଆଧାରରେ ପୁନର୍ବାସ ଏବଂ ମରାମତି କାର୍ଯ୍ୟ ଆରମ୍ଭ କରାଯିବ ।