ବିଗତ ୧୦ ବର୍ଷ ମଧ୍ୟରେ ଭାରତ ସ୍ୱାସ୍ଥ୍ୟସେବାରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ସ୍ୱଦେଶୀ ବିକଶିତ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ନିର୍ଭର କରିଆସିଛି । ୨୦୧୪ରେ ଶୁଭାରମ୍ଭ ହୋଇଥିବା ଇଲେକ୍ଟ୍ରୋନିକ୍ ଭ୍ୟାକ୍ସିନ ଇଣ୍ଟେଲିଜେନ୍ସ ନେଟୱାର୍କ (ଇ-ୱିନ୍) ଟିକା ସଂଗ୍ରହ, ସଂରକ୍ଷଣ ଏବଂ ଶେଷ ମାଇଲ୍ ପର୍ଯ୍ୟନ୍ତ ବିତରଣର ଶୈଳୀକୁ ବଦଳାଇ ଦେଇଛି ।

ପ୍ରାଣଘାତୀ ମହାମାରୀ ବସନ୍ତ ବିରୋଧରେ ପ୍ରଥମ ଟିକା ଦିଆଯିବା ପରଠାରୁ ରୋଗ ପ୍ରତିରୋଧ ପାଇଁ ଟିକାକରଣର ଭୂମିକା ୧୭୯୬ ମସିହାରୁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଆସୁଛି । ବିଗତ ୫୦ ବର୍ଷ ମଧ୍ୟରେ ଟିକାକରଣ ସମଗ୍ର ବିଶ୍ୱରେ ୧୫ କୋଟିରୁ ଅଧିକ ଲୋକଙ୍କ ଜୀବନ ବଞ୍ଚାଇଛି, ଯାହାକି ପ୍ରତିବର୍ଷ ପ୍ରତି ମିନିଟରେ ୬ ଜଣଙ୍କ ଜୀବନ ବଞ୍ଚାଇବା ସହ ସମାନ ।
ଜୀବନ ରକ୍ଷା ହେଉଛି ଭାରତର ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମ (ୟୁଆଇପି)ର ଏକ ପ୍ରମୁଖ ଅଭିଯାନ । ୟୁଆଇପି ଅଧୀନରେ ପ୍ରତିବର୍ଷ ୨.୬ କୋଟିରୁ ଅଧିକ ନବଜାତ ଶିଶୁଙ୍କୁ ମିଳିମିଳା, ଡିପଥେରିଆ, ପୋଲିଓ ଆଦି ୧୨ଟି ପ୍ରତିଷେଧକ ରୋଗ ପ୍ରତିଷେଧକ ଟିକା ଦିଆଯାଏ । ଏହି ରୋଗଗୁଡ଼ିକ ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ କିମ୍ବା ଶିଶୁର ସ୍ୱାସ୍ଥ୍ୟ ଏବଂ ଜୀବନର ଗୁଣବତ୍ତାକୁ ଗୁରୁତର ଭାବରେ ପ୍ରଭାବିତ କରିପାରେ ।
ଯଦିଓ ଏହି କାର୍ଯ୍ୟକ୍ରମ ୧୯୮୫ ମସିହାରେ ଆରମ୍ଭ ହୋଇଥିଲା, କିନ୍ତୁ ଗତ ୧୦ ବର୍ଷ ମଧ୍ୟରେ ଏହା ଅଧିକ ଦ୍ରୁତ ଗତିରେ ବିସ୍ତାରିତ ହୋଇଛି । ଭାରତ ସରକାରଙ୍କ "ମିଶନ ଇନ୍ଦ୍ରଧନୁଷ’ ଭଳି ବ୍ୟାପକ ଅଭିଯାନ ଫଳରେ ଟିକାକରଣକୁ ୯୦%ରୁ ଅଧିକକୁ ବୃଦ୍ଧି କରାଯାଇଛି। ତଥାପି ଶତ ପ୍ରତିଶତ ଟିକାକରଣ ଲକ୍ଷ୍ୟ ହାସଲ ପଥରେ ଅନେକ ଆହ୍ୱାନ ରହିଛି । କେତେକ ଅଞ୍ଚଳ ଓ ସମ୍ପ୍ରଦାୟ ମଧ୍ୟରେ ଦ୍ୱନ୍ଦ୍ୱ ଠାରୁ ଆରମ୍ଭ କରି ବିସ୍ଥାପନ ଯୋଗୁଁ ଅଧାରୁ ପାଠ ଛାଡ଼ିବା ପର୍ଯ୍ୟନ୍ତ ଅନେକ କାରଣ ରହିଛି³ ଯେଉଁଥିପାଇଁ କିଛି ପିଲାଙ୍କୁ ଆଂଶିକ କିମ୍ବା ଆଦୌ ଟିକା ଦିଆଯାଉନାହିଁ ।
ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦର୍ଶୀ ନେତୃତ୍ୱରେ ଭାରତ ସରକାର ଶିଶୁ ଓ ମହିଳାଙ୍କ ସ୍ୱାସ୍ଥ୍ୟ ଏବଂ ପୋଷଣକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଛନ୍ତି ତଥା ପ୍ରତ୍ୟେକ ଶିଶୁ ଓ ଗର୍ଭବତୀ ମହିଳାଙ୍କ ଟିକାକରଣ ଅଭିଯାନ ପ୍ରତି ନିଜର ଦୃଢ଼ ପ୍ରତିବଦ୍ଧତା ଦୋହରାଇଛନ୍ତି । ଏହି ଲକ୍ଷ୍ୟ ହାସଲ କରିବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ୟୁ-ୱିନ୍ (ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମ-ୱିନ୍) ନାମକ ଏକ ବୈଷୟିକ ସମାଧାନର ପରିକଳ୍ପନା କରିଛି ।
ୟୁ-ୱିନ୍ ହେଉଛି ଏକ ଡିଜିଟାଲ ପ୍ଲାଟଫର୍ମ ଯାହା ସମଗ୍ର ଭାରତରେ ସମସ୍ତ ଗର୍ଭବତୀ ମହିଳା ଓ ଶିଶୁଙ୍କ ଟିକାକରଣ ସ୍ଥିତିକୁ ଇଲେକ୍ଟ୍ରୋନିକ ଭାବରେ ପଞ୍ଜୀକରଣ ଏବଂ ତଦାରଖ କରେ । ୟୁ-ୱିନ୍ ମୂଳତଃ ଏକ ନାମଭିତ୍ତିକ ରେଜିଷ୍ଟ୍ରି, ଯାହା "ଯେକୌଣସି ସ୍ଥାନରେ, ଯେକୌଣସି ସମୟରେ' ଟିକାକରଣ ପାଇଁ ସୁବିଧା ପ୍ରଦାନ କରେ । ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହୋଇଥିବା ଏହି ପ୍ଲାଟଫର୍ମରେ ଟିକାକରଣ ପ୍ରକ୍ରିୟାକୁ ସରଳ କରିବା ପାଇଁ ଅନେକ ଫିଚର ରହିଛି । ଗର୍ଭବତୀ ମହିଳାମାନେ ୟୁ-ୱିନ୍ ଆପ୍ ବା ପୋର୍ଟାଲ ମାଧ୍ୟମରେ ନିଜକୁ ପଞ୍ଜୀକରଣ କରିପାରିବେ କିମ୍ବା ପଞ୍ଜୀକରଣ ପାଇଁ ନିକଟସ୍ଥ ଟିକାକରଣ କେନ୍ଦ୍ରକୁ ଯାଇପାରିବେ ।
ପଞ୍ଜୀକୃତ ହେବା ପରେ ସ୍ୱାସ୍ଥ୍ୟ ସହାୟକମାନେ ଗର୍ଭବତୀ ମହିଳାଙ୍କ ପାଇଁ ଜରୁରୀ ଟିକାକରଣକୁ ନିରୀକ୍ଷଣ କରିପାରିବେ, ପ୍ରସବ ଫଳାଫଳ ରେକର୍ଡ କରିପାରିବେ, ନବଜାତ ଶିଶୁଙ୍କର ପଞ୍ଜୀକରଣ କରିପାରିବେ ଯାହାଦ୍ୱାରା ସେମାନଙ୍କ ଟିକାକରଣ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ ହୋଇପାରିବ । କାର୍ଯ୍ୟକ୍ରମ ପରିଚାଳକମାନେ ଶିଶୁର ବୟସ ୧୬ ବର୍ଷ ହେବା ପର୍ଯ୍ୟନ୍ତ ଏହି ଟିକାକରଣ କାର୍ଯ୍ୟକ୍ରମକୁ ଅନୁଧ୍ୟାନ କରିପାରିବେ ।
ୟୁ-ୱିନ୍ ପିତାମାତା ଏବଂ ଅଭିଭାବକଙ୍କୁ ଅନେକ ସୁବିଧା ପ୍ରଦାନ କରିଥାଏ, ଯାହାଦ୍ୱାରା ସେମାନେ ଦେଶର ଯେକୌଣସି ସ୍ଥାନରେ ଟିକାକରଣ ସେବା ପାଇପାରିବେ ଏବଂ ଗୋଟିଏ ବଟନ୍ କ୍ଲିକ୍ କରି ସେମାନଙ୍କ ପିଲାମାନଙ୍କୁ ସୁରକ୍ଷିତ ରଖିପାରିବେ । ଏହି ପ୍ଲାଟଫର୍ମରେ ଟିକାକରଣ ପାଇଁ ଆଗୁଆ ପଞ୍ଜିକରଣ ସୁବିଧା ମଧ୍ୟ ଉପଲବ୍ଧ, ଯାହା ପ୍ରବାସୀ ଶ୍ରମିକଙ୍କ ପାଇଁ ବିଶେଷ ଉପଯୋଗୀ ହୋଇଥାଏ ।
ୟୁ-ୱିନ୍ ୧୧ଟି ଭାଷାରେ ଉପଲବ୍ଧ, ଯାହା ପ୍ଲାଟଫର୍ମର ପ୍ରସାରକୁ ଅଧିକ ବ୍ୟାପକ କରିଥାଏ । ରେକର୍ଡଗୁଡିକର ଡିଜିଟାଲକରଣ ହେଉଛି ଏହାର ଅନ୍ୟ ଏକ ପ୍ରମୁଖ ବୈଶିଷ୍ଟ୍ୟ । ପ୍ରତ୍ୟେକ ଥର ପ୍ରମାଣିତ ହୋଇଥିବା ହିତାଧିକାରୀ ଟିକା ନେଲେ ଠିକ୍ ସେହି ସମୟରେ ଡିଜିଟାଲ ଟିକାକରଣର ରେକର୍ଡ ସୃଷ୍ଟି ହୋଇଥାଏ । ହିତାଧିକାରୀମାନେ ଏକ ଡିଜିଟାଲ ସ୍ୱୀକୃତି ଏବଂ ଏକ କ୍ୟୁଆର୍ ଆଧାରିତ ସାର୍ଟିଫିକେଟ୍ ମଧ୍ୟ ପାଇଥାନ୍ତି, ଯାହାକୁ ଡାଉନଲୋଡ୍ କରି ମୋବାଇଲ୍ ଡିଭାଇସ୍ରେ ଷ୍ଟୋର୍ କରାଯାଇପାରିବ । ଏହା ବିଶେଷକରି ବିଦ୍ୟାଳୟ ନାମଲେଖା ଏବଂ ଯାତ୍ରା ପାଇଁ ଉପଯୋଗୀ ହୋଇଥାଏ ।
ଏହା ବ୍ୟତୀତ, ୟୁ-ୱିନ୍ ପ୍ଲାଟଫର୍ମ ପରବର୍ତ୍ତୀ ଟିକାକରଣ ଡୋଜ୍ ପାଇଁ ଏସଏମଏସ ମାଧ୍ୟମରେ ସୂଚନା ଏବଂ ଆଲର୍ଟ ପଠାଇଥାଏ, ଯାହାକୁ ଦେଖି ଅଭିଭାବକ ଏବଂ ସ୍ୱାସ୍ଥ୍ୟକର୍ମୀମାନେ ଟିକା ଡୋଜ୍ ମଧ୍ୟରେ ନିର୍ଦ୍ଧାରିତ ସର୍ବନିମ୍ନ ବ୍ୟବଧାନକୁ ପାଳନ କରନ୍ତି । ୟୁ-ୱିନ୍ ଏକ ଇଣ୍ଟିଗ୍ରେଟର ଭାବରେ କାର୍ଯ୍ୟ କରେ ଯାହା ପିତାମାତା/ଅଭିଭାବକ, ଡାକ୍ତର, ସ୍ୱାସ୍ଥ୍ୟ କର୍ମଚାରୀ ଏବଂ ବ୍ୟାପକ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ଗୋଟିଏ ପ୍ଲାଟଫର୍ମରେ ଏକତ୍ରିତ କରେ ।
ୟୁ-ୱିନ୍ ଜରିଆରେ ସମଗ୍ର ଦେଶରେ ଟିକାକରଣର ଅଗ୍ରଗତି ଓ ପ୍ରସାରକୁ ପ୍ରଭାବଶାଳୀ ଢଙ୍ଗରେ ସହଜରେ ତଦାରଖ କରାଯାଇପାରିବ । ୟୁ-ୱିନ୍ର ହିତାଧିକାରୀମାନେ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଆକାଉଣ୍ଟ (ଏଭିଏଏ) ଏବଂ ଶିଶୁ ଆଭା ଆଇଡି ତିଆରି କରିପାରିବେ । ଏହା ଦ୍ୱାରା ରୋଗୀର ଡାକ୍ତରୀ ସୂଚନା ସେମାନଙ୍କ ଆଗୁଆ ସହମତି ସହ ଚିକିତ୍ସା ପେସାଦାରମାନଙ୍କୁ ଯୋଗାଇ ଦିଆଯାଇପାରିବ । ଏହା ରୋଗୀର ପ୍ରାକ୍-ଡାକ୍ତରୀ ବିବରଣୀକୁ ଗୋଟିଏ ଦୃଷ୍ଟିରେ ବୁଝିବା ଦ୍ୱାରା ଚିକିତ୍ସା ଫଳାଫଳରେ ଉନ୍ନତି ଆଣିପାରିବ । ୟୁ-ୱିନ୍ ମଧ୍ୟ ଏଏନଏମ ଓ ଆଶା କର୍ମୀମାନଙ୍କୁ ଟିକାକରଣର ଉପଯୁକ୍ତ ତାଲିକା ପ୍ରସ୍ତୁତ କରିବାରେ ସାହାଯ୍ୟ କରେ ଏବଂ ହିତାଧିକାରୀଙ୍କୁ ଠିକ୍ ସମୟରେ ଟିକାକରଣ ସୁନିଶ୍ଚିତ କରିବା ପାଇଁ ସେମାନଙ୍କ ପ୍ରୟାସକୁ ସମର୍ଥନ କରେ ।
ବିଗତ ୧୦ ବର୍ଷ ମଧ୍ୟରେ ଭାରତ ସ୍ୱାସ୍ଥ୍ୟସେବାରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ସ୍ୱଦେଶୀ ବିକଶିତ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ନିର୍ଭର କରିଆସିଛି । ୨୦୧୪ରେ ଶୁଭାରମ୍ଭ ହୋଇଥିବା ଇଲେକ୍ଟ୍ରୋନିକ୍ ଭ୍ୟାକ୍ସିନ ଇଣ୍ଟେଲିଜେନ୍ସ ନେଟୱାର୍କ (ଇ-ୱିନ୍) ଟିକା ସଂଗ୍ରହ, ସଂରକ୍ଷଣ ଏବଂ ଶେଷ ମାଇଲ୍ ପର୍ଯ୍ୟନ୍ତ ବିତରଣର ଶୈଳୀକୁ ବଦଳାଇ ଦେଇଛି । କୋଭିଡ୍-୧୯ ମହାମାରୀ ସମୟରେ ବିଶ୍ୱ ଭାରତର କୋଭିଡ୍-୧୯ ଟିକାକରଣ କାର୍ଯ୍ୟକ୍ରମ ନିମନ୍ତେ ମୌଳିକ ପ୍ରଯୁକ୍ତି କୋ-ୱିନର ସଫଳତା ଦେଖିଥିଲା, ଯାହା ୧୮ ମାସରୁ କମ୍ ସମୟ ମଧ୍ୟରେ ୨୨୦ କୋଟି ଡୋଜ୍ କୋଭିଡ୍-୧୯ ଟିକାକରଣ କରିବାରେ ସାହାଯ୍ୟ କରିଥିଲା । ବର୍ତ୍ତମାନ ୟୁ-ୱିନ୍ରୁ ଟିକାକରଣ ସେବାର ସମଗ୍ର ଦୃଶ୍ୟ ପରିବର୍ତ୍ତନ ପାଇଁ ପ୍ରସ୍ତୁତ ହୋଇଛି, ଯାହା ଟିକାକରଣ ପ୍ରସାରରେ ବହୁତ ଉନ୍ନତି ଆଣିବ ।
ଭାରତ ଏକ ସ୍ୱାଧୀନ ରାଷ୍ଟ୍ର ଭାବରେ ଶତବାର୍ଷିକୀ ପାଳନ ଦିଗରେ ଅଗ୍ରସର ହେଉଥିବା ବେଳେ, ଦୃଢ଼ ଟିକାକରଣ କାର୍ଯ୍ୟକ୍ରମ ପ୍ରତି ଏହାର ପ୍ରତିବଦ୍ଧତା କେବଳ ଏକ ସ୍ୱାସ୍ଥ୍ୟ ପଦକ୍ଷେପ ନୁହେଁ, ଏହା ଭବିଷ୍ୟତ ପାଇଁ ଏକ ମୌଳିକ ପୁଞ୍ଜିନିବେଶ । ଉନ୍ନତ ଡିଜିଟାଲ ଭିତ୍ତିଭୂମି ଏବଂ ବ୍ୟାପକ ଜନସ୍ୱାସ୍ଥ୍ୟ ରଣନୀତି ମାଧ୍ୟମରେ ନିଜର ସର୍ବକନିଷ୍ଠ ନାଗରିକମାନଙ୍କୁ ଟିକା ଦେବାକୁ ପ୍ରାଥମିକତା ଦେଇ ଭାରତ କେବଳ ପ୍ରତିଷେଧକଯୋଗ୍ୟ ରୋଗ ସହ ଲଢେଇ କରୁନାହିଁ, ବରଂ ଏକ ସୁସ୍ଥ, ଆର୍ଥିକ ସକ୍ଷମ ଜନସଂଖ୍ୟାକୁ ପ୍ରୋତ୍ସାହିତ କରୁଛି ।
ଜମ୍ମୁ-କାଶ୍ମୀରର ବରଫପାତ ଅଞ୍ଚଳ, କଚ୍ଛର ମରୁଭୂମି, ଅରୁଣାଚଳ ପ୍ରଦେଶ ସୀମାରେ ହେଉ କିମ୍ବା ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ନୀଳ ଜଳରାଶି ଘେରି ରହିଥିବା ଗାଁଗୁଡ଼ିକରେ କୌଣସି ଶିଶୁ ଯେପରି ଜୀବନ ରକ୍ଷାକାରୀ ଟିକାରୁ ବଞ୍ଚିତ ନହୁଅନ୍ତି, ସେଥିପାଇଁ ଏକ ଭବିଷ୍ୟତ ଗଢ଼ିବାର ସଂକଳ୍ପକୁ ଏହି ପ୍ରୟାସ ପ୍ରତିଫଳିତ କରୁଛି ।