ନୂଆଦିଲ୍ଲୀ,୧୯/୩ : ପୁଣି ଚର୍ଚ୍ଚାରେ ୧୪ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ । ଏଥର ସେ ଆଇପିଏଲରେ ଓପନିଂ କରିବାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଆଇପିଏଲ୍ ୨୦୨୬ ପୂର୍ବରୁ ରାଜସ୍ଥାନ ରୟାଲ୍ସ ବି ନୂଆ ରଙ୍ଗରେ ଦେଖାଯିବ । ଆରଆରର ଖେଳାଳୀ ଏକ ନୂଆ ଡିଜାଇନ ଥିବା ଜର୍ସିରେ ଦେଖାଯିବେ । ଏଥର ଟିମରେ ସଞ୍ଜୁ ସାମସନ ନାହାନ୍ତି, ଏଥିଲାଗି ଅଧିନାୟକ ଦାୟିତ୍ବ ୨୪ବର୍ଷିୟ ରିୟାନ ପରାଗ ସମ୍ଭାଳିବେ । କିନ୍ତୁ ରିୟାନଙ୍କଠାରୁ ଅଧିକ ୧୪ବର୍ଷିୟ ବୈଭବ ସୂର୍ଯ୍ୟବଂଶୀ ଚର୍ଚ୍ଚାରେ ରହିବେ । କୋଚ୍ କୁମାର ସାଙ୍ଗାକାରା ବି ଆଶା ରଖିଛନ୍ତି କି ଏଥର ବୈଭବ ରାଜସ୍ଥାନ ଟିମ୍ ଲାଗି ଟ୍ରମ୍ପକାର୍ଡ଼ ସାବ୍ୟସ୍ତ ହୋଇପାରନ୍ତି ।
ରାଜସ୍ଥାନ ରୟାଲ୍ସ ଟିମ୍ ଏକାଠି ହୋଇସାରିଛନ୍ତି ଏବଂ ଜୟପୁରସ୍ଥିତ ସବାଇ ମାନ ସିଂହ ଷ୍ଟାଡିୟମରେ ଅଭ୍ୟାସ ଆରମ୍ଭ କରିଦେଇଛନ୍ତି । ଏହା ଆରଆର ଟିମର ହୋମ୍ ଗ୍ରାଉଣ୍ଡ ଅଟେ । କିନ୍ତୁ ରାଜସ୍ଥାନ ଟିମ୍ ନିଜର କିଛି ହୋମ୍ ମ୍ୟାଚ୍ ଗୌହାଟିରେ ଖେଳିବ । ଆଇପିଏଲ୍ ୨୦୨୬ ପୂର୍ବରୁ ରାଜସ୍ଥାନ ରୟାଲ୍ସ ଟିମର ମୁଖ୍ୟ କୋଚ୍ କୁମାର ସାଙ୍ଗାକାର ଏବଂ ଅଧିନାୟକ ରିୟାନ ପରାଗ ପ୍ରେସ କନଫ୍ରେନ୍ସରେ ଟିମର ରଣନୀତି ଉପରେ କଥା ହୋଇଛନ୍ତି । ଆଗାମୀ ସିଜନ ଲାଗି ବୈଭବ ସୂର୍ଯ୍ୟବଂଶୀ ଟିମର ଷ୍ଟାର ଖେଳାଳୀ ହେବେ କାରଣ ଅଧିନାୟକ ରିୟାନ ପରାଗ ସ୍ପଷ୍ଟ କରି ଦେଇଛନ୍ତି କି ସୂର୍ଯ୍ୟବଂଶୀ ଟିମ୍ ଲାଗି ଟ୍ରମ୍ପକାର୍ଡ଼ ସାବ୍ୟସ୍ତ ହୋଇପାରନ୍ତି । ଏହାସହ ସେ ଏହା ବି ସ୍ପଷ୍ଟ କରି ଦେଇଛନ୍ତି ସଞ୍ଜୁ ସାମସନ ଯିବା ପରେ ଓପନିଂ ସ୍ଥାନ ଖାଲି ହୋଇଛି । ଏହାକୁ ବୈଭବ ସୂର୍ଯ୍ୟବଂଶୀ ହିଁ ସମ୍ଭାଳିବେ । ବୈଭବ ଏବଂ ୟଶସ୍ବୀ ଜୟସଓ୍ବାଲଙ୍କ ଯୋଡ଼ି ରାଜସ୍ଥାନ ଟିମ୍ ଲାଗି ପାଳିର ଆରମ୍ଭ କରୁଥିବା ଦେଖାଯିବେ ।