ଭୁବନେଶ୍ୱର ୧୫/୦୨: ତୁମେ ହେଉଛ ମୋର ପ୍ରଥମ ପ୍ରେମ । ତୁମର ପ୍ରତିଟି ହସ ମୋ ପାଇଁ ମୂଲ୍ୟବାନ୍ । ଆଉ ତୁମ ଓଠର ସେଇ ଚେନାଏ ହସକୁ ସଜେଇ ରଖିବି ମୁଁ ସାରା ଜୀବନ । ଭାଲେଣ୍ଟାଇନ୍ ଡେ’ ରେ ଏହିଭଳି ପ୍ରେମଭରା କଥା ହୋଇଥିଲେ ପ୍ରେମୀ ଯୁଗଳ । କିଏ ସାରା ଜୀବନ ସାଥୀ ହୋଇ ରହିବାକୁ ପ୍ରତିଶ୍ରୁତି ଦେଇଥିଲେ ତ କିଏ ବିବାହର । କିଏ ମନର ମଇନା ପାଇଁ ଫୁଲତୋଡ଼ା ତ କିଏ ଚକୋଲେଟ୍ ଏବଂ ଉପହାର ଆଣିଥିଲେ । ସେଥିପାଇଁ ସାରାଦିନ ରାଜଧାନୀର ବିଭିନ୍ନ ପାର୍କ, ସପିଙ୍ଗ୍ ମଲ, ରେସ୍ତୋରାଁରେ ଭିଡ଼ ଲାଗି ରହିଥିଲା । ଖାଲି ସେତିକି ନୁହେଁ ପ୍ରେମୀଯୁଗଳ ତଥା ନବବିବାହିତ ଦମ୍ପତିଙ୍କୁ ମନ୍ଦିରରେ ଦେଖିବାକୁ ମିଳିଥିଲା । ଭଗବାନଙ୍କୁ ସାକ୍ଷୀ ରଖି ସେମାନେ ନେଇଥିଲେ ଅନେକ ପ୍ରତିଶ୍ରୁତି । ଖାସ୍ ଆଜି ପାଇଁ ଅନେକ ପ୍ରେମୀଯୁଗଳ ମନ ପସନ୍ଦ ଅନୁଯାୟୀ ପୋଷାକ ମଧ୍ୟ ପିନ୍ଧିଥିଲେ ।

ବେଙ୍ଗାଲୁରୁ ଗୋଲାପରେ ପ୍ରେମ ନିବେଦନ :

ଚଳିତବର୍ଷ ବେଙ୍ଗାଲୁରୁ ଗୋଲାପର ଢେର୍ ଆଦର ଥିଲା । ଏହି ଗୋଲାପ ରକ୍ତିମ ଲାଲ ହେବା ସହିତ ଆକାରରେ ଅନ୍ୟ ଗୋଲାପ ତୁଳନାରେ ବଡ଼ ମଧ୍ୟ ରହୁଛି । ଏଥିସହିତ ଏହାର ମୂଲ୍ୟ ମଧ୍ୟ ଟିକେ ଅଧିକ । ଅନ୍ୟ ଗୋଲାପ ଗୋଟିଏର ମୂଲ୍ୟ ୪୦ ଟଙ୍କା ଥିବା ବେଳେ ଏହାର ମୂଲ୍ୟ ୫୦ ଟଙ୍କା ରହୁଛି । ହେଲେ ମୂଲ୍ୟକୁ ଖାତିର କରିନଥିଲା ପ୍ରେମଭରା ହୃଦୟ । ସେଥିପାଇଁ ଫୁଲ ଦୋକାନରେ ଲାଗିରହିଥିଲା ବେଶ୍ ଗହଳି । ଫୁଲ ଦୋକାନୀ ବିଭୂତି କୁହନ୍ତି, ଆଜି ଭାଲେଣ୍ଟାଇନ୍ ଡେ ଥିବାରୁ ଗୋଲାପ ଫୁଲର ନାହିଁ ନଥିବା ଚାହିଦା । ବିଶେଷକରି ବେଙ୍ଗାଲୁରୁ ଗୋଲାପ ଅଧିକ ବିକ୍ରି ହୋଇଛି । କାରଣ ଏହା ଗାଢ ଲାଲ ଏବଂ ବଡ଼ । ଆଜି ମୋର ପ୍ରାୟ ୨ଶହଟି ଗୋଲାପ ବିକ୍ରି ହୋଇଛି ।

ଆହୁରି ପଢ଼ନ୍ତୁ...ତୁମେ ମୋ ଭାଲେଣ୍ଟାଇନ୍…ତୁମ ସହ ସାତ ଜନ୍ମର ସାଥୀ ହେବାକୁ ଚାହେଁ

ଲାଲ ପରୀ ବେଶରେ ରେସ୍ତୋରାଁ :

ଭାଲେଣ୍ଟାଇନ୍ ଡେ’ ପାଇଁ ଲାଲ ପରୀ ବେଶରେ ସଜେଇ ହୋଇଥିଲା ରେସ୍ତୋରାଁ । ଯେଉଁଠି ଲାଲ ଗୋଲାପ, ବେଲୁନ୍ ଏବଂ ଅନ୍ୟାନ୍ୟ ଲାଲା ରଙ୍ଗର ସାସସଜ୍ଜା ସାମଗ୍ରୀ ଲାଗିଥିଲା । ଯାହା ପ୍ରେମୀଯୁଗଳଙ୍କୁ କରିଥିଲା ଅକର୍ଷିତ । ଅନେକଗୁଡ଼ିଏ ବଡ଼ବଡ଼ ରେସ୍ତୋରାଁରେ ସଙ୍ଗୀତ କଳାକାରଙ୍କୁ ନେଇ କାର୍ଯ୍ୟକ୍ରମ ମଧ୍ୟ ହୋଇଥିଲା । ଯେଉଁଥିରେ ନାମୀଦାମୀ ସଙ୍ଗୀତକାରମାନେ ଯୋଗଦେଇ ସଙ୍ଗୀତ ପରିବେଷଣ କରିଥିଲେ । ଏଥିପାଇଁ ଆଗୁଆ ଟିକଟ୍ ବୁକିଙ୍ଗ୍ ମଧ୍ୟ କରିବାକୁ ପଡ଼ୁଥିଲା । ଏଥିସହିତ ସିନେମା ହଲ୍, କାଫେ, ଚା’ ଦୋକାନରେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରେମୀଯୁଗଳଙ୍କ ଗହଳି ଲାଗିରହିଥିଲା ।