ଫିରିଙ୍ଗିଆ, ୨/୯ : ସ୍କୁଲ ଅଛି ହେଲେ ରାସ୍ତା ନାହିଁ। ଶ୍ରେଣୀ ଗୃହ ବି ଭାଙ୍ଗି ଗଲାଣି। ପାନୀୟ ଜଳ ଓ ଶୌଚାଳୟ କଥା ନକହିବା ଭଲ। ପିଲାଙ୍କ ଶୋଷ ମେଣ୍ଟାଉଛି ଦୂଷିତ କୂଅ ପାଣି। ଏହି ପାଣିରେ ବି ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ଚାଲିଛି। ସ୍କୁଲ ପାଇଁ କୌଣସି ଶୈକ୍ଷିକ ପରିବେଶ ନାହିଁ। ଏଠି ନା ଅଛି ଶ୍ରେଣୀ ଗୃହ ନା ଖେଳପଡ଼ିଆ। ଭଙ୍ଗା ଦଦରା ବାରଣ୍ଡାରେ ବସି ମଧ୍ୟାହ୍ନ ଭୋଜନ ଖାଉଛନ୍ତି ପିଲା। ଏ ହେଉଛି ଆଦିବାସୀ ଅଧ୍ୟୁଷିତ ଉପାନ୍ତ କନ୍ଧମାଳ ଜିଲ୍ଲାର ଦୃଶ୍ୟ। ଏଠି ବିକାଶ ଯେମିତି ଏମାନଙ୍କୁ ଅଟ୍ଟହାସ୍ୟ କରୁଛି। ଏସି ରୁମ୍‌ରେ ବସି ଫାଇଲ୍ ଚଷୁଥିବା ବାବୁଙ୍କୁ ପ୍ରଶ୍ନ କରୁଛି। ଆମର ଭୁଲ୍ କ'ଣ ? ସ୍ଵାଧିନତାର ୭୯ ବର୍ଷ ପରେ ବି କାହିଁକି ଆମେ ଅବହେଳିତ ? କାହିଁକି ଆମେ ମୌଳିକ ସୁଖ ସୁବିଧାରୁ ବଞ୍ଚିତ ?

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ଭୃଙ୍ଗିଯୋଡ଼ି ପଞ୍ଚାୟତର ବଣ ପାହାଡ଼ ଘେରା ଗଣିବାଲି ଗାଁ। ବ୍ଲକ୍ ମୁଖ୍ୟାଳୟ ଠାରୁ ମାତ୍ର ୧୫ କିଲୋମିଟର ଓ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ୬ କିଲୋମିଟର ଦୂର। ଏଠି ବିକାଶ ଯେମିତି ମୁହଁ ମୋଡ଼ି ଖତେଇ ହେଉଛି। ବଣ ଜଙ୍ଗଲ ଭିତରେ ଗଣିବାଲି ପ୍ରାଥମିକ ବିଦ୍ୟାଳୟ ତିଆରି ହୋଇଛି। ଏଠି ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ମୋଟ ୧୮ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ଉପାନ୍ତ ଅଞ୍ଚଳ ହୋଇଥିବା ଯୋଗୁଁ ସ୍କୁଲକୁ ଭଲ ରାସ୍ତାଟିଏ ନାହିଁ। ପାଦଚଲା ମାଟି ରାସ୍ତାରେ କୁନିକୁନି ପିଲାମାନେ ପାଠ ପଢି ଯାଉଛନ୍ତି। ଜଙ୍ଗଲରେ ଜନ୍ତୁଜୁନ୍ତା ଭୟ ରହିଛି। ବର୍ଷା-ଶୀତ ଦିନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜଙ୍ଗଲ ଭିତରକୁ ପାଠ ପଢି ଛାଡ଼ିବାକୁ ଅଭିଭାବକମାନେ ଡରୁଛନ୍ତି। ହେଲେ ଶିକ୍ଷା ପାଇଁ ସେମାନେ ବି ନିରୁପାୟ ।

ଗଣିବାଲି ସ୍କୁଲକୁ ଖାଲି ରାସ୍ତା ନୁହେଁ ଅନେକ ସମସ୍ୟା ଯେମିତି ଜାବୁଡ଼ି ଧରିଛି। ବିଦ୍ୟାଳୟରେ ଶ୍ରେଣୀ ଅନୁସାରେ ଶ୍ରେଣୀ ଗୃହ ନାହିଁ। ଯେତିକି ଅଛି ସେତିକି ବି ଭାଙ୍ଗିରୁଜି ଗଲାଣି। ପ୍ରଥମରୁ ପଞ୍ଚମ ଯାଏଁ ମାତ୍ର ୨ ଜଣ ଶିକ୍ଷକରେ ପାଠପଢା ଚାଲିଛି। ପରିମଳ ବ୍ୟବସ୍ଥା ଏଠି ନକହିବା ଭଲ। ସ୍କୁଲ୍ ଶୌଚାଳୟ ଭାଙ୍ଗିବୁଜି ଗଲାଣି। ପିଲାଙ୍କୁ ମୁନ୍ଦେ ବିଶୁଦ୍ଧ ପାନୀୟ ଜଳ ମିଳୁନି। ମଧ୍ୟାହ୍ନ ଭୋଜନ ପାଇଁ କୂଅର ଦୂଷିତ ପାଣି ବ୍ୟବହାର ହେଉଛି। ସ୍କୁଲ ମରାମତି ପାଇଁ ଆସିଥିବା ଟଙ୍କା ବ୍ୟବହାର ହେଉନଥିବା ଅଭିଯୋଗ ହେଉଛି। ସରକାରୀ ବାବୁଙ୍କ ଉଦାସୀନତା ପାଇଁ କାମ ଆଗୋଉନି। ଏଠି ଲାଇଟ୍ ଓ ଫ୍ୟାନ୍ ଅଛି ହେଲେ ବିଦ୍ୟୁତ୍ ସଂଯୋଗ ହୋଇନି। ତେଣୁ ଖୁବଶୀଘ୍ର ସ୍କୁଲ ସମସ୍ୟା ସମାଧାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏନେଇ ଗୋଷ୍ଠୀ ଶିକ୍ଷା ଅଧିକାରୀ ଆଲୋକ ପ୍ରଧାନଙ୍କୁ ପଚାରିବାରୁ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିବା କହିଛନ୍ତି। ତେବେ ଗଣିବାଲି ପ୍ରାଥମିକ ବିଦ୍ୟାଳୟ ପ୍ରତି କେବେ ସରକାରୀ ବାବୁଙ୍କ ଆନ୍ତରିକତା ଉଦୟ ହେଉଛି ତାହା ଦେଖିବାକୁ ବାକି ରହିଲା।