ସଇଁତଳା (ଆପ୍ର ): ମ୍ୟୁନିସନ୍ସ ଇଣ୍ଡିଆ ଲିମିଟେଡ (ଏମଆଇଏଲ)ଅଧିନସ୍ଥ ବଡମାଳ ଗୋଳାବାରୁଦ କାରଖାନା ଦ୍ଵାରା ବର୍ଷ ୨୦୨୩-୨୪ ପାଇଁ ନିଗମର ସାମାଜିକ ଦାୟିତ୍ଵ (ସିଏସଆର) ପାଣ୍ଠିରୁ ନିର୍ମିତ ଏକାଧିକ ପ୍ରକଳ୍ପର ଉଦଘାଟନ କରାଯାଇ ହିତାଧିକାରୀମାନଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରାଯାଇଛି। କାରଖାନା ନିକଟସ୍ଥ ବିଭିନ୍ନ ଗ୍ରାମର ବିଦ୍ୟାଳୟରେ ଥଣ୍ଡା ପାନୀୟ ଜଳର ବୁଥ ନିର୍ମାଣ କରାଯାଇଛି। ଏହାଛଡା ରେଙ୍ଗାଲୀ ଓ କମରଲଗା ବିଦ୍ୟାଳୟରେ ଶୌଚାଳୟ ମଧ୍ୟ ନିର୍ମାଣ କରାଯାଇଛି।
କାରଖାନାର ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ପ୍ରଦୀପ କୁମାର ଦାଶଙ୍କ ଉପସ୍ଥିତିରେ ତା ୦୭.୦୪.୨୦୨୫ ଦିନ କମରଲଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ତା ୨୩.୦୪.୨୦୨୫ ଦିନ ରେଙ୍ଗାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ତା ୨୬.୦୪.୨୦୨୫ ଦିନ ଗଣ୍ଡପତ୍ରାପାଲି ପ୍ରାଥମିକ ବିଦ୍ୟାଳୟ, ତା ୧୩.୦୫.୨୦୨୫ ଦିନ ରେଙ୍ଗାଲି-କୁଇକେଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତଥା ତା ୧୪.୦୫.୨୦୨୫ ଦିନ ଫପସୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ପ୍ରକଳ୍ପ ଗୁଡିକ ଯଥାକ୍ରମେ ଶ୍ରୀ ପ୍ରମୋଦ ଭିସେକର, ମହାପ୍ରବନ୍ଧକ, ଶ୍ରୀ ରାମ କୁମାର, ସଂଯୁକ୍ତ ମହାପ୍ରବନ୍ଧକ, ମହମ୍ମଦ ରୱୂଫ, ସଂଯୁକ୍ତ ମହାପ୍ରବନ୍ଧକ, ଶ୍ରୀ ପ୍ରଭାସ ଭୋଇ, ସଂଯୁକ୍ତ ମହାପ୍ରବନ୍ଧକ ଏବଂ ଶ୍ରୀ ହିମାଂଶୁ କୁମାର ତ୍ରିପାଠୀ, କାର୍ଯ୍ୟ ପ୍ରବନ୍ଧକଙ୍କ ଦ୍ଵାରା ଉଦଘାଟିତ କରାଯାଇଛି।
ଏହି ଉଦଘାଟନୀ କାର୍ଯ୍ୟକ୍ରମ ଅବସରରେ ଆୟୋଜିତ ସଭା ଗୁଡିକରେ ଉପସ୍ଥିତ ରହି କାରଖାନାର ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଦାଶ ମ୍ୟୁନିସନ୍ସ ଇଣ୍ଡିଆ ଲିମିଟେଡ (ଏମଆଇଏଲ) ଓ ଗୋଳାବାରୁଦ କାରଖାନା ବଡମାଳର ସାମାଜିକ ଦାୟିତ୍ଵବୋଧ ଉପରେ ଆଲୋକପାତ କରି, ବିଗତ ବର୍ଷରେ ଏହି ଉଦ୍ଦେଶ୍ୟରେ ନିର୍ମିତ ତଥା ଆଗାମୀ ଦିନରେ ହେବାକୁ ଥିବା ପ୍ରକଳ୍ପ ବିଷୟରେ ସୂଚନା ପ୍ରଦାନ କରିବା ସହିତ ପ୍ରକଳ୍ପ ଗୁଡିକର ଉପାଦେୟତା ଓ ଏଗୁଡ଼ିକର ସଠିକ ରକ୍ଷଣା-ବେକ୍ଷଣ ଉପରେ ଗୁରୁତ୍ଵାରୋପ କରିଥିଲେ। ଏହି କାର୍ଯ୍ୟକ୍ରମ ଗୁଡିକୁ ଆୟୋଜନ କରିବାରେ, ସମ୍ପୃକ୍ତ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟତ୍ରୀ, ପରିଚାଳନା ସମିତି, ଛାତ୍ର-ଛାତ୍ରୀ ସହଯୋଗ କରିବା ସହିତ ଉପସ୍ଥିତ ରହିଥିଲେ।
ଏଠାରେ ସୂଚନାଯୋଗ୍ୟ ଯେ, ବର୍ଷ ୨୦୨୨-୨୩ରେ ମଧ୍ୟ କାରଖାନା ତରଫରୁ ସିଏସଆର ପାଣ୍ଠିରେ କୁଇକେଡା, ଗଣ୍ଡପତ୍ରାପାଲି ଓ ଧରପଗଡ ସ୍ଥିତ ଉଚ୍ଚ ବିଦ୍ୟାଳୟ ତଥା ସଇଁତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅନୁରୂପ ପ୍ରକଳ୍ପ ମାନ ନିର୍ମାଣ କରାଯାଇ ଲୋକାର୍ପିତ କରାଯାଇଛି।