ନୂଆଦିଲ୍ଲୀ : ତାମିଲନାଡୁରେ ବିଜୟ ସରକାର ଗଠନ ହେବାର ରାସ୍ତା ସ୍ପଷ୍ଟ ହୋଇ ଯାଇଛି। ଭିସିକେ ଶନିବାର ଟିଭିକେକୁ ସମର୍ଥନ ଦେବାକୁ ନିଷ୍ପତ୍ତି ନେଇଛି। ଏହା ପୂର୍ବରୁ ବିଜୟଙ୍କ ପାଖରେ ୧୧୬ ଜଣ ବିଧାୟକଙ୍କ ସମର୍ଥନ ଥିଲା, ଯାହାକି ଏହି ସଂଖ୍ୟା ଏବେ ବୃଦ୍ଧି ପାଇଁ ୧୧୮ ହୋଇଯିବ। ଶନିବାର ସନ୍ଧ୍ୟାରେ ଭିସିକେର ପ୍ରମୁଖ ମିଟିଂ ଥିଲା , ଯେଉଁଥିରେ ଏହି ନିଷ୍ପତ୍ତି ନେବାର ଥିଲା ଯେ, ଦଳ ଟିଭିକେକୁ ସମର୍ଥନ ଦେବ ନା ନାହିଁ। ବୈଠକରେ ବିଜୟଙ୍କୁ ସମର୍ଥନ ଦେବାକୁ ସହମତି ହୋଇଥିଲା , ଏହାପରେ ଟିଭିକେକୁ ସମର୍ଥନ ପତ୍ର ପ୍ରଦାନ କରାଯାଇ ଥିଲା। ଏବେ ରାଜ୍ୟରେ ବିଜୟ ନୂଆ ମୁଖ୍ୟମନ୍ତ୍ରୀ ହୋଇ ପାରନ୍ତି।

ବିଧାନସଭା ନିର୍ବାଚନର ଫଳାଫଳ ପରେ ବିଜୟଙ୍କ ଦଳକୁ ୧୦୮ଟି ଆସନ ମିଳିଥିଲା , ଯାହାପରେ ସେ ସବୁଠୁ ବଡ଼ ଦଳ ଭାବେ ଉଭା ହୋଇଥିଲେ। ହେଲେ ବିଜୟ ନିଜେ  ଦୁଇଟି ଆସନରେ ନିର୍ବାଚନ ଲଢି ଥିଲେ।ପରେ ତାଙ୍କୁ ଗୋଟିଏ ଆସନ ଛାଡ଼ିବାକୁ ହେବ। ଟିଭିକେକୁ ସର୍ବ ପ୍ରଥମେ କଂଗ୍ରେସର ପାଞ୍ଚ ଜଣ ବିଧାୟକଙ୍କ ସମର୍ଥନ ମିଳି ଥିଲା। ଏହା ବ୍ୟତୀତ , ସିପିଆଇ , ସିପିଆଇଏମ୍‌ର ୨-୨ ବିଧାୟକ ମାନେ ମଧ୍ୟ ସମର୍ଥନ କଲେ।  ଏଥିରୁ ସଂଖ୍ୟା ବଢି ୧୧୬ରେ ପହଞ୍ଚି ଥିଲା।

ଏବେ ସମସ୍ତଙ୍କର ନଜର ଭିସିକେ ଉପରେ ଥିଲା। ଦଳ ବିନା କୌଣସି ସର୍ତ୍ତରେ ଟିଭିକେକୁ ସମର୍ଥନ ଦେଇଛି। ଟିଭିକେ ନେତା ଅର୍ଜୁନ ସମର୍ଥନ ପାଇଁ କଂଗ୍ରେସ , ବାମପନ୍ଥୀ ଦଳ ଓ ଭିସିକେ ପ୍ରମୁଖ ଥିରୁମାଭଲଭନଙ୍କୁ କୃତଜ୍ଞତା ଜଣାଇଛନ୍ତି ଏବଂ କହିଛନ୍ତି , ବିଜୟ ମୁଖ୍ୟମନ୍ତ୍ରୀ ହେବା ପାଇଁ ପ୍ରସ୍ତୁତ ଅଛନ୍ତି।

ଏହା ପୂର୍ବରୁ  ଡିଏମକେର ଆଉ ଜଣେ ସହଯୋଗୀ ଦଳ ଆଇୟୁଏମଏଲ ପ୍ରଥମେ ତ ଟିଭିକେକୁ ସମର୍ଥନ ଦେବାରେ ମନା କରି ଦେଇ ଥିଲା ,କିନ୍ତୁ ହଠାତ୍‌ ନିଜର ସମର୍ଥନ ଦେବାକୁ ପ୍ରତିଶ୍ରୁତି କରିଥିଲା , ପୁଣି ଆଉ ଏକ ୟୁ-ଟର୍ଣ୍ଣ ନେଇ ଟିଭିକେକୁ ସମର୍ଥନ ଦେବାକୁ ମନାକରି ଦେଇଥିଲା। ଏଥିରେ ରାଜ୍ୟ ଅଜବ ସ୍ଥିତି ସୃଷ୍ଟି ହୋଇଥିଲା। ରାଜ୍ୟପାଳ ବିଜୟଙ୍କୁ ବହୁମତ ସାବ୍ୟସ୍ତ କରିବା ପାଇଁ ୧୦ ମେ’ ଯାଏ ସମୟ ଦେଇଛନ୍ତି। ଗତ କିଛି ଦିନରେ ବିଜୟ ଅନେକ ଥର ରାଜ୍ୟପାଳଙ୍କୁ ଭେଟି ସାରିଛନ୍ତି। ପ୍ରଥମେ ସେ ଟିଭିକେ ଓ କଂଗ୍ରେସ ବିଧାୟକଙ୍କ ଦସ୍ତଖତ ଥିବା ପତ୍ର ପ୍ରଦାନ କରିଥିଲେ , କିନ୍ତୁ ବହୁମତର ପୂରା ସଂଖ୍ୟା ଆଣିବାକୁ କୁହାଯାଇ ଥିଲା। ଏହାପରେ , ତାଙ୍କୁ ସିପିଆଇ ଓ ସିପିଆଇଏମ୍‌ ଠାରୁ ମଧ୍ୟ ସମର୍ଥନ ମିଳିଗଲା , କିନ୍ତୁ ସଂଖ୍ୟା ୧୧୬ ଯାଏ ହିଁ ପହଞ୍ଚି ଥିଲା। ଏବେ ଭିସିକେର ସପୋର୍ଟରେ ବିଜୟଙ୍କୁ ବହୁମତ ମିଳି ଯାଇଛି।

ଆହୁରି ମଧ୍ୟ ପଢନ୍ତୁ : ଶୁଭେନ୍ଦୁ ଅଧିକାରୀ କିଏ , ଯାହାକୁ ବିଜେପି କରିଛି ବଙ୍ଗଳାର ମୁଖ୍ୟମନ୍ତ୍ରୀ ; ଦିନେ ମମତାଙ୍କର ଥିଲେ ଖୁବ୍‌ ନିକଟତର