ଭୁବନେଶ୍ୱର,୨୫/୦୬ : ଭେଇକିଲ ଲୋକେସନ ଟ୍ରାକିଂ ଡିଭାଇସ୍‌(ଭିଏଲ୍‌ଟିଡି) ଖଞ୍ଜିବାକୁ ଗାଡି ଚାଳକ ପଛଘୁଞ୍ଚା ଦେଉଛନ୍ତି । ମାତ୍ର ୪୧ ହଜାର ଗାଡି଼ରେ ଏହି ସୁରକ୍ଷା ସମ୍ପର୍କିତ ମେସିନ୍‌ ଖଞ୍ଜାଯାଇଛି । ବିନା ଭିଏଲ୍‌ଟିଡିରେ ଲକ୍ଷ ଲକ୍ଷ ଗାଡି ରାଜରାସ୍ତାରେ ଗଡୁଛି । ସ୍କୁଲ ବସ୍‌, ଆମ୍ବୁଲାନ୍ସ କି ଟ୍ୟାକ୍ସିର ଗତିବିଧି ଜଣାପଡୁନି । ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀଙ୍କ ସୁରକ୍ଷା ବାଜିରେ ଲାଗୁଛି । ନିୟମ ଲଂଘୁଥିବା ଗାଡିର ଯାଞ୍ଚ କି ତାଗିଦ୍‌ କରିବାକୁ ପରିବହନ ବିଭାଗ କର୍ତ୍ତୃପକ୍ଷ ଆଗଭର ହେଉନାହାନ୍ତି ।  

ଦିଲ୍ଲୀ ନିର୍ଭୟା ଘଟଣା ପରେ ଯାତ୍ରୀ ସେବାରେ ଲାଗିଥିବା ପ୍ରତି ଗାଡିରେ ଭିଏଲଟିଡି ଲଗାଇବା ବାଧ୍ୟତାମୂଳକ କରିଥିଲେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ । ୨୦୨୪ ଜାନୁଆରୀରୁ ଓଡ଼ିଶାରେ ଭିଏଲଟିଡି ଖଞ୍ଜିବା ଆରମ୍ଭ ହେଲା । ରାଜ୍ୟ ପରିବହନ ପ୍ରାଧୀକରଣ (ଏସ୍‌ଟିଏ) ତଥ୍ୟ ମୁତାବକ, ଦେଢ଼ ବର୍ଷ ଭିତରେ ମାତ୍ର ୪୧,୮୬୬ଟି ଗାଡିରେ ଭିଏଲ୍‌ଟିଡି ଖଞ୍ଜାଯାଇଛି । ସେଥିରୁ ସର୍ବାଧିକ ୧୯,୫୮୫ଟି ମାଲ ପରିବହନକାରୀ ଗାଡିରେ ଲାଗିଛି । ୩୦୬୯ଟି ଯାତ୍ରୀବାହୀ ବସ୍‌ ଭିଏଲ୍‌ଟିଡି ସଂଯୁକ୍ତ । ଅତ୍ୟାବଶ୍ୟକୀୟ ଯାନ ଭାବେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଲାଗିଥିବା ୧୨୮୯ଟି ବସ୍‌ ଓ ୭୬ଟି ଆମ୍ବୁଲାନ୍ସ ଏହି ମେସିନ୍‌ ଲାଗିଛି । ହେଲେ ରାଜ୍ୟରେ ଲକ୍ଷ ଲକ୍ଷ ଗାଡି ମାଲିକ ଏହି ସୁରକ୍ଷା ସମ୍ପର୍କୀତ ମେସିନ୍‌ ଲଗାଇବାକୁ ମନ ବଳାଉ ନାହାନ୍ତି ।  

ପଞ୍ଜାବ ସ୍ଥିତ ଏକ କଙ୍ଗୋନିସ୍‌ ଆଇଟି ସଂସ୍ଥା ଦ୍ୱାରା ବ୍ୟାକ୍‌ ଏଣ୍ଡ ଆପ୍ଲିକେସନ ତିଆରି ହୋଇଥିଲା । ୨୦୨୩ ଅକ୍ଟୋବରରୁ ଏହି ସଫ୍ଟୱେର ପରିଚାଳନା ଦାୟିତ୍ୱ ବିଏସ୍‌ଏନ୍‌ଏଲ୍‌କୁ ଦିଆଯାଇଥିଲା । ବିଏସ୍‌ଏନ୍‌ଏଲ୍‌ର ସମୟ ସୀମା ସରିଯାଇଥିବାରୁ ସଫ୍ଟୱେର ପରିଚାଳନାରେ ଧ୍ୟାନ ଦେଉନାହିଁ । ଦୀର୍ଘ ଦିନ ଧରି ନୂଆ ଗାଡ଼ି ପଞ୍ଜିକରଣ ହୋଇପାରୁନାହିଁ । ପୁରୁଣା ଗାଡ଼ିକୁ ଫିଟନେସ୍‌ ମିଳୁନି । ପରିବହନ ବିଭାଗର ବିଫଳତା ଯୋଗୁ ହଜାର ହଜାର ଗାଡ଼ି ମାଲିକ ବାଧ୍ୟରେ ଜରିମାନା ଭରୁଛନ୍ତି ।  ସଡ଼କ ସୁରକ୍ଷା ବିଶେଷଜ୍ଞ ସୁବ୍ରତ ନନ୍ଦ କହିଛନ୍ତି, ଅନ୍ୟ ରାଜ୍ୟ ଦ୍ୱାରା କଳା ତାଲିକାଭୁକ୍ତ ହୋଇଥିବା ସଂସ୍ଥାକୁ ମୁଣ୍ଡାଇଛି ପରିବହନ ବିଭାଗ । ଏହି ସଂସ୍ଥାକୁ ଦାୟିତ୍ୱ ଦେଲେ, ଯାତ୍ରୀଙ୍କ ସୁରକ୍ଷା ବାଜିରେ ଲାଗିବା ଆଶଙ୍କା ରହିଛି । ବିଏସ୍‌ଏନ୍‌ଏଲ ଜରିଆରେ ଆଉ ଏକ ଆପ୍‌ ‘ମୋ ଯାତ୍ରୀ ସୁରକ୍ଷା’ ପ୍ରସ୍ତୁତ ହୋଇଥିଲା । ୧୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଅନ୍ୟ ସଂସ୍ଥା ନୂଆ ଆପ୍‌ କରିବା ବାହାନାରେ କୋଟି କୋଟି ଟଙ୍କା ଡିମାଣ୍ଡ କରୁଛି । ଏକ ଭରସା ଓ ବିଶ୍ୱାସଯୋଗ୍ୟ ଦକ୍ଷ ସଂସ୍ଥାକୁ ଦାୟିତ୍ୱ ଦେଲେ, ଭିଏଲଟିଡି ବ୍ୟବସ୍ଥା ଦୁର୍ନୀତିମୁକ୍ତ ହେବ । 

ଏସ୍‌ଟିଏର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ମୁତାବକ, ଅନ୍ୟ ରାଜ୍ୟଗୁଡିକରେ ଏହି ଭିଏଲ୍‌ଟିଡି ବିଫଳ ହେବାରେ ଲାଗିଛି । କିନ୍ତୁ ଓଡ଼ିଶାରେ ଘରୋଇ ସଂସ୍ଥାର ଟେଣ୍ଡର ପାଇଁ କଡ଼ା ଏସ୍‌ଓପି ଜାରି ହୋଇଛି । ଏନ୍‌ଆଇସି, ଡିମ୍ସ, ସି-ଡ୍ୟାଟ୍‌ ଭଳି ସଂସ୍ଥା ଆବେଦନ କରିଥିଲା । ଗୋଟିଏ ସଂସ୍ଥାକୁ ଅନୁମତି ମିଳିଛି । ଏକ୍ସପର୍ଟ ଟିମ୍‌ ଦ୍ୱାରା ତର୍ଜମା ପରେ ଏହି ସଂସ୍ଥାକୁ ଆପ୍ଲିକେସନ ପରିଚାଳନା ଦାୟିତ୍ୱ ଦିଆଯିବ ।

ହଟିଲାଣି ନିର୍ମାଣକାରୀ ୧୦ ସଂସ୍ଥା 

ଭିଏଲ୍‌ଟିଡି ମେସିନ୍‌ ନିର୍ମାଣକାରୀ ସମୁଦାୟ ୩୮ଟି ସଂସ୍ଥାକୁ ଏସ୍‌ଟିଏ ଅନୁମତି ଦେଇଥିଲା । ନାନା କାରଣ ଯୋଗୁ ମିଜୋ ଅଟୋଗ୍ୟାସ୍‌, ୩ଜିବି ଟେକ୍ନୋଲୋଜି, ପିଏସ୍‌ଡିଏନ୍‌ ଟେକ୍ନୋଲୋଜି, ଜିଆର୍‌ଏଲ୍‌ ଇଞ୍ଜିନିୟର୍ସ, ଲୁମାକ୍ସ ଇଟୁରାନ ଟେଲିମାଟିକ୍ସ, ଭିଡିକେ ଇଞ୍ଜିନିୟରିଂ, ଭୋଲଟି ଲଟ୍‌ ସଲ୍ୟୁସନ, ଆମାଜନ ଇନ୍‌ଫୋସଲ୍ୟୁସନ, ଆଇଟ୍ରାଇଆଙ୍ଗେଲ ଇନ୍‌ଫୋଟେକ୍‌ ସଂସ୍ଥାକୁ ଏହି ତାଲିକାରୁ ହଟାଯାଇଛି ।