ନୂଆଦିଲ୍ଲୀ,୪।୩: ବରିଷ୍ଠ ସାମ୍ବାଦିକ ଏଚକେ ଦୁଆଙ୍କ ପରଲୋକ। ବୁଧବାର ୮୮ ବର୍ଷରେ ତାଙ୍କର ମୃତ୍ୟୁ ହୋଇଛି। ଏନେଇ ତାଙ୍କ ପରିବାର ଲୋକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ବୁଧବାର ମଧ୍ୟାହ୍ନରେ ସେ ନୂଆଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି। ଦୁଆ ଗତ କିଛି ଦିନ ହେବ ଅସୁସ୍ଥ ଥିଲେ। ତିନି ସପ୍ତାହ ପୂର୍ବେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଏଚକେ ଦୁଆଙ୍କ ଅନ୍ତିମ ସଂସ୍କାର ଗୁରୁବାର ଲୋଧି ରୋଡ୍ ଶ୍ମଶାନ ଘାଟରେ ହୋଇଥିଲା। ତାଙ୍କ ପରିବାରରେ ପତ୍ନୀ ଆଦିତି ଓ ପୁଅ ପ୍ରଶାନ୍ତ ଅଛନ୍ତି। ଦୁଆଙ୍କୁ ସମ୍ପାଦକୀୟ ସ୍ବାଧୀନତା ପ୍ରତି ତାଙ୍କର ଅତୁଟ ପ୍ରତିବଦ୍ଧତା ପାଇଁ ଜଣାଯାଏ। ସେ ୨୦୦୯-୨୦୧୫ ଭିତରେ ରାଜ୍ୟସଭା ସଦସ୍ୟ ଭାବରେ ମନୋନୀତ ହୋଇଥିଲେ। ସେଠାରେ ସେ ବୈଦେଶିକ ବ୍ୟାପାର ଓ ରାଷ୍ଟ୍ରୀୟ ସୁରକ୍ଷା ଉପରେ ଚର୍ଚ୍ଚାରେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ଦେଇଛନ୍ତି। ଦୁଆ ନିଜର କ୍ୟାରିୟରରେ‘ହିନ୍ଦୁସ୍ତାନ ଟାଇମ୍ସ’ (୧୯୮୭-୯୪) ସମ୍ପାଦକ, ‘ଦ ଇଣ୍ଡିଆନ୍ ଏକ୍ସପ୍ରେସ୍’(୧୯୯୬-୯୬), ଦ ଟ୍ରିବ୍ୟୁନ (୨୦୦୩-୦୯) ମୁଖ୍ୟ ସମ୍ପାଦକ ଏବଂ ‘ଦ ଟାଇମ୍ସ ଅଫ୍ ଇଣ୍ଡିଆ(୧୯୯୭-୯୮) ରେ ସମ୍ପଦକୀୟ ପରାମର୍ଶଦାତା ରୂପରେ କାର୍ଯ୍ୟ କରିଛନ୍ତି।

ଦୁଆଙ୍କ ଜନ୍ମ ୧ ଜୁଲାଇ ୧୯୩୭ ମସିହାରେ ହୋଇଥିଲା। ସେ ଦୁଇ ପ୍ରଧାନମନ୍ତ୍ରୀ - ଅଟଳ ବିହାରୀ ବାଜପେୟୀ ଏବଂ ଏଚ୍.ଡି. ଦେବଗୌଡାଙ୍କ ଗଣମାଧ୍ୟମ ପରାମର୍ଶଦାତା ଭାବରେ କାର୍ଯ୍ୟ କରିଥିଲେ। ସେ ଡେନମାର୍କରେ ଭାରତର ରାଷ୍ଟ୍ରଦୂତ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ (୨୦୦୧-୨୦୦୩)। ଦୁଆ ଜାତୀୟ ସୁରକ୍ଷା ପରାମର୍ଶଦାତା ବୋର୍ଡର ସଦସ୍ୟ ଥିଲେ। ସେ ବୈଦେଶିକ ବ୍ୟାପାର ସ୍ଥାୟୀ କମିଟି ଏବଂ ଗୃହ ମନ୍ତ୍ରଣାଳୟର ପରାମର୍ଶଦାତା କମିଟି ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ସଂସଦୀୟ କମିଟିର ମଧ୍ୟ ଅଂଶ ଥିଲେ। ପଦ୍ମଭୂଷଣ ପୁରସ୍କାର ପାଇବା ସହିତ, ଦୁଆଙ୍କୁ ପଞ୍ଜାବ ବିଶ୍ୱବିଦ୍ୟାଳୟ ଏବଂ କୁରୁକ୍ଷେତ୍ର ବିଶ୍ୱବିଦ୍ୟାଳୟ ଦ୍ୱାରା ଡି.ଲିଟ୍ (ଉପାଧି) ରେ ମଧ୍ୟ ସମ୍ମାନିତ କରାଯାଇଥିଲା। ଅନେକ ରାଜନେତା ଏବଂ ଗଣମାଧ୍ୟମ ଜଗତର ବ୍ୟକ୍ତିବିଶେଷ ଦୁଆଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି।