ନୂଆଦିଲ୍ଲୀ,୦୯/୦୩: ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଅସୁସ୍ଥ ହୋଇଛନ୍ତି । ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି । ଛାତିରେ ଯନ୍ତ୍ରଣା ଓ ନିଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧା ହେବାରୁ ତାଙ୍କୁ ଦିଲ୍ଲୀ ଏମ୍ସର କ୍ରିଟିକାଲ କେୟାର ୟୁନିଟରେ ଭର୍ତ୍ତି କରାଯାଏ । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି । ଉପରାଷ୍ଟ୍ରପତିଙ୍କୁ ଦେଖିବାକୁ ହସ୍ପିଟାଲରେ ପହଞ୍ଚିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।

ହସ୍ତଗତ ହୋଇଥିବା ସୂଚନା ଅନୁସାରେ, ଗତକାଲି (ଶନିବାର) ବିଳମ୍ବିତ ରାତିରେ ୭୩ ବର୍ଷୀୟ ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଛାତିରେ ଅସହ୍ୟ ଯନ୍ତ୍ରଣା ଅନୁଭବ କରିଥିଲେ । ନିଶ୍ବାସ ପ୍ରଶ୍ବାସ ନେବାରେ ସମସ୍ୟା ହୋଇଥିଲା । ଏହାପରେ ତାଙ୍କୁ ତୁରନ୍ତ ଦିଲ୍ଲୀ ଏମ୍ସ ନିଆଯାଇଥିଲା । ସେଠାରେ କାର୍ଡିଓଲୋଜି ବିଭାଗର ଡାକ୍ତର ରାଜୀବ ନାରଙ୍ଗଙ୍କ ନିରୀକ୍ଷଣରେ ତାଙ୍କୁ କ୍ରିଟିକାଲ କେୟାର ୟୁନିଟ୍ (ସିସିୟୁ)ରେ ଭର୍ତ୍ତି କରାଯାଇଛି । ଏକ ଡାକ୍ତରୀ ଟିମ୍ ଧନଖଡଙ୍କ ସ୍ବାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ମିଳିଛି ।

ଅଧିକ ପଢନ୍ତୁ...‘ମହିଳା ସମୃଦ୍ଧି’ ଯୋଜନାକୁ ନେଇ ବିଜେପିକୁ ଟାର୍ଗେଟ କଲେ ଆତିଶୀ ମାର୍ଲେନା

ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିଲେ ବି ତାଙ୍କୁ ଅବଜରଭେସନରେ ରଖାଯାଇଛି । ଉପରାଷ୍ଟ୍ରପତିଙ୍କ ଅସୁସ୍ଥତା ଖବର ଜାଣି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦିଲ୍ଲୀ ଏମ୍ସରେ ପହଞ୍ଚି ତାଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି ।