ନୂଆଦିଲ୍ଲୀ, ୧୦।୯: ଦେଶର ନୂଆ ଉପରାଷ୍ଟ୍ରପତି ହୋଇଛନ୍ତି ସିପି ରାଧାକ୍ରିଷ୍ଣନନ୍ । ଏନଡିଏରୁ ପ୍ରାର୍ଥୀ ସି.ପି. ରାଧାକୃଷ୍ଣନନ୍ ଏବଂ ବିରୋଧୀ ଦଳରୁ ପ୍ରାର୍ଥୀ ଥିଲେ ପି. ସୁଦର୍ଶନ ରେଡ୍ଡୀ । ୨୧ ଜୁଲାଇରେ ଜଗଦୀପ ଧନଖଡ଼ଙ୍କ ହଠାତ୍ ଇସ୍ତଫା ପରେ ନିର୍ବାଚନର ପରିସ୍ଥିତି ସୃଷ୍ଟି ହୋଇଥିଲା । ଏବେ ଆସନ୍ତୁ ଜାଣିବା ଉପରାଷ୍ଟ୍ରପତିଙ୍କୁ କେତେ ଦରମା ମିଳେ ଏବଂ ତାଙ୍କ ପାଇଁ କେଉଁ କେଉଁ ସୁବିଧା ଉପଲବ୍ଧ ? ଭାରତର ଉପରାଷ୍ଟ୍ରପତି ପଦବୀ ହେଉଛି ଏକମାତ୍ର ପଦବୀ ଯାହା ନିୟମିତ ଦରମା ପାଏ ନାହିଁ । ତାଙ୍କୁ ଉପରାଷ୍ଟ୍ରପତି ଭାବରେ ନୁହେଁ, ସଂସଦର ଉଚ୍ଚ ସଦନ, ରାଜ୍ୟସଭାର ପଦାଧିକାରୀ ଅଧ୍ୟକ୍ଷ ଭାବରେ ଦରମା ଏବଂ ଭତ୍ତା ପ୍ରଦାନ କରାଯାଏ । ସଂସଦ ଅଧିକାରୀମାନଙ୍କ ଦରମା ଏବଂ ଭତ୍ତା ଆଇନ ୧୯୫୩ ଅନୁଯାୟୀ, ମାସିକ ୪ ଲକ୍ଷ ଟଙ୍କା ଦରମା ମିଳେ, ଯାହା ୨୦୧୮ ପର୍ଯ୍ୟନ୍ତ ୧.୨୫ ଲକ୍ଷ ଟଙ୍କା ଥିଲା । ଏହା ସମୟ ସମୟରେ ବୃଦ୍ଧି ପାଏ ।
ଦରମା ବ୍ୟତୀତ ଆଉ କ’ଣ ସୁବିଧା ମିଳିଥାଏ ?
ଉପରାଷ୍ଟ୍ରପତିଙ୍କର ନିୟମିତ ଦରମା ଏବଂ ଭତ୍ତାର ସୁବିଧା ନାହିଁ, କିନ୍ତୁ ଉଚ୍ଚ ସଦନର ପଦାଧିକାରୀ ଅଧ୍ୟକ୍ଷ ଭାବରେ, ସରକାର ସରକାରୀ ବାସଭବନ ଏବଂ ଏହାର ରକ୍ଷଣାବେକ୍ଷଣର ସମ୍ପୂର୍ଣ୍ଣ ଦାୟିତ୍ୱ ସରକାରଙ୍କର । ସରକାରୀ ବାସଭବନ ବ୍ୟତୀତ, ଦୈନିକ ଭତ୍ତା, ଯାତ୍ରା ଭତ୍ତା, ମାଗଣା ଚିକିତ୍ସା ସେବା, ଉଚ୍ଚସ୍ତରୀୟ ସୁରକ୍ଷା, ଘରୋଇ ସହାୟକ, କର୍ମଚାରୀ, ଟେଲିଫୋନ, ଇଣ୍ଟରନେଟ୍ ସୁବିଧା ଯୋଗାଇ ଦିଆଯାଏ । ଏହା ବ୍ୟତୀତ, ବ୍ୟକ୍ତିଗତ ସଚିବ ଏବଂ ଅନ୍ୟାନ୍ୟ କର୍ମଚାରୀମାନଙ୍କୁ ମଧ୍ୟ ଯୋଗାଇ ଦିଆଯାଏ । ଏଥିସହ ଟ୍ରେନ୍ ଏବଂ ବିମାନ ଯାତ୍ରା, ଲ୍ୟାଣ୍ଡଲାଇନ୍ ଏବଂ ମୋବାଇଲ୍ ଫୋନ୍ ସେବାର ସୁବିଧା ଯୋଗାଇ ଦିଆଯାଏ । ବିଦେଶ ଯାତ୍ରାରେ କୂଟନୈତିକ ପାସପୋର୍ଟ ଏବଂ ହୋଟେଲ ବୁକିଂ ସୁବିଧା ମିଳେ । ଉପରାଷ୍ଟ୍ରପତିଙ୍କ ପିଲାମାନଙ୍କୁ ସରକାରୀ ସ୍କୁଲ କିମ୍ବା କଲେଜରେ ଫି ଛାଡ଼ ଏବଂ ଅନ୍ୟାନ୍ୟ ସୁବିଧା ମିଳିଥାଏ ।
କେତେ ପେନସନ୍ ପାଆନ୍ତି ଉପରାଷ୍ଟ୍ରପତି ?
ଯଦି ଦରମା ନାହିଁ, ତେବେ ଉପରାଷ୍ଟ୍ରପତି ପଦବୀ ପାଇଁ କୌଣସି ପେନସନ ସୁବିଧା ନାହିଁ । ପଦ ଛାଡ଼ିବା ପରେ ମଧ୍ୟ, ପୂର୍ବତନ ଉପରାଷ୍ଟ୍ରପତିଙ୍କୁ ଅନେକ ସୁବିଧା ପ୍ରଦାନ କରନ୍ତି ସରକାର । ଯେଉଁଥିରେ ଜୀବନବ୍ୟାପୀ ପେନସନ୍ ଅନ୍ତର୍ଭୁକ୍ତ, ଯାହା ବର୍ତ୍ତମାନର ଦରମାର ୫୦ ପ୍ରତିଶତ । ରାଜ୍ୟସଭାର ପୂର୍ବତନ ଅଧ୍ୟକ୍ଷ ଭାବରେ, ଉପରାଷ୍ଟ୍ରପତି ପଦରେ ଥିବା ବ୍ୟକ୍ତିଙ୍କୁ ପ୍ରତି ମାସରେ ତାଙ୍କ ଦରମାର ଅଧା ଅର୍ଥାତ୍ ପ୍ରାୟ ୨ ଲକ୍ଷ ଟଙ୍କା ପେନସନ ଆକାରରେ ମିଳେ । ଏହା ବ୍ୟତୀତ, ତାଙ୍କୁ ଏକ ବିଳାସପୂର୍ଣ୍ଣ ବଙ୍ଗଳା, ଏକ ସରକାରୀ କାର୍ ଏବଂ ସୁରକ୍ଷା ମଧ୍ୟ ମିଳିଥାଏ । କାର୍ଯ୍ୟକାଳ ଶେଷ ହେବା ପରେ ଚିକିତ୍ସା ସୁବିଧା ମଧ୍ୟ ଯୋଗାଇ ଦିଆଯାଏ । ଏହା ବ୍ୟତୀତ, ଜଣେ ବ୍ୟକ୍ତିଗତ ସଚିବ, ଜଣେ ଅତିରିକ୍ତ ବ୍ୟକ୍ତିଗତ ସଚିବ, ଜଣେ ବ୍ୟକ୍ତିଗତ ସହାୟକ, ଜଣେ ଡାକ୍ତର, ଜଣେ ନର୍ସିଂ ଅଧିକାରୀ ଏବଂ ୪ ଜଣ ବ୍ୟକ୍ତିଗତ ପରିଚାରିକା ଯୋଗାଇ ଦିଆଯାଏ ।
କେମିତି ହୁଏ ଉପରାଷ୍ଟ୍ରପତି ନିର୍ବାଚନ ?
ଭାରତରେ ଉପରାଷ୍ଟ୍ରପତିଙ୍କ ନିର୍ବାଚନ ଏକ ସ୍ୱତନ୍ତ୍ର ପ୍ରକ୍ରିୟା, ଯାହା ସମ୍ବିଧାନର ଧାରା ୬୬ ଅନୁଯାୟୀ ହୋଇଥାଏ । ଏହି ନିର୍ବାଚନ ଲୋକସଭା ଏବଂ ରାଜ୍ୟସଭାର ସାଂସଦମାନଙ୍କ ଦ୍ୱାରା ଗୁପ୍ତ ମତଦାନ ମାଧ୍ୟମରେ କରାଯାଏ । ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟଦାନ ବାଲଟ୍ ପେପର ଏବଂ ଏକକ ସ୍ଥାନାନ୍ତରଣୀୟ ଭୋଟ୍ ବ୍ୟବସ୍ଥା ମାଧ୍ୟମରେ କରାଯାଏ । ଏଥିରେ, ସାଂସଦମାନେ ପ୍ରାଥମିକତା ଆଧାରରେ ସେମାନଙ୍କର ପ୍ରିୟ ପ୍ରାର୍ଥୀଙ୍କୁ ଭୋଟ୍ ଦିଅନ୍ତି । ଗୁପ୍ତ ମତଦାନ ଯୋଗୁଁ, କେଉଁ ସାଂସଦ କାହାକୁ ଭୋଟ୍ ଦେଇଛନ୍ତି କେହି ଜାଣିପାରିବେ ନାହିଁ ।