ନୂଆଦିଲ୍ଲୀ,୧୪।୧୧: ବିହାର ବିଧାନସଭା ନିର୍ବାଚନ ୨୦୨୫ ଜିତିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନଡିଏର ସହଯୋଗୀ ଦଳଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ବିହାରର ଜନତାଙ୍କୁ ଏନ୍ଡିଏର ଐତିହାସିକ ସଫଳତା ପାଇଁ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି। ଏହା ସହ ପିଏମ୍ ମୋଦି ଏହି ସଫଳତାକୁ ସୁଶାନସର, ବିକାଶ, ଜନକଲ୍ୟାଣ ତଥା ସାମାଜିକ ନ୍ୟାୟର ଅଦ୍ଭୁତପୂର୍ବ ବିଜୟ ବୋଲି ଘୋଷଣା କରିଛନ୍ତି।
ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ ସେୟାର କରି ପିଏମ୍ ମୋଦି ଲେଖିଛନ୍ତି, ବିହାରରେ ସୁଶାସନର ବିଜୟ ହୋଇଛି। ବିକାଶର ବିଜୟ, ଜନକଲ୍ୟାଣର ବିଜୟ ଏବଂ ସାମାଜିକ ନ୍ୟାୟର ବିଜୟ ହୋଇଛି। ବିହାରର ମୋ ପରିବାରବାସୀଙ୍କୁ ବହୁତ ବହୁତ ଧନ୍ୟବାଦ। ଯେଉଁମାନେ୨୦୨୫ ବିଧାନସଭା ନିର୍ବାଚନରେ ଏନଡିଏକୁ ଐତିହାସିକ ଓ ଅଦ୍ଭୁତପୂର୍ବ ବିଜୟର ଆର୍ଶିବାଦ ପ୍ରଦାନ କରିଛନ୍ତି। ଏହି ଅପାର ଜନସମର୍ଥନ ଆମକୁ ଜନତା-ଜନାର୍ଦ୍ଦନର ନିଷ୍ଠାପର ସେବା କରିବା ତଥା ବିହାରର ଉଜ୍ବଳ ଭବିଷ୍ୟତ ପାଇଁ ନୂଆ ସଂକଳ୍ପ ସହ କାମ କରିବାର ପ୍ରେରଣା ଦେବ।
ଏନଡିଏର ପ୍ରତ୍ୟେକ କର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ପିଏମ୍ ମୋଦି। ସେ କହିଛନ୍ତି, ମୁଁ ପ୍ରତ୍ୟେକ କର୍ମୀଙ୍କୁ ଧନ୍ୟବାଦ ଜଣାଉଛି। ଯେଉଁମାନେ ଅକ୍ଲାନ୍ତ ପରିଶ୍ରମ କରିଛନ୍ତି। ସେମାନେ ଜନତାଙ୍କ ଭିତରେ ଯାଇ ଆମର ବିକାଶର ଏଜେଣ୍ଡାକୁ ରଖିଥିଲେ ଓ ବିରୋଧିଙ୍କ ସବୁ ମିଛର ଜବାବ୍ ଦେଇଥିଲେ। ଆଗାମୀ ସମୟରେ ଆମେ ବିହାରର ବିକାଶ, ସେଠାର ଭିତ୍ତିଭୂମି ଓ ରାଜ୍ୟର ସଂସ୍କୃତିକୁ ନୂତନ ପରିଚନ ଦେବା ପାଇଁ କାମ କରିବୁ। ଆମେ ଏହା ସୁନିଶ୍ଚିତ କରିବୁ ଯେ, ଯୁବ ଶକ୍ତି ଓ ନାରୀ ଶକ୍ତିଙ୍କୁ ସମୃଦ୍ଧ ଜୀବନ ପାଇଁ ଭରପୁର ସୁଯୋଗ ମିଳିବ।