ନୂଆଦିଲ୍ଲୀ,୧୬/୦୧: ଚଳିତ ବିଜୟ ହଜାରେ ଟ୍ରଫିରେ ପ୍ରଥମ ଦଳ ଭାବେ ବିଦର୍ଭ ଫାଇନାଲକୁ ଯୋଗ୍ୟତା ଅର୍ଜନ କରିଛି । ଗୁରୁବାର ଅନୁଷ୍ଠିତ ସେମି ଫାଇନାଲ୍ ମୁକାବିଲାରେ ଦଳ ୬ ୱିକେଟ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍ କର୍ଣ୍ଣାଟକକୁ ପରାସ୍ତ କରିଥିଲା । ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି କର୍ଣ୍ଣାଟକ ୪୯.୪ ଓଭରରେ ୨୮୦ ରନ କରି ଅଲ୍ ଆଉଟ୍ ହୋଇ ଯାଇଥିଲା । ଜବାବରେ ବିଦର୍ଭ ୪୬.୨ ଓଭରରେ ୪ ୱିକେଟ୍ ବିନିମୟରେ ଆବଶ୍ୟକ ରନ ସଂଗ୍ରହ କରିନେଇଥିଲା । ଶତକ ଅର୍ଜନ କରି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଅମନ ମୋଖାଡ଼େ ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ । ସେ ଚଳିତ ବିଜୟ ହଜାରେ ଟ୍ରଫିରେ ପଞ୍ଚମ ଶତକ ଅର୍ଜନ କରିଥିଲେ ଓ ସର୍ବାଧିକ ରନ୍ ତାଲିକାରେ ଦେବଦତ୍ତ ପାଡ଼ିକଲଙ୍କୁ ପଛରେ ପକାଇ ଶୀର୍ଷ ସ୍ଥାନ ଦଖଲ କରିଥିଲେ ।

​​​​​​​

କର୍ଣ୍ଣାଟକ ୨୦ ରନ୍‌ରେ ଉଭୟ ଓପନରଙ୍କୁ ହରାଇଥିଲା । ମୟଙ୍କ ଅଗରୱାଲ ୯ ଓ ପାଡ଼ିକଲ ୪ ରନ କରି ଆଉଟ୍ ହୋଇଥିଲେ । ଏହାପରେ କରୁଣ ନାଏର ଲଢୁଆ ବ୍ୟାଟିଂ କରି ସ୍ଥିତି ସୁଧାରିଥିଲେ । ମଧ୍ୟ ଭାଗରେ କେ ଶ୍ରୀଜିତ ଉପଯୋଗୀ ଅର୍ଦ୍ଧଶତକ ଅର୍ଜନ କରିବାରୁ ଦଳୀୟ ସ୍କୋର ୨୮୦ରେ ପହଞ୍ଚିଥିଲା । ନାଏର ୭୬ ଓ ଶ୍ରୀଜିତ ୫୬ ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରେୟାସ ଗୋପାଳ ୩୬, ଅଭିନବ ମନୋହର ୨୬ ଓ ଧ୍ରୁବ ପରାସର ୨୮ ରନ କରିଥିଲେ । ବିଦର୍ଭ ପକ୍ଷରୁ ଦର୍ଶନ ନାଲକନ୍ଦେ ୫ଟି ୱିକେଟ୍ ନେଇଥିଲେ । ଜବାବରେ ବିଦର୍ଭ ସହଳ ଓପନର ଅର୍ଥବ ତାଇଡ଼େ (୬)ଙ୍କ ୱିକେଟ ହରାଇଥିଲେ ହେଁ ଅନ୍ୟ ଓପନର ମୋଖାଡ଼େ ଶତକ ଅର୍ଜନ କରି ଦଳକୁ ବିଜୟୀ କରାଇଥିଲେ । ସେ ୧୨ଚୌକା ଓ ୨ ଛକା ବଳରେ ୧୨୨ ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆର. ସମର୍ଥ ଅପରାଜିତ ୭୬ ଓ ଧ୍ରୁବ ସୋରେ ୪୭ ରନ କରିଥିଲେ ।

କର୍ଣ୍ଣାଟକ ପକ୍ଷରୁ ଅଭିଳାଷ ସେଟ୍ଟୀ ୩ଟି ୱିକେଟ୍ ନେଇଥିଲେ । ମୋଖାଡ଼େ ଚଳିତ ଟୁର୍ଣ୍ଣାମେଣ୍ଟରେ ମୋଟ୍ ୫ଟି ଶତକ ଓ ଗୋଟିଏ ଅର୍ଦ୍ଧଶତକ ବଳରେ ମୋଟ୍ ୭୮୧ ରନ ସଂଗ୍ରହ କରିସାରିଛନ୍ତି । ସେ ବେଙ୍ଗଲ ବିପକ୍ଷରେ ୧୧୦, ଜମ୍ମୁ ଓ କାଶ୍ମୀର ବିପକ୍ଷରେ ୧୩୯, ବରୋଦା ବିପକ୍ଷରେ ଅପରାଜିତ ୧୫୦ ଓ ଉତ୍ତର ପ୍ରଦେଶ ବିପକ୍ଷରେ ୧୪୭ ରନ୍ର ଇନିଂସ ଖେଳିଥିଲେ । ପାଡ଼ିକଲ ୯ଟି ମ୍ୟାଚ୍ରୁ ୭୨୫ ରନ ସଂଗ୍ରହ କରିଛନ୍ତି । ସେ ୪ଟି ଶତକ ଓ ୨ଟି ଅର୍ଦ୍ଧଶତକ ଅର୍ଜନ କରିଛନ୍ତି ।