ଚନ୍ଦ୍ରଶେଖରପୁର,୧୪/୧୨: ପ୍ରେମିକା ସହ ଭିଡିଓ କଲରେ କଥା ହେଲେ । ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓକୁ ସ୍କ୍ରିନ୍‌ ରେକର୍ଡିଂ କରିଦେଲେ । ପରେ ଉକ୍ତ ଭିଡିଓକୁ ଦେଖାଇ ଟଙ୍କା ଦାବି କଲେ । ଟଙ୍କା ନ ଦେବାରୁ ଭିଡିଓକୁ ପ୍ରଘଟ କରିଦେଲେ । ପ୍ରେମିକାର ଅଭିଯୋଗ  ପରେ ଅଭିଯୁକ୍ତ ପୂର୍ବତନ ପ୍ରେମିକଙ୍କୁ ଗିରଫ  କରିଛି ଚନ୍ଦ୍ରଶେଖରପୁର ଥାନା ପୁଲିସ । ସେ ହେଲେ ବିକି ବାରିକ(୨୧) । ଘର ଜଟଣୀ ଅଞ୍ଚଳରେ ।  

ଅଭିଯୋଗ ଅନୁଯାୟୀ ଶୈଳଶ୍ରୀ ବିହାରରେ ରହନ୍ତି  ରିଙ୍କି(ଛଦ୍ମନାମ) । ସେ ଇନଷ୍ଟାଗ୍ରାମରେ ଅନେକ ସମୟରେ ରିଲ୍ସ ଭିଡିଓ କରି ପୋଷ୍ଟ କରନ୍ତି । ତାଙ୍କର ୬ ଲକ୍ଷରୁ ଉଦ୍ଧ୍ୱର୍ ଫଲୋଅର୍ସ ରହିଛନ୍ତି । କିଛି ଦିନ ପୂର୍ବରୁ ରିଙ୍କି ତାଙ୍କର ପୂର୍ବତନ ପ୍ରେମିକ ବିକିଙ୍କ ସହ ଭିଡିଓ କଲରେ କଥା ହେଉଥିଲେ । କଥା ସମୟରେ ରିଙ୍କିଙ୍କ କିଛି ଅନ୍ତରଙ୍ଗ ମୁହୂର୍ତ୍ତ ଭିଡିଓକୁ ବିକି ସ୍କ୍ରିନ୍‌ ରେକର୍ଡିଂ କରି ଦେଇଥିଲେ । ପରେ ଉକ୍ତ ଭିଡିଓ ରିଙ୍କିଙ୍କୁ ପଠାଇଥିଲେ । ଏହି ଭିଡିଓକୁ ଡିଲିଟ୍‌ କରିବାକୁ ରିଙ୍କି  କହିଥିଲେ । ହେଲେ ବିକି ଏହି ଭିଡିଓ ଡିଲିଟ୍‌  କରିବାକୁ ଲକ୍ଷାଧିକ ଟଙ୍କା ଦାବି କରିଥିଲେ ।  ରିଙ୍କି ଟଙ୍କା ଦେବାକୁ ରୋକଠୋକ୍‌ ମନା କରି ଦେଇଥିଲେ ।  ଟଙ୍କା ନମିଳିବାରୁ ବିକି ଉକ୍ତ ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରି ଦେଇଥିଲେ । ଏନେଇ ଚନ୍ଦ୍ରଶେଖରପୁର  ଥାନାରେ ରିଙ୍କି ଅଭିଯୋଗ କରିଥିଲେ । ପୁଲିସ ଏକ ମାମଲା  ରୁଜୁ କରି ଜଟଣୀ ଅଞ୍ଚଳରୁ ବିକିଙ୍କୁ ଉଠାଇ ଆଣିଥିଲା ।