ନୂଆଦିଲ୍ଲୀ: ତାମିଲନାଡୁ ସରକାରଙ୍କୁ କଠୋର ସମାଲୋଚନା କରିଛନ୍ତି ଅଭିନେତାରୁ ରାଜନେତା ପାଲଟିଥିବା ଥଲାପତି ବିଜୟ। ଭେଲୋରରେ ଦଳୀୟ ରାଲିକୁ ସମ୍ବୋଧିତ କରି, ତାମିଲନାଡୁ ଭେଟ୍ରି କଝଗମ (ଟିଭିକେ)ର ମୁଖ୍ୟ ବିଜୟ ଶାସକ ଡିଏମକେ ଉପରେ ଜୋରଦାର ବର୍ଷିଛନ୍ତି। କହିଛନ୍ତି, "କେ. କାମରାଜ, ଆନ୍ନାଦୁରାଇ ଏବଂ ଏମଜିଆରଙ୍କ ଭଳି ମହାନ ବ୍ୟକ୍ତିଙ୍କ ଯୁଗରେ ତାମିଲନାଡୁ ଏକ ସାନଦାର ରାଜ୍ୟ ଥିଲା। ବର୍ତ୍ତମାନ, ଏଠାରେ ସରକାରଙ୍କ ଏକ ନକଲି ମଡେଲ ଚାଲିଛି। ଏହା ଏକ ଷ୍ଟାଣ୍ଡ-ଅପ୍ କମେଡି ଭଳି ସରକାର। ସେଥିପାଇଁ ମୁଁ କହୁଛି ଯେ, ଏହି ନିର୍ବାଚନ ଐତିହାସିକ ଏବଂ ଚମତ୍କାର ହେବାକୁ ଯାଉଛି ।

ଡିଏମକେ ମିଥ୍ୟା ପ୍ରତିଶ୍ରୁତି ଦିଏ : ବିଜୟ

ବିଜୟ ତାଙ୍କ ଦଳ ଟିଭିକେର ନିର୍ବାଚନ ଚିହ୍ନ, ହ୍ୱିସିଲ୍ ପାଇଁ ଭୋଟ ଦେବାକୁ ଲୋକଙ୍କୁ ଅପିଲ୍ କରିଛନ୍ତି। ବିଜୟ କହିଛନ୍ତି, "ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ ମିଥ୍ୟା ପ୍ରତିଶ୍ରୁତି ଦେଇ ଜନସାଧାରଣଙ୍କୁ ଭ୍ରମିତ କରନ୍ତି। ତେଣୁ, ମୁଁ ଆପଣଙ୍କୁ ଟିଭିକେକୁ ଭୋଟ ଦେବାକୁ ଅପିଲ୍ କରୁଛି।" ଦୁଇ ଦିନ ପୂର୍ବରୁ ବିଜୟ ଚେନ୍ନାଇରେ ଏକ ରାଲିରେ କହିଥିଲେ ଯେ, ତାଙ୍କ ଦଳ ଆଗାମୀ ବିଧାନସଭା ନିର୍ବାଚନରେ କୌଣସି ଦଳ ସହିତ ମେଣ୍ଟ କରିବ ନାହିଁ। DMK ଏବଂ AIADMK ବିଜୟଙ୍କୁ କୌଣସି ଗୁରୁତ୍ୱ ଦେଉ ନାହାଁନ୍ତି, କିନ୍ତୁ TVK ର ରାଲିରେ ଭିଡ଼ ସୂଚାଇ ଦେଉଛି ଯେ, ତାମିଲନାଡୁ ବିଧାନସଭା ନିର୍ବାଚନ ପ୍ରତିଯୋଗିତା ଏକ ତ୍ରିକୋଣୀୟ ହୋଇଗଲାଣି।

ନିଜେ ଯାଇ ଲୋକଙ୍କୁ ଭେଟିବି...

ବିଜୟ କହିଛନ୍ତି, "ଏମକେ ଷ୍ଟାଲିନ୍ ମିଥ୍ୟା ପ୍ରତିଶ୍ରୁତି ଦେଇଛନ୍ତି ଏବଂ ଲୋକଙ୍କୁ ପ୍ରତାରିତ କରିଛନ୍ତି। ଯେତେବେଳେ ଟିଭିକେ ତାମିଲନାଡୁରେ ସରକାର ଗଠନ କରିବ, ମୁଁ ବ୍ୟକ୍ତିଗତ ଭାବରେ ପ୍ରତ୍ୟେକ ଜିଲ୍ଲା ଗସ୍ତ କରି ଲୋକଙ୍କୁ ଭେଟିବି। ଏହି ନିର୍ବାଚନ ତାମିଲନାଡୁର ଜନତା ଏବଂ DMK ସରକାରଙ୍କ ମଧ୍ୟରେ। ପ୍ରତିଯୋଗିତା ଜନତା ଏବଂ ଷ୍ଟାଲିନ୍ ସାରଙ୍କ ମଧ୍ୟରେ। ଆମର ଭୋଟ ଆମର ଅଧିକାର। କେହି ଆମଠାରୁ ଏହାକୁ ଛଡ଼ାଇ ନେଇପାରିବେ ନାହିଁ। ମୁଁ ଆଶା କରୁଛି ପ୍ରତ୍ୟେକ ଭୋଟ 'ହ୍ବିସଲ' ଚିହ୍ନକୁ ଯିବ।"

ଏହା ସହ ପଢନ୍ତୁ : କ୍ରାସ ହୋଇନି ତେଜସ ଯୁଦ୍ଧ ବିମାନ, ଦୁର୍ଘଟଣା ବାବଦରେ ସ୍ପଷ୍ଟୀକରଣ ରଖିଲା ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍...