ଭୁବନେଶ୍ୱର ୧୦/୦୫: ତାମିଲନାଡୁବାସୀଙ୍କୁ ମୋର ପ୍ରତିଶ୍ରୁତି, କୌଣସି ପରିସ୍ଥିତିରେ ରାଜ୍ୟ ରାଜକୋଷରୁ ଟଙ୍କାଟିଏ ଅପବ୍ୟବହାର କରିବାକୁ ଦେବିନି । ଦୁର୍ନୀତିକୁ ପ୍ରଶୟ ଦେବିନି କି ପାଖ ମାଡ଼ିବିନି । ଶପଥଗ୍ରହଣ ପରେ ଏହା କହିଛନ୍ତି ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ ବିଜୟ । ସେ ଭରସା ଦେଇଛନ୍ତି, ରାଜ୍ୟବାସୀ ମୋ ଉପରେ ଯେଉଁ ଭରସା ରଖିଛନ୍ତି ତାକୁ ପୂରଣ କରିବାକୁ ମୁଁ ପୂର୍ଣ୍ଣପ୍ରାଣରେ କାମ କରିବି ।
ସବୁ ଅପେକ୍ଷାର ଅନ୍ତ । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଟିଭିକେ ମୁଖ୍ୟ ବିଜୟ । ଆଜିଠୁ ତାମିଲନାଡୁରେ ବିଜୟ ସରକାର ଆରମ୍ଭ ହୋଇଛି । ୧୯୬୭ ପରେ ପ୍ରଥମ ଅଣଦ୍ରାବିଡ଼ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ । ରାଜ୍ୟରେ ବିଜୟ ଯୁଗ ଜାରି । ଟିଭିକେ ଚିଫ୍ ବିଜୟଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ । ଚେନ୍ନାଇର ଜବାବାରଲାଲ୍ ନେହରୁ ଷ୍ଟାଡିୟମରେ ଐତିହାସିକ ଶପଥ ଉତ୍ସବ ଅନୁଷ୍ଠିତ ହୋଇଛି । ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଉପସ୍ଥିତ ଅଛନ୍ତି । ଟିଭିକେ ମୁଖ୍ୟଙ୍କ ସହ ୯ ଜଣଙ୍କ ବିଜୟଙ୍କ କ୍ୟାବିନେଟରେ ଶପଥ ଗ୍ରହଣ କରିଛନ୍ତି । ଶପଥ ଗ୍ରହଣ ସମାରୋହରେ ସମର୍ଥକଙ୍କ ଉପସ୍ଥିତିରେ ଷ୍ଟାଡିୟମ ଉଛୁଳି ପଡିଛି । ବିଜୟଙ୍କ ବାପା, ମାଆ ଏବଂ ତାଙ୍କ ଲେଡି ଲକ୍ କୁହାଯାଉଥିବା ଅଭିନେତ୍ରୀ ତ୍ରିଶା କ୍ରିଷ୍ଣନ ମଧ୍ୟ ଉପସ୍ଥିତ ଅଛନ୍ତି । ବିଜୟ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ସହିତ ତାମିଲନାଡୁ ରାଜନୀତିର ନୂତନ ଯୁଗରେ ପ୍ରବେଶ କରିଛି । ବ୍ଲାକ୍ ପ୍ୟାଣ୍ଟ ଏବଂ ହ୍ୱାଇଟ୍ ସାର୍ଟରେ ଜବରଦସ୍ତ ଲୁକ୍ରେ ନଜର ଆସିଛନ୍ତି ସିଏମ୍ ଜୋସେଫ୍ ବିଜୟ । ବିଜୟ ମନ୍ତ୍ରିମଣ୍ଡଳରେ ୯ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି । ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଏନ୍. ଆନନ୍ଦ. ଅଦଭ ଅର୍ଜୁନ, କେ.ଜି ଅରୁନରାଜ, କେ.ଏ ସେଙ୍ଗୋଟାଇୟାନ୍, ପି. ଭେଙ୍କଟରମନନ୍ , ଆର. ନିର୍ମଳକୁମାର, ରାଜମୋହନ,ଟି.କେ ପ୍ରଭୁ, ସେଲଭି ଏସ୍. କୀର୍ତ୍ତନା । ଏକମାତ୍ର ମହିଳା ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ସେଲ୍ଭି ଏସ୍. କୀର୍ତ୍ତନ ।
ଆହୁରି ପଢ଼ନ୍ତୁ...Tamil Nadu CM: ତାମିଲନାଡୁରେ 'ବିଜୟ' ଯୁଗ...୧୯୬୭ ପରେ ପ୍ରଥମ ଅଣଦ୍ରାବିଡ଼ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଥାଲାପତି
ବହୁ ସସପେନ୍ସ ପରେ ତାମିଲନାଡୁରେ ଶପଥ ନେଇଛି ନୂଆ ସରକାର । ୪ ଥର ରାଜ୍ୟପାଳଙ୍କୁ ଭେଟିବା ପରେ ରାଜ୍ୟପାଳ ଶପଥଗ୍ରହଣ କରିବାକୁ ବିଜୟଙ୍କୁ ଆମନ୍ତ୍ରଣ କରିଥିଲେ । ବିଧାନସଭା ନିର୍ବାଚନ ଫଳ ମେ ୪ରେ ଆସିଥିଲା । ମୋଟ ୨୩୪ ଆସନ ମଧ୍ୟରୁ ସର୍ବାଧିକ ୧୦୮ଟି ଆସନ ଟିଭିକେ ଜିତିଥିଲା । ଟିଭିକେକୁ ଆଗରୁ କଂଗ୍ରେସ(୫), ସିପିଆଇ (୨) ଏବଂ ସିପିଆଇ(ଏମ୍) (୨) ଭଳି ଦଳର ସମର୍ଥନ ୮ ତାରିଖ ସୁଦ୍ଧା ମିଳିସାରିଥିଲା । ତଥାପି ବହୁମତ (୧୧୮) ଅଙ୍କ ଛୁଇଁପାରି ନଥିଲା ଦଳ । ଶନିବାର ଭିସିକେ ଏବଂ ଆଇୟୁଏମ୍ଏଲ୍ ନିଜ ସମର୍ଥନ ଜଣାଇଥିଲେ । ଉଭୟ ଦଳ ପାଖରେ ୨ଟି ଲେଖାଏଁ ଆସନ ଥିବାରୁ ମୋଟ ସଂଖ୍ୟା ୧୨୧ରେ ପହଞ୍ଚିଥିଲା ।