ଭବାନୀପାଟଣା,୨୪।୬: ରାଜ୍ୟ ସରକାର ଆଦିବାସୀ ଓ ଦଳିତ ସମୁଦାୟର ଲୋକମାନଙ୍କୁ ଥାଇଥାନ କରିବା ସହିତ ସମସ୍ତ ସୁବିଧା ଯୋଗାଇ ଦେବାକୁ ଯୋଜନା ପରେ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏଥିପାଇଁ କୋଟି କୋଟି ଟଙ୍କା ବାର୍ଷିକ ଅନୁଦାନ ଖର୍ଚ୍ଚ ହେଉଛି। କିନ୍ତୁ ଏହି ସବୁ ଯୋଜନା ସରକାରଙ୍କ ନାଲିଫିତା ତଳେ ରହି ଯାଉଥିବା ଦେଖିବାକୁ ମିଳିଛି। ରାଜ୍ୟ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ୍ଲ ଖବାହାଲି ପଞ୍ଚାୟତର ପଟାଙ୍ଗପଦର ଗାଆଁ ଏବେବି ଅପହଞ୍ଚ ହୋଇରହିଛି। ଏଠାରେ ଲୋକମାନେ ସରକାରୀ ସବିଧା ସୁଯୋଗ ପାଇବାରୁ ବଞ୍ଚିତ ହୋଇଛନ୍ତି। ଏଠାର ଲୋକଙ୍କ ପାଇଁ ରାସ୍ତାଘାଟ, ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ, ପରିମଳ ଆଦି ଯୋଜନା ବିଗିଡ଼ି ଯାଇଛି।
ପଟାଙ୍ଗପଦର ଗାଁରେ ୪୫ଟି ପରିବାର ରହୁଛନ୍ତି। ଗାଁର ମୁଖ୍ୟ ସମସ୍ୟା ରାସ୍ତା ଓ ପାନୀୟ ଜଳ।ଲାଖବାହାଲି ପଞ୍ଚାୟତ ମୁଖ୍ୟାଳୟ ଠାରୁ ମାତ୍ର ୫ କିମି ଦୂରରେ ଥିଲେ ମଧ୍ୟ ଅବହେଳିତ ହୋଇରହିଛି।ଗ୍ରାମବାସୀ ପଞ୍ଚାୟତ ଆସିବାକୁ ହେଲେ ଦୁଇ କିଲୋମିଟର ମାଟି ରାସ୍ତା ଓ ତିନି କିଲୋମିଟର ଗଲେ ଜମି ହିଡରେ ଚାଲିଚାଲି ଯାତାୟାତ କରୁଛନ୍ତି। ଗାଁରେ ହାତ ଗଣତି ଦୁଇ ତିନୋଟି ପରିବାର କେବଳ ଆବାସ ଯୋଜନାରେ ଗୃହ ପାଇଛନ୍ତି। ଗାଁର ତିନୋଟି ପଡ଼ାରେ ୩ଟି ନଳକୂପ ରହିଥିଲା। ମାତ୍ର ଆଦିବାସୀ ପଡ଼ାରେ ଥିବା ନଳକୂପରେ ସୋଲାର ପମ୍ପ ସଂଯୋଗ କରିବା ପରେ ତାହା ୫ ବର୍ଷ ହେଲା ଅଚଳ ହୋଇ ରହିଥିବା ବେଳେ ଅନ୍ୟ ୨ଟିରେ ଦୂଷିତ ଓ ପାନୀୟ ଉପଯୋଗୀ ନଥିବା ଗ୍ରାମବାସୀ କହିଛନ୍ତି। ଫଳରେ ଢେଡ଼ କିମି ଦୂର ଯାଇ ଗାଁ ନିକଟସ୍ଥ ଚାଷ ଜମି କଡ଼ରୁ ବାହାରୁଥିବା ଝରଣା ପାଣିକୁ ପାନୀୟ ଜଳ ରୂପେ ବ୍ୟବହାର କରୁଛନ୍ତି ଗ୍ରାମବାସୀ। ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଗାଁରେ ପ୍ରାଥମିକ ବିଦ୍ୟାଳୟ ରହିଛି। ପଞ୍ଚମ ଶ୍ରେଣୀ ଉତ୍ତୀର୍ଣ୍ଣ ହେବା ପରେ ୧୦କିମି ଦୂର ବେନଗାଁ ଉଚ୍ଚ ବିଦ୍ୟାଳୟକୁ ଓ ୫ କିମି ଦୂର ଲାଖବାହାଲି ଉଚ୍ଚ ବିଦ୍ୟାଳୟକୁ ପିଲାଏ ଯାଉଛନ୍ତି। ମାତ୍ର ପଟାଙ୍ଗପଦର ଓ ଲାଖବାହାଲି ମଝିରେ ଏକ ନାଳ ଥିବା ଯୋଗୁଁ ବର୍ଷା ଦିନେ ଅଧିକାଂଶ ଛାତ୍ରଛାତ୍ରୀ ଶିକ୍ଷାରୁ ବଞ୍ଚିତ ହେଉଥିବା ଜଣାପଡିଛି। ସେହିପରି ଅଙ୍ଗନବାଡି କେନ୍ଦ୍ର ଗାଁରେ ନଥିବାରୁ ଗାଁର କୋମଳମତି ଶିଶୁ ମାନଙ୍କୁ ଦୁଇ କିମି ଦୂର ନିକଟସ୍ଥ ସରଗୁଡା ଗାଁକୁ ଯିବାକୁ ହୋଇଥାଏ। ବର୍ଷା ଦିନେ ଗମନା ଗମନ ଅସମ୍ଭବ ବୋଲି କାଳିଆ ମାଝୀ, କିରଗା ମାଝୀ କହିଛନ୍ତି। ଯଦି ପଞ୍ଚାୟତ ଠାରୁ ୫ କିଲୋମିଟର ଦୂରତା ଭିତରେ ଗାଁ’ଗୁଡ଼ିକର ଅବସ୍ଥା ଏପରି ତେବେ ଦୁର୍ଗମ ଅଂଚଳର ଗାଁ’ କିପରି ଥିବ, ତାହା ଏଥିରୁ ସ୍ପଷ୍ଟ ବାରି ହୋଇପଡ଼ୁଛି। ଏହି ଲୋକମାନେ ଜିଲ୍ଲାପାଳଙ୍କ ପାଖକୁ ଗାଁର ସମସ୍ୟା ନେଇ ଧାଇଁ ଆସୁଥିଲେ ମଧ୍ୟ ତାହା ନାଲି ଫିତା ତଳେ ରହି ଯାଉଥିବା କହିଛନ୍ତି ବୁକୁଲୁ ମାଝୀ,ତେରେ ମାଝୀ, ନିମନ୍ତ ହରିଜନ, ନୀଳ ମାଝୀ, ରାଜୁ ମାଝୀ, ଧନୁର୍ଜୟ ମାଝୀ, ଘନିଆସି ହରିଜନ ସମେତ ଅନ୍ୟ ଗ୍ରାମବାସୀ। ଏହି ଆଦିବାସୀ ଗ୍ରାମବାସୀ ଚାଷବାସ ଉପରେ ନିର୍ଭର କରି ଚଳିଥାନ୍ତି। କେବେ ବର୍ଷାର ଅଭାବ ଯୋଗୁ ଧାନକ୍ଷେତ ଉଜୁଡ଼ିଯାଏ ତ ଆଉ କେତେବେଳେ ହାତୀପଲ ଆସି ଧାନକ୍ଷେତରେ ପଶି ଦଳିଚକଟି ନଷ୍ଟ କରିଥାନ୍ତି। ସେମାନେ ନିଜ ଜୀବନକୁ ବାଜି ଲଗାଇ ବଂଚିବାକୁ ସଂଘର୍ଷ କରୁଛନ୍ତି। ଏମାନଙ୍କୁ ସରକାରୀ ଯୋଜନାର ଲାଭ କେବେ ମିଳିବ, ତାହା ଦେଖିବାକୁ ବାକି ରହିଛି।