ମାଲକାନଗିରି,୦୫/୧୦: ମାଲକାନଗିରି ଜିଲ୍ଲା ତଙ୍ଗଗୁଡା ଦୁର୍ଘଟଣାରେ ଗଲାଣି ୨ ଜଣଙ୍କ ଜୀବନ। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତାରୋକ।ଉତ୍ୟକ୍ତ ଲୋକେ ୩୨୬ ନମ୍ବର ଜାତୀୟ ରାଜପଥ ସକାଳ ୬ଟା ରୁ ୧୦ ଟା ପର୍ଯ୍ୟନ୍ତ ଦୀର୍ଘ ୪ ଘଣ୍ଟା ଧରି ଅବରୋଧ କରିଥିଲେ। ଫଳରେ ଜୟପୁର ମାଲକାନଗିରି ଯାତାୟତ ବାଧାପ୍ରାପ୍ତ ହୋଇଥିଲା  । 

ସୂଚନା ମୁତାବକ, ବ୍ରେକ ଡାଉନ ହୋଇ ରାସ୍ତା ଉପରେ ଗତ ଦୁଇଦିନ ହେଲା ଟ୍ରକଟିଏ ଠିଆ ହୋଇଥିଲା । ସେହି ଟ୍ରକରେ ପିଟି ହୋଇ ପ୍ରଥମ ଦିନରେ  ୨ ଜଣ ବାଇକ ଆରୋହୀ ଆହତ ହୋଇଥିଲେ। ଆହତମାନେ କୋରାପୁଟ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ପୁଣି ଶନିବାର ବିଳମ୍ବିତ ରାତ୍ରରେ ସେହି ଟ୍ରକରେ ଆଉ ଗୋଟିଏ ବାଇକ ପିଟି ହୋଇଥିଲା।ଫଳରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ  ଆଜି ସକାଳେ ରାସ୍ତା ରୋକ କରାଯାଇଥିଲା। ୩୨୬ ନଂ ଜାତୀୟ ରାଜପଥରେ ଧାରଣା ଦିଆଯାଇଥିବାରୁ ଜୟପୁର ମାଲକାନଗିରି ଯାତାୟତ ବାଧାପ୍ରାପ୍ତ ହୋଇଥିଲା ।  ଅପରପକ୍ଷରେ ଘଟଣାସ୍ଥଳରେ ମାଲକାନଗିରି ଏସ୍ଡ଼ିପିଓ ଦିବ୍ୟ ରଞ୍ଜନ ଦଳେଇ,ମାଥିଲି ତହସିଲଦାର ମାନସୀ ଭୋଇ , ମାଲକାନଗିରି  ଥାନା  ଆଇଆଇସି  ରିଗାନ କିଣ୍ଡୋ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରି ରାସ୍ତା ଅବରୋଧ ହଟାଇଥିଲେ। ଏହାପରେ ସ୍ୱଭାବିକ ଭାବେ ଯାନବାହାନ ଚଳପ୍ରଚଳ ଆରମ୍ଭ ହୋଇଛି। ଟ୍ରକଟିରେ ଓଜନିଆ ଲୁହାପଥର ବୋଝେଇ ହୋଇଥିବାରୁ ଗାଡିକୁ ହଟାଯାଇ ପାରୁନଥିବା ସୂଚନା ରହିଛି । ଗତକାଲି ରାତ୍ରରେ ମୃତ ବ୍ୟକ୍ତିଙ୍କ ମଧ୍ୟରୁ ଦୁଇଜଣଙ୍କ ପରିଚୟ ମିଳିଛି । ସେମାନେ ହେଲେ ମାଲକାନଗିରି ଥାନା ସିନ୍ଧ୍ରିମାଳ ପଞ୍ଚାୟତ କଂଗଡ଼ି ଗ୍ରାମର ଭୀମ ଖିଲ ଓ ସୁକୁ ଖିଲ।ପୁଲିସ ମୃତ ଶରୀର ଜବତ କରି ଶବ ବ୍ୟବଛେଦ ନିମନ୍ତେ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି। ଗୋଟିଏ ଦିନରେ ଏକା ସାଙ୍ଗରେ ଦୁଇ ଯୁବକଙ୍କର ମୃତ୍ୟୁ ଘଟିଥିବାରୁ କଂଗଡି  ଗ୍ରାମରେ ଶୋକର ଛାୟା ଖେଳିଯାଇଛି।