ନୂଆଦିଲ୍ଲୀ,୧୩/୧୨; ଅବସରରୁ ୟୁ-ଟର୍ଣ୍ଣ ନେଲେ ଭାରତର ଷ୍ଟାର କୁସ୍ତିଯୋଦ୍ଧା ଭିନେଶ ଫୋଗାଟ୍ । ୨୦୨୮ ଅଲମ୍ପିକ୍ସରୁ ସନ୍ନ୍ୟାସକୁ ଫେରାଇ ନେଇଛନ୍ତି । ୨୦୨୪ ପ୍ୟାରିସ୍ ଅଲମ୍ପିକ୍ସ ଫାଇନାଲରେ ଶରୀର ଓଜନ ଅଧିକ ଥିବାରୁ ଅଯୋଗ୍ୟ ଘୋଷିତ ହୋଇଥିଲେ ଭାରତୀୟ ମହିଳା କୁସ୍ତିବିତ୍ ଭିନେଶ । ଏବେ ଅବସରରୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ସହିତ ୨୦୨୮ ଲସ୍ ଏଞ୍ଜେଲସ୍ ଅଲିମ୍ପକ୍ସ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ୪୯୦ ଦିନ ପରେ ପୁଣି କୁସ୍ତିକୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି ଭିନେଶ୍ ।

ପ୍ୟାରିସ୍ କ୍ରୀଡ଼ାରେ ଫାଇନାଲ ପୂର୍ବରୁ ତାଙ୍କୁ ଓଜନ କରାଯାଇଥିଲା । ଏଥିରେ ଭିନେଶ ୧୦୦ ଗ୍ରାମ ଅଧିକ ଥିବାରୁ ସ୍ୱର୍ଣ୍ଣ ପଦକ ମ୍ୟାଚ ଖେଳିବାରୁ ବଞ୍ଚିତ ହୋଇଥିଲେ । ଏ ନେଇ ସେ କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଅଫ୍ ସ୍ପୋର୍ଟ୍ସର ଦ୍ୱାରସ୍ଥ ହୋଇଥିଲେ । ହେଲେ ଏଥିରେ ନିଷ୍ପତ୍ତି ବଦଳିନଥିଲା । ଏହାପରେ ସେ ୨୦୨୪ ଅଗଷ୍ଟ ୪ ତାରିଖରେ ଅବସର ଘୋଷଣା କରିଥିଲେ । ଏବେ ଅବସର ନିଷ୍ପତ୍ତ ବଦଳାଇ ବାଉଟକୁ ଫେରିବେ ବୋଲି ସୂଚନା ଦେଇଛନ୍ତି । ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ସେ ଲେଖିଛନ୍ତି, ''ପ୍ୟାରିସ୍ ପରେ ମୋତେ ଲୋକ ବହୁ ପ୍ରଶ୍ନ ପଚାରିଲେ । ବହୁଦିନ ଧରି ମୁଁ ମଧ୍ୟ ଏହାର ଉତ୍ତର ଦେଲିନି । ଏହା ଚାପ ଯୋଗୁଁ ମୋ ଆଶା, ଭରସା ସବୁ ଛାଡି ମ୍ୟାଟରୁ ଦୂରେଇ ଯିବାକୁ ଚାହିଁଲି । ଏବେ ସତ ପାଇଲି । ଏହି ଖେଳକୁ ଏବେ ବି ଭଲ ପାଉଛି ଏବଂ ପ୍ରତିନ୍ଦ୍ବନ୍ଦିତା କରିବାକୁ ଇଚ୍ଛୁକ । ତେଣୁ ଏଲଏ୨୮କୁ ଫେରିବି । କିନ୍ତୁ ଏଥର ମୁଁ ଏକା ନୁହେଁ । ମୋ ପୁଣ ମୋ ସହ ଅଛି । ଏହା ମୋ ପାଇଁ ବଡ଼ ପ୍ରେରଣା । ଏଲଏଲ ଅଲମ୍ପିକ୍ସ ରାସ୍ତାରେ ସେ ମୋ ଛୋଟ ଚିୟରଲିଡର୍ ହେବ ।''

ଭିନେଶ ଫୋଗାଟ୍ ତାଙ୍କ କ୍ୟାରିୟରରେ ଅନେକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛନ୍ତି।  ପ୍ୟାରିସରେ ଅଯୋଗ୍ୟ ଘୋଷଣା ହେବା ପୂର୍ବରୁ, ସେ ଗୋଟିଏ ବି ମୁକାବିଲା ହାରି ନଥିଲେ । ସେ ସେମିଫାଇନାଲରେ କ୍ୟୁବାର ଗୁଜମାନ ଲୋପେଜ ଏବଂ କ୍ୱାର୍ଟରଫାଇନାଲରେ ବିଶ୍ୱ ଚାମ୍ପିଅନ ଜାପାନର ୟୁଇ ସୁସାକିଙ୍କ ପରି ଶକ୍ତିଶାଳୀ କୁସ୍ତିଯୋଦ୍ଧାଙ୍କୁ ପରାସ୍ତ କରିଥିଲେ । ତଥାପି, ଏହା ତାଙ୍କର ତୃତୀୟ ଅଲିମ୍ପିକ୍ସ ଥିଲା । ପୂର୍ବରୁ, ସେ ଆଘାତ ଯୋଗୁଁ ୨୦୧୬ ରିଓ ଅଲିମ୍ପିକ୍ସରୁ ବଞ୍ଚିତ ହୋଇଥିଲେ ଏବଂ  ୨୦୨୦ ଟୋକିଓ ଅଲିମ୍ପିକ୍ସରେ କ୍ୱାର୍ଟରଫାଇନାଲରେ ହାରି ଯାଇଥିଲେ ।