ନୂଆଦିଲ୍ଲୀ: ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ପୁଣି ହିଂସା ବୃଦ୍ଧି ପାଇଛି । ଆଫଗାନିସ୍ତାନ ସୀମା ନିକଟରେ ଏବେ ଏକ ବଡ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ୫ ଜଣ ପାକିସ୍ତାନୀ ସୈନିକ ଏବଂ ୨୫ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଉତ୍ତେଜନା ହ୍ରାସ କରିବା ପାଇଁ ଉଭୟ ଦେଶର ପ୍ରତିନିଧିମଣ୍ଡଳ ଇସ୍ତାନବୁଲରେ ଶାନ୍ତି ଆଲୋଚନା କରୁଥିବା ସମୟରେ ଏହି ସଂଘର୍ଷ ଘଟିଛି।
ତେବେ ପାକିସ୍ତାନ ସେନା ଦାବି କରିଛି ଯେ, ଶୁକ୍ରବାର ଏବଂ ଶନିବାର ଦିନ ଆତଙ୍କବାଦୀ ଗୋଷ୍ଠୀ ଗୁଡ଼ିକ ଆଫଗାନିସ୍ତାନ ପାର୍ଶ୍ୱରୁ ପାକିସ୍ତାନରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ଏହି ଅନୁପ୍ରବେଶ ଖାଇବର ପଖତୁନଖଓ୍ବାର କୁରମ ଏବଂ ଉତ୍ତର ୱାଜିରିସ୍ତାନ ଜିଲ୍ଲାରେ ଘଟିଥିଲା । ଏହି ଅଂଚଳ ଅତ୍ୟନ୍ତ କଷ୍ଟକର, ପାର୍ବତ୍ୟମୟ ଅଞ୍ଚଳ । ଏହି ସ୍ଥାନ ଦୀର୍ଘ ସମୟ ଧରି ଆତଙ୍କବାଦୀ କାର୍ଯ୍ୟକଳାପର ଏକ ଗମ୍ଭୀର ସ୍ଥାନ ଭାବରେ ଜଣାଶୁଣା।
ଏନେଇ ପାକିସ୍ତାନର ସାମରିକ ଗଣମାଧ୍ୟମ ଶାଖା ଗଣମାଧ୍ୟମକୁ କହିଛି ଯେ ଏହା "ଆଫଗାନ ସରକାରଙ୍କ ଉଦ୍ଦେଶ୍ୟ ଏବଂ ଏହା ତାଙ୍କ ମାଟିରୁ ଆତଙ୍କବାଦକୁ ନରୋକିବା ଦର୍ଶାଉଛି । ସେନା କହିଛି ଯେ ସାମ୍ପ୍ରତିକ ଘଟଣାଗୁଡ଼ିକ "ଦୁଇ ଦେଶ ମଧ୍ୟରେ ବିଶ୍ୱାସକୁ କ୍ଷତି ପହଞ୍ଚାଇଛି"।
ଗୋଟିଏ ଦିନ ପୂର୍ବରୁ, ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖାୱାଜା ଆସିଫ କହିଥିଲେ ଯେ "ଯଦି ଇସ୍ତାନବୁଲ ଆଲୋଚନାରେ ଏକ ଚୁକ୍ତିନାମା ନହୁଏ, ତେବେ ଏହା ଖୋଲା ଯୁଦ୍ଧରେ ପରିଣତ ହୋଇପାରେ।" ସେ ଆଶା ପ୍ରକାଶ କରିଥିଲେ ଯେ ଆଫଗାନିସ୍ତାନ ଶାନ୍ତି ଚାହୁଁଛି, କିନ୍ତୁ ସାମ୍ପ୍ରତିକ ଘଟଣା ଗୁଡ଼ିକ ପୁଣି ଥରେ ପରିସ୍ଥିତିକୁ ଆହୁରି ତୀବ୍ର କରିଛି। ଆଫଗାନିସ୍ତାନ ତାଲିବାନ ସରକାର ଏପର୍ଯ୍ୟନ୍ତ ପାକିସ୍ତାନର ଅଭିଯୋଗର କୌଣସି ସରକାରୀ ପ୍ରତିକ୍ରିୟା ଜାରି କରିନାହିଁ। ତଥାପି, ପୂର୍ବ ବିବୃତ୍ତିରେ, ତାଲିବାନ କହିଥିଲା ଯେ "ପାକିସ୍ତାନର ଆକ୍ରମଣ ଆଫଗାନିସ୍ତାନ ସାର୍ବଭୌମତ୍ୱର ଉଲ୍ଲଂଘନ ।
୨୦୨୧ ରେ ତାଲିବାନ କ୍ଷମତାକୁ ଫେରିବା ପରଠାରୁ ଏହାକୁ ପାକ୍-ଆଫଗାନ ସୀମାରେ ସବୁଠାରୁ ବଡ଼ ସଂଘର୍ଷ ଭାବରେ ବର୍ଣ୍ଣନା କରାଯାଉଛି। ସଂଘର୍ଷରେ ଅନେକ ସାଧାରଣ ନାଗରିକ ମଧ୍ୟ ପ୍ରାଣ ହରାଇଛନ୍ତି। ଏହି ସଂଘର୍ଷ କାବୁଲରେ ବୋମା ବିସ୍ଫୋରଣ ସହିତ ଆରମ୍ଭ ହୋଇଥିଲା, ଯାହା ପାଇଁ ତାଲିବାନ ସରକାର ପାକିସ୍ତାନକୁ ଦାୟୀ କରିଥିଲା। ଜବାବରେ, ପାକିସ୍ତାନ ସୀମାପାର ବିମାନ ଆକ୍ରମଣ ଆରମ୍ଭ କରିଥିଲା।