ଭୁବନେଶ୍ୱର,୧୨/୧୧: କ୍ୟାପିଟାଲ  ହସ୍ପିଟାଲ୍‌ରେ ମେଡିସିନ୍‌ ଓପିଡି ସମ୍ମୁଖରେ  ଲାଗୁଛି ଲମ୍ବା ଲାଇନ୍‌ । ସେହିପରି ଶିଶୁ  ବିଭାଗ ଓପିଡି ପାଖରେ ଆହୁରି ବିକଳ  ଚିତ୍ର ଦେଖିବାକୁ ମିଳୁଛି । ମା'ମାନେ ପିଲାଙ୍କୁ  କାଖେଇ ଡାକ୍ତରଙ୍କ ପରାମର୍ଶ ପାଇଁ ଅପେକ୍ଷା  କରୁଛନ୍ତି । ପିଲାଙ୍କ କାନ୍ଦରେ ପୂରା ପରିସର  କମ୍ପୁଛି । ହସ୍ପିଟାଲ୍‌ର ଏଭଳି ଦୃଶ୍ୟ ଦର୍ଶାଉଥିଲା  ରାଜଧାନୀରେ ଭାଇରାଲ ଫିଭରର ପ୍ରକୋପ ।  ରାଜଧାନୀର ବିଭିନ୍ନ ହସ୍ପିଟାଲରେ ଭାରଇାଲ  ଫିଭର ଜନିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି ।  କ୍ୟାପିଟାଲ ହସ୍ପିଟାଲରେ ଗତ ମାସ ଅପେକ୍ଷା  ହଠାତ ୪୦ରୁ ୪୫% ରୋଗୀ ବଢ଼ିଛନ୍ତି ।  ରୋଗୀଙ୍କ ଆଡ୍‌ମିଶନ ସଂଖ୍ୟା ବୃଦ୍ଧି ପାଇଛି ।  ପୂର୍ବ ମାସ ଅପେକ୍ଷା ୨୦% ଅଧିକ ରୋଗୀ  ଚିକିତ୍ସିତ ଅଛନ୍ତି । ସେହିପରି ଶିଶୁ ୱାର୍ଡରେ  ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି  ହସ୍ପିଟାଲ୍‌ କର୍ତ୍ତୃପକ୍ଷ କହିଛନ୍ତି । 

କ୍ୟାପିଟାଲ  ହସ୍ପିଟାଲରୁ ମିଳିଥିବା ସୂଚନା ଅନୁଯାୟୀ,  ମାସେ ହେଲାଣି ଭାଇରାଲ ଫିଭର  ପୀଡ଼ିତଙ୍କ ସଂଖ୍ୟା ବୃଦ୍ଧି ଘଟିଛି । ହେଲେ  ଚିନ୍ତିତ ହେବାର କୌଣସି କାରଣ ନାହିଁ ।  ଯେତିକି ରୋଗୀ ଆସୁଛନ୍ତି ପ୍ରାୟ ୩ରୁ ୪ଦିନ  ଭିତରେ ଔଷଧ ଖାଇ ସୁସ୍ଥ ହୋଇଛନ୍ତି ।  ଯିଏ ସଂକ୍ରମିତ ହୋଇଛନ୍ତି, ଅନ୍ୟମାନଙ୍କଠାରୁ  ଦୂରେଇ ରହିବ । ନିଜକୁ ସଙ୍ଗରୋଧ କରି  ରଖନ୍ତୁ । ରୋଗୀ ଆଣ୍ଟି ଟେଷ୍ଟିମନି ମେଡିସିନ୍‌,  ପାରାସିଟାମଲ୍‌, ଭିଟାମିନ୍‌-ସି ମେଡିସିନ୍‌  ବ୍ୟବହାର କରିପାରିବେ । ଭିଟାମିନ୍‌-ସି  ଖାଇବା ସହିତ ବଡି ଇମ୍ୟୁନିଟି ବଢ଼ାଇବା  ନିତାନ୍ତ ଆବଶ୍ୟକ ବୋଲି ଡାକ୍ତର ପରାମର୍ଶ  ଦେଇଛନ୍ତି । ଆରଏମ୍‌ଆର୍‌ସି କହିଛି,  ଜଳବାୟୁରେ ପରିବର୍ତ୍ତନ ପାଇଁ ଆକ୍ରାନ୍ତଙ୍କ  ସଂଖ୍ୟା ବଢ଼ିଛି । କିନ୍ତୁ ଭୟଭୀତ ହେବାର  କୌଣସି କାରଣ ନାହିଁ ।