ମୁମ୍ବାଇ,୧୨।୧୧: ବଲିଉଡର ହି-ମ୍ୟାନ୍ ତଥା ଅଭିନେତା ଧର୍ମେନ୍ଦ୍ର କିଛି ଦିନ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଆଜି ସକାଳୁ ତାଙ୍କୁ ଡିସଚାର୍ଜ କରାଯାଇ ଘରକୁ ଅଣାଯାଇଛି। ଧର୍ମେନ୍ଦ୍ର ଆଡିମିଟ୍ ହେବାର ଖବର ଆସିବା ପରଠାରୁ ତାଙ୍କ ପ୍ରଶଂସକ ଏବଂ ନିକଟତମ ବନ୍ଧୁମାନେ ଦେଖିବା ପାଇଁ ଭିଡ଼ ଜମାଇଥିଲେ। ହସ୍ପିଟାଲରେ ଥିବା ବେଳେ ଧର୍ମେନ୍ଦ୍ରଙ୍କୁ ଦେଖା କରିବାକୁ ବଲିଉଡର ବହୁ କଳାକାର ଆସିଥିଲେ। ଏପରିକି ଡିସଚାର୍ଜ ହୋଇ ଆସିବା ପରେ ମଧ୍ୟ ଅନେକ ଫିଲ୍ମଷ୍ଟାର ତାଙ୍କୁ ଭେଟିବାକୁ ଘରକୁ ଆସିଛନ୍ତି। ଘରେ ଧର୍ମେନ୍ଦ୍ରଙ୍କ ପାଇଁ ସ୍ବତନ୍ତ୍ର ଭାବରେ ଆଇସିୟୁ ଓ୍ବାର୍ଡ ମଧ୍ୟ ତିଆରି କରି ଦିଆଯାଇଛି। ସେଠାରେ ଡାକ୍ତର ଓ ନର୍ସଙ୍କ ଏକ ଟିମ୍ ସ୍ବାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି। ଏସବୁ ଭିତରେ କିନ୍ତୁ ଧର୍ମେନ୍ଦ୍ରଙ୍କୁ ତାଙ୍କ ପୁରୁଣା ବନ୍ଧୁ ବା ବଲିଉଡର ବିଗ୍ ବି ଅମିତାଭ ଦେଖା କରିବାକୁ ଆସିଥିଲେ ବୋଲି କୁହାଯାଉଛି। ବଚ୍ଚନଙ୍କ ଏକ ଭିଡିଓ ଦେଖିବାକୁ ମିଳିଛି। ଯେଉଁଥିରେ ତାଙ୍କୁ ଧର୍ମେନ୍ଦ୍ରଙ୍କ ଘର ଆଗରେ ବିଏମ୍ଡବ୍ଲୁ କାର ଚଳାଇ ଏକା ଆସୁଥିବାର ଦେଖିବାକୁ ମିଳିଛି।
ସୁପରହିଟ୍ ଫିଲ୍ମ ‘ଶୋଲେ’ରେ ଜୟ-ବୀରୁ ଯୋଡିକୁ କିଏ ବା ଭୁଲିପାରେ। ଫିଲ୍ମରେ ଧର୍ମେନ୍ଦ୍ର ‘ବୀରୁ’ ଏବଂ ଅମିତାଭ ‘ଜୟ’ ଭୂମିକାରେ ଅଭିୟନ କରିଥିଲେ। ଏଥିରେ ଦୁହିଁଙ୍କ ଦୋସ୍ତି ଦେଖିବାକୁ ମିଳିଥିଲା। ସେ ତ ଥିଲା ରିଲ୍। କିନ୍ତୁ ରିଏଲ ଲାଇଫ୍ ବି ଜୟ-ବୀରୁଙ୍କ ଖୁବ୍ ଭଲ ଦୋସ୍ତି। ବିଗତ ୩ ଦିନ ହେବ ଫ୍ୟାନ୍ ଜୟ-ବୀରୁଙ୍କ ଯୋଡି କମ୍ପ୍ଲିଟ୍ ହେବାର ଅପେକ୍ଷାରେ ଥିଲେ। କୁହାଯାଉଛି ଧର୍ମେନ୍ଦ୍ରଙ୍କ ସ୍ବାସ୍ଥ୍ୟରେ ଏବେ ସୁଧାର ହେଉଛି। ସୁପରଷ୍ଟାର ଅମିତାଭ ବଚ୍ଚନଙ୍କୁ ବୁଧବାର ସନ୍ଧ୍ୟାରେ ଧର୍ମେନ୍ଦ୍ରଙ୍କ ଜୁହୁ ସ୍ଥିତ ଘର ପାଖରେ ଦେଖିବାକୁ ମିଳିଥିଲା। ଧର୍ମେନ୍ଦ୍ରଙ୍କ ଘର ବାହାରେ କଡା ସୁରକ୍ଷା ବ୍ୟବସ୍ଥା ରହିଛି।
ଭିଡିଓରେ ଅମିତାଭଙ୍କୁ ନିଜେ ଗାଡି ଚଳାଇ ଆସୁଥିବାର ଦେଖିବାକୁ ମିଳୁଛି। ଶତାବ୍ଦୀର ମହାନାୟକ ଆସିବା ମାତ୍ରେ ପାପାରାଜିଙ୍କ ଭିଡ ଜମି ଯାଇଥିଲା। ସମସ୍ତେ ଏହି ମୂହୂର୍ତ୍ତକୁ କ୍ୟାପଚର କରିବାକୁ ଆଗେଇ ଆସିଥିଲେ। କୁହାଯାଉଛି ଯେ, ପାପାରାଜିଙ୍କ ଭିଡ ଏତେ ଅଧିକ ଥିଲା ଯେ, ଅମିତାଭଙ୍କୁ ଫେରିବାକୁ ପଡିଥିଲା। କିନ୍ତୁ ଧର୍ମେନ୍ଦ୍ରଙ୍କ ଘର ବାହାରେ ଅମିତାଭଙ୍କୁ ଦେଖିବା ଫ୍ୟାନ୍ଙ୍କୁ ଇମୋସନାଲ କରିଦେଇଥିଲା। ଅମିତାଭଙ୍କୁ ବର୍ତ୍ତମାନ ୮୩ ବର୍ଷ। ଏଭଳି ସ୍ଥିତିରେ ନିଜର ବନ୍ଧୁ ପାଇଁ ଏତେ ଭିଡ଼ରେ ଏକାକୀ କାର ଚଳାଇ ଆସିବା ସମସ୍ତଙ୍କ ପାଇଁ ଚକିତ କରିଦେବା ଭଳି ଥିଲା।
ଉଲ୍ଲେଖନୀୟ ଯେ, ଅମିତାଭ ଓ ଧର୍ମେନ୍ଦ୍ରଙ୍କ ଭିତରେ ଖୁବ୍ ଭ ବନ୍ଧୁତ୍ବ। ଦୁହେଁ ୧୯୭୫ ରେ ସୁପରହିଟ୍ ଫିଲ୍ ‘ଶୋଲେ’ରେ ଏକାଠି କାମ କରିଥିଲେ। ତାଙ୍କର ଯୋଡି ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଥିଲା। ବହୁ ବର୍ଷ ବିତିଯାଇଥିଲେ ବି ଏହି ଦୁଇ କଳାକାରଙ୍କ ଭିତରେ ଏବେ ବି ବନ୍ଧୁତ୍ବ ଓ ସମ୍ମାନ ରହିଛି। ଅମିତାଭ ସବୁବେଳେ ଧର୍ମେନ୍ଦ୍ରଙ୍କୁ ନିଜର ବଡ଼ ଭାଇ ଭଳି ମାନନ୍ତି। ଧର୍ମେନ୍ଦ୍ର ମଧ୍ୟ ଅମିତାଭଙ୍କ ପରିଶ୍ରମ ଓ ଅନୁଶାସନର ବଡ଼ ପ୍ରଶଂସକ। ସୋସିଆଲ ମିଡିଆରେ ଦୁହିଁଙ୍କ ଫ୍ୟାନ୍ ଏହି ଫଟୋ ଓ ଭିଡିଓ ଦେଖି ଖୁବ୍ ଇମୋସନାଲ ହୋଇଯାଇଛନ୍ତି। ଫ୍ୟାନଙ୍କ କହିବା ଅନୁସାରେ, ଜୟ ଓ ବୀରୁ ଯୋଡି ଆଜି ବି ସେମିତି ମଜବୁତ ରହିଛି, ଯେତିକି ‘ଶୋଲେ’ରେ ଥିଲା।’