ମେଲବୋର୍ଣ୍ଣ,୨୬।୧୨: କ୍ରିକେଟର ବିରାଟ କୋହଲିଙ୍କୁ ବଡ଼ ଝଟକା। ଲାଗିଲା ଗୋଟିଏ ମ୍ୟାଚ୍ ଫି’ର ୨୦ ପ୍ରତିଶତ ଜରିମନା। ଏହା ସହ ଦିଆଗଲା ଡିମେରିଟ ପଏଣ୍ଟ। ମେଲବର୍ଣ୍ଣ ଟେଷ୍ଟର ପ୍ରଥମ ଦିନରେ ଅଷ୍ଟ୍ରେଲୀୟ ଟିମ୍‌ର  ଖେଳାଳିଙ୍କୁ ଧକ୍କା ମାରିବା ପଡିଲା ମହଙ୍ଗା। ମାତ୍ର ୫ ଘଣ୍ଟା ଭିତରେ ନିଆଗଲା ଆକ୍ସନ। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଦେଲା ସଜା। ଏପରିକି ବିରାଟ ମଧ୍ୟ ନିଜର ଦୋଷ ସ୍ବୀକାର କରିଛନ୍ତି।

ଅଡୁଆରେ ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର ବିରାଟ କୋହଲି। ନିଲମ୍ବନରୁ ଅଳ୍ବକେ ବର୍ତ୍ତିଲେ। କଙ୍ଗାରୁ ଟିମ୍‌ର ୧୯ ବର୍ଷୀୟ କ୍ରିକେଟରଙ୍କୁ ମାରିଲେ ଧକ୍କା, ଦେଲେ ଫାଇନ । କଟିଲା ଗୋଟିଏ ମ୍ୟାଚ୍‌ର ୨୦ ପ୍ରତିଶତ ଫି’। କେବଳ ସେତିକି ନୁହେଁ ଦିଆଗଲା ଡିମେରିଟ୍ ପଏଣ୍ଟ।  କୋହଲିଙ୍କ ବିରୋଧରେ ମାତ୍ର ୫ ଘଣ୍ଟାରେ ଫଟାଫଟ୍ ନିଷ୍ପତ୍ତି ନେଲା ଆଇସିସି। ଏବେ କୋହଲିଙ୍କ ଉପରେ ଏହି ଆକ୍ସନ ପରେ ଚକିତ ହେଲେ ଫ୍ୟାନ୍। ଏଭଳି କିଛି ଘଟିଛି ଭାରତ-ଅଷ୍ଟେ୍ରଲିଆ ମେଲବୋର୍ଣ୍ଣ ଟେଷ୍ଟର ପ୍ରଥମ ଦିନରେ। 

ମେଲବୋର୍ଣ୍ଣ ଟେଷ୍ଟରେ ଡେବ୍ୟୁ କରିଛନ୍ତି ଅଷ୍ଟ୍ରେଲିଆ ଟିମ୍‌ର ୧୯ ବର୍ଷୀୟ ସାମ କନଷ୍ଟାସ। ଜୀବନର ପ୍ରଥମ ମ୍ୟାଚ୍‌ରୁ ଚର୍ଚ୍ଚାରେ ରହିଛନ୍ତି ସାମ୍।  ଇଣ୍ଡିଆର ତାରକା ଖେଳାଳି ବିରାଟ କୋହଲି ଓ ସାମ୍‌ଙ୍କ ବିବାଦ ଏବେ ଚର୍ଚ୍ଚାରେ। ସୋସିଆଲ ମିଡିଆରେ ଭିଡିଓ ହେଉଛି ଭାଇରାଲ୍ । ତେବେ ଏହି ବିବାଦ ବିରାଟ କୋହଲିଙ୍କୁ ମହଙ୍ଗା ପଡିଛି। ଆଇସିସିର ଆଚାର ସଂହିତା 2.12 ଅନୁସାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଏହା ଅନୁସାରେ ଖେଳ ସମୟରେ ଜାଣତରେ କି ଅଜାଣତରେ ଅନ୍ୟ ଖେଳାଳି କିମ୍ବା ଅମ୍ପାୟରଙ୍କୁ କାନ୍ଧରେ ମାଡ ହେବା କିମ୍ବା ଧକ୍କା ଦେଲେ ନିଆଯାଏ କାର୍ଯ୍ୟାନୁଷ୍ଠାନ। ଖେଳାଳିଙ୍କ ଉପରେ ଫାଇନ୍ ଲାଗିଥାଏ କିମ୍ବା ନିଲମ୍ବିତ କରାଯାଏ। ଗୁରୁବାର ମେଲବୋର୍ଣ୍ଣ ଟେଷ୍ଟର ପ୍ରଥମ ଦିନରେ ଚମତ୍କାର ବ୍ୟାଟିଂ କରିଥିଲେ ସାମ୍। ଡେବ୍ୟୁ ମ୍ୟାଚ୍‌ରେ ସାମ୍‌ ଖେଳିଥିଲେ ୬୦ ରନର ଆକର୍ଷଣୀୟ ଇନିଂସ। ଭାରତୀୟ ଦ୍ରୁତ ବୋଲରଙ୍କ ବଲ୍‌ରେ କରିଥିଲେ ପ୍ରାହାର। ସାମ୍ ଖେଳିଥିଲେ ଦମଦାର ଇନିଂସ। ତେବେ ପ୍ରଥମ ଦିନରେ ହିଁ ବିରାଟ କୋହଲି ଏବଂ ସାମ୍‌ଙ୍କ ମଧ୍ୟରେ ହୋଇଥିଲା ଯୁକ୍ତିତର୍କ ।