ମେଲବର୍ଣ୍ଣ,୨୦/୧୨: ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟ (ବକ୍ସିଂ ଡେ’) ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବ । ଇତିମଧ୍ୟରେ ଗୁରୁବାର ଭାରତୀୟ ଦଳ ମେଲବର୍ଣ୍ଣରେ ପହଞ୍ଚିଥିଲା। ଟିମ୍ ଇଣ୍ଡିଆ ମେଲବର୍ଣ୍ଣ ବିମାନବନ୍ଦରରେ ପହଞ୍ଚିବା ପରେ କୋହଲି ଜଣେ ମହିଳା ଟିଭି ସାମ୍ବାଦିକାଙ୍କ ଉପରେ ରାଗି ଯାଇ ଯୁକ୍ତିତର୍କ କରୁଥିବା ଦେଖିବାକୁ ମିଳିଥିଲା । କୋହଲି ତାଙ୍କ ପତ୍ନୀ ଓ ପିଲାମାନଙ୍କ ସହ ବିମାନବନ୍ଦରରୁ ବାହାରକୁ ଆସିବା ବେଳେ ଏହି ଘଟଣା ଘଟିଥିଲା । ଉକ୍ତ ସାମ୍ବାଦିକା ଏବଂ ତାଙ୍କ ଫଟୋଗ୍ରାଫର କୋହଲିଙ୍କ ପିଲାମାନଙ୍କ ଫଟୋ ଉଠାଇଥିଲେ । କୋହଲି ତାଙ୍କୁ ପ୍ରଥମେ ଫଟୋ ନ ଉଠାଇବା ପାଇଁ ବାରଣ କରିଥିଲେ । ଉକ୍ତ ଫଟୋଗ୍ରାଫର ମାନି ନଥିଲେ । ଏହାକୁ ନେଇ କୋହଲି ଉକ୍ତ ସାମ୍ବାଦିକାଙ୍କୁ ନିଜ ଫଟୋଗ୍ରାଫରଙ୍କୁ ଫଟୋ ନ ଉଠାଇବା ପାଇଁ କହିଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା।