ଦୁବାଇ,୨୭/୦୨: ସଦ୍ୟ ପ୍ରକାଶିତ ଆଇସିସି ଦିନିକିଆ ବ୍ୟାଟିଂ ମାନ୍ୟତା ତାଲିକାରେ ଟିମ୍‌ ଇଣ୍ଡିଆ ଭେଟେରାନ ବିରାଟ  କୋହଲିଙ୍କ ଉନ୍ନତି ହୋଇଛି । ସେ ପଞ୍ଚମ ସ୍ଥାନ ଦଖଲ  କରିଛନ୍ତି । 

ଚଳିତ ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ରବିବାର ଅନୁଷ୍ଠିତ ପାକିସ୍ତାନ ବିପକ୍ଷ ମୁକାବିଲାରେ କୋହଲି ଶତକ  ଅର୍ଜନ କରିଥିଲେ । ଏହି ପ୍ରଦର୍ଶନ ବଳରେ ତାଙ୍କ ମାନ୍ୟତାରେ  ଗୋଟିଏ ସ୍ଥାନ ଉନ୍ନତି ହୋଇଛି । ଗତ ସପ୍ତାହରେ ସେ ଷଷ୍ଠ ସ୍ଥାନରେ ରହିଥିଲେ । ଶୁଭମନ ଗିଲ୍‌ ପୂର୍ବବତ୍‌ ଶୀର୍ଷ ସ୍ଥାନ  ବଜାୟ ରଖିଛନ୍ତି ଓ ରୋହିତ ଶର୍ମା ତୃତୀୟରେ ରହିଛନ୍ତି । 

ପାକିସ୍ତାନ ବିପକ୍ଷରେ ଗିଲ୍‌ ୪୧ ରନ୍‌ କରିଥିଲେ । ସେ  ବର୍ତ୍ତମାନ ୮୧୭ ରେଟିଂ ପଏଣ୍ଟ ଅର୍ଜନ କରିସାରିଛନ୍ତି । ଦ୍ୱିତୀୟରେ ରହିଥିବା ପାକିସ୍ତାନର ବାବର ଆଜମଙ୍କ ପଏଣ୍ଟ  ୭୭୦ ରହିଛି । ଉଭୟଙ୍କ ମଧ୍ୟରେ ୪୭ ପଏଣ୍ଟର ବ୍ୟବଧାନ  ରହିଛି । ରୋହିତ ୭୫୭ ପଏଣ୍ଟ ହାସଲ କରିଛନ୍ତି । ଅନ୍ୟ  ଭାରତୀୟଙ୍କ ମଧ୍ୟରେ ଶ୍ରେୟାସ ଆୟର ମାନ୍ୟତା ତାଲିକାର  ନବମ ସ୍ଥାନ ଦଖଲ କରିଛନ୍ତି । ସେ ମଧ୍ୟ ପାକିସ୍ତାନ ବିପକ୍ଷରେ ଅର୍ଦ୍ଧଶତକ ଅର୍ଜନ କରିଥିଲେ । 

ଦିନିକିଆ ବୋଲିଂ ମାନ୍ୟତାରେ  ଏକମାତ୍ର ଭାରତୀୟ ଭାବେ କୁଲଦୀପ ଯାଦବ ଶ୍ରେଷ୍ଠ ୧୦ଜଣଙ୍କ  ମଧ୍ୟରେ ରହିଛନ୍ତି । ସେ ତୃତୀୟ ସ୍ଥାନ ବଜାୟ ରଖିଛନ୍ତି ।  ଅନ୍ୟ ଭାରତୀୟଙ୍କ ମଧ୍ୟରେ ମହମ୍ମଦ ସିରାଜ ୧୨, ରବିନ୍ଦ୍ର ଜାଡେଜା ୧୩ ଓ ମହମ୍ମଦ ସାମି ୧୪ ତମ ସ୍ଥାନରେ ରହିଛନ୍ତି ।