ଦୁବାଇ: କୋହଲି ପୁଣି କଲେ ବିରାଟ ରେକର୍ଡ । ବଡ଼ ମ୍ୟାଚ୍‌ରେ ବଡ଼ ପାଳି ଖେଳିଲେ ବିରାଟ କୋହଲି । ଅଷ୍ଟ୍ରେଲିଆ ବିପକ୍ଷରେ ୮୪ ରନ୍‌ କରି ଅନେକ ରେକର୍ଡର ଅଧିକାରୀ ହୋଇଛନ୍ତି କିଙ୍ଗ କୋହଲି । ଚେଜ୍‌ ମାଷ୍ଟର ପୁଣି ଏକ ବଡ଼ ମ୍ୟାଚ୍‌ରେ ଭାରତକୁ ବିଶାଳ ବିଜୟ ଦେଇଛନ୍ତି । ଭାରତୀୟ ଟିମ୍‌ ଅଷ୍ଟ୍ରେଲିଆକୁ ହରାଇ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଫାଇନାଲ୍‌ରେ ପ୍ରବେଶ କରିଛି । ଦୁବାଇରେ କୋହଲି ୯୮ ବଲ୍‌ରେ ୮୪ ରନ୍ କରିଛନ୍ତି । ଏହା ସହ ଦିନିକିଆରେ ବିରାଟ କୋହଲି ଲକ୍ଷ୍ୟକୁ ପିଛା କରି (ରନ୍‌ ଚେଜ୍‌) ୮୦୦୦ ରନ ପୂରଣ କରିଛନ୍ତି । 

ଚାମ୍ପିଅନ୍ସ ଟ୍ରଫି ସେମିଫାଇନାଲ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ଆଗରେ୨୬୫ ରନ୍‌ର ଟାର୍ଗେଟ୍ ରଖିଥିଲା। ଓପନର ରୋହିତ ଶର୍ମା ଏବଂ ଶୁଭମନ ଗିଲ ଯଥାକ୍ରମେ ୨୮ ଏବଂ ୮ ରନ କରି ଆଉଟ ହୋଇଥିଲେ । ବିରାଟ କୋହଲି ଶ୍ରେୟସ ଆୟରଙ୍କ ସହିତ ତୃତୀୟ ୱିକେଟ ପାଇଁ ୯୧ ରନର ଏକ ଗୁରୁତ୍ୱପୂର୍ଣ୍ଣ ପାଳି ଖେଳିଥିଲେ । ଏହି ସମୟରେ ବିରାଟ କୋହଲି ଟାର୍ଗେଟର ପିଛା କରି ODI କ୍ରିକେଟରେ ତାଙ୍କର ୮ ହଜାର ରନ ପୂରଣ କରିଛନ୍ତି । ୨୧ ରନ୍‌ କରିବା ସହ ବିରାଟ କୋହଲି ଏହି କ୍ଲବରେ ସାମିଲ ହୋଇସାରିଥିଲେ । ବିରାଟ କୋହଲି ଏପରି କରିବାରେ ବିଶ୍ୱର ଦ୍ୱିତୀୟ ବ୍ୟାଟର ହୋଇଛନ୍ତି । 

ପୂର୍ବତନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର ବିରାଟ କୋହଲିଙ୍କଠାରୁ ଆଗରେ ଅଛନ୍ତି । ଟାର୍ଗେଟର ପିଛା କରିବା ସମୟରେ ସଚିନ ତେନ୍ଦୁଲକର ଦିନିକିଆରେ ୮୭୨୦ ରନ କରିଛନ୍ତି । ବିଶ୍ୱରେ କେବଳ ୨ ଜଣ ବ୍ୟାଟଣ ODIରେ ଟାର୍ଗେଟ ପିଛା କରିବା ସମୟରେ ୮ ହଜାର ରନ୍ କରିଛନ୍ତି ।

ଟାର୍ଗେଟ ପିଛା କରିବା ସମୟରେ ବ୍ୟାଟରଙ୍କ ସର୍ବାଧିକ ରନ୍ (ODI)

ସଚିନ ତେନ୍ଦୁଲକର (ଭାରତ) - ୮୭୨୦ ରନ୍

ବିରାଟ କୋହଲି (ଭାରତ) - ୮୦୬୩

ରୋହିତ ଶର୍ମା (ଭାରତ) - ୬୧୧୫ ରନ୍

ସନଥ ଜୟସୁରିଆ (ଶ୍ରୀଲଙ୍କା) - ୫୭୪୨ ରନ୍

ଜ୍ୟାକ୍ କାଲିସ୍ (ଦକ୍ଷିଣ ଆଫ୍ରିକା) - ୫୫୭୫ ରନ୍

ନକଆଉଟ୍ ମ୍ୟାଚ୍‌ରେ ୧୦୦୦ ରନ୍ ପୂରଣ କଲେ ବିରାଟ କୋହଲି

 ଅଷ୍ଟ୍ରେଲିଆ ବିପକ୍ଷରେ ଚାମ୍ପିଅନ୍ସ ଟ୍ରଫି ସେମିଫାଇନାଲରେ ବିରାଟ କୋହଲି ଆଉ ଏକ ବଡ଼ ରେକର୍ଡ କରିଛନ୍ତି। ସେ ICC ନକଆଉଟ୍ ମ୍ୟାଚ୍‌ରେ ୧ହଜାର ରନ୍ ପୂରଣ କରିଛନ୍ତି । ସେ ଏପରି କରିବାରେ ବିଶ୍ୱର ପ୍ରଥମ ବ୍ୟାଟର ହୋଇଛନ୍ତି । ସେମିଫାଇନାଲ ମ୍ୟାଚ୍‌ରେ କୋହଲି ୮୪ ରନ୍ କରି  କ୍ୟାଚ୍ ଆଉଟ୍ ହୋଇଥିବା ବେଳେ ଆଉ ଏକ ଶତକରୁ ବଞ୍ଚିତ ହୋଇଛନ୍ତି ।