ନୂଆଦିଲ୍ଲୀ: ବୁଧବାର ଦିନ ଲଣ୍ଡନରୁ ଦିଲ୍ଲୀ ଆସୁଥିବା ଭିସ୍ତାରା ବିମାନରେ ବୋମା ଧମକ ମିଳିଥିଲା । ତେବେ ବିମାନଟି ଦିଲ୍ଲୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ସୁରକ୍ଷିତ ଭାବେ ଅବତରଣ କରିଥିଲା । କିନ୍ତୁ ସୂଚନା ଅନୁଯାୟୀ, ବିମାନଟି ଦିଲ୍ଲୀରେ ପହଞ୍ଚିବାର ପ୍ରାୟ ସାଢେ ୩ ଘଣ୍ଟା ପୂର୍ବରୁ ଜଣେ ଯାତ୍ରୀ ବିମାନର ଶୌଚାଳୟରେ ଏକ ଧମକଭରା ଟିସୁ ପେପର ଦେଖିଥିଲେ । ଏହା ପରେ ସେ କ୍ରୁ ମେମ୍ବରଙ୍କୁ ସୂଚନା ଦେଇଥିଲେ । ତେବେ ବିମାନଟି ଦିଲ୍ଲୀରେ ଅବତରଣ କରିଥିଲା ।

କୁହାଯାଉଛି ଯେ, ବିମାନଟିକୁ ଦିଲ୍ଲୀ ବିମାନବନ୍ଦରର ଆଇସୋଲେସନ ବେ’କୁ ନିଆଯାଇଥିଲା, ଯେଉଁଠାରେ ସମସ୍ତ ଯାତ୍ରୀଙ୍କ ସାମଗ୍ରୀ ଯାଞ୍ଚ କରାଯାଇଥିଲା । କିନ୍ତୁ କିଛି ମିଳି ନଥିଲା । ବିମାନରେ ପ୍ରାୟ ୨୯୦ ଯାତ୍ରୀ ଥିଲେ । 

ଏନେଇ ବିମାନର ଜଣେ ମୁଖପାତ୍ର କହିଛନ୍ତି ଯେ, ଲଣ୍ଡନରୁ ଦିଲ୍ଲୀକୁ ଆସୁଥିବା ୟୁକେ 018 ର ବିମାନ କର୍ମଚାରୀମାନେ ବିମାନରେ ଏକ ବୋମା ବିପଦ ଧମକ ପାଇଥିଲେ। ପ୍ରୋଟୋକଲ ପରେ ସମ୍ପୃକ୍ତ ଅଧିକାରୀଙ୍କୁ ତୁରନ୍ତ ସୂଚନା ଦିଆଯାଇଥିଲା ଏବଂ ଦିଲ୍ଲୀ ବିମାନବନ୍ଦରରେ ନିରାପଦରେ ଅବତରଣ କରିବା ପରେ ବାଧ୍ୟତାମୂଳକ ପରୀକ୍ଷା ପାଇଁ ବିମାନକୁ ଆଇସୋଲେସନ ବେ’କୁ ନିଆଯାଇଥିଲା। ସୂଚନା ଅନୁଯାୟୀ, ସୁରକ୍ଷା ଯାଞ୍ଚ ହେତୁ ଯାତ୍ରୀମାନେ ପ୍ରାୟ ୫ ଘଣ୍ଟା ପର୍ଯ୍ୟନ୍ତ ବିମାନବନ୍ଦରରେ ଅଟକି ରହିଥିଲେ ।