ପ୍ରମୂଖ ଖବର
  • ଜାଡ଼ରେ ଥରିଲା ଓଡ଼ିଶା, ଖସିଲା ପାରଦ: ୧୬ ଯାଏ ୧୦ ଡିଗ୍ରୀ ତଳେ ଅଧିକାଂଶ ସହର
  • ||

ଆଜିଠୁ ଉଡ଼ିବନି ଭିସ୍ତାରା ଏୟାରଲାଇନ୍ସ, ନୂଆ ପରିଚୟ ଏୟାର୍‌ ଇଣ୍ଡିଆ

Published By : Prameya | November 12, 2024 9:52 AM

ନୂଆଦିଲ୍ଲୀ,୧୨/୧୧: ବିମାନ ସେବା ପ୍ରଦାନକାରୀ କମ୍ପାନି ଭିସ୍ତାରା ଲାଗି ସୋମବାର ତାର ଶେଷ ଉଡ଼ାଣ ଅହମ୍ମଦାବାଦ-ଦିଲ୍ଲୀ ମଧ୍ୟରେ ଭରିଥିଲା ।ଏହି ସମୟରେ ବିମାନବନ୍ଦର କର୍ମଚାରୀମାନେ ଏକାଠି ହୋଇ ରନୱେରେ ଭିସ୍ତାରା ଏୟାରଲାଇନ୍ସକୁ ଶେଷ ବିଦାୟ ଦେଇଥିଲେ। ମଙ୍ଗଳବାରଠାରୁ ଏହାର ନୂଆ ପରିଚୟ ପାଲଟିଲା ଟାଟା ଗ୍ରୁପ୍‌ ଦ୍ୱାରା  ପରିଚାଳିତ ଏୟାର ଇଣ୍ଡିଆ । ଏୟାର ଇଣ୍ଡିଆରେ ବିଲୀନ ହେଲା ଭିସ୍ତାରା । ୧ ଦଶନ୍ଧିର କାରବାର ମଧ୍ୟରେ ଏକ ପୂର୍ଣ୍ଣକାଳୀନ ସେବା ଯୋଗାଣକାରୀ ଭାବେ ଭିସ୍ତାରା ଛାଡ଼ିଯାଇଛି ଭିନ୍ନ ପରିଚୟ । 




ଟାଟା ଗ୍ରୁପ ରାଷ୍ଟ୍ରାୟତ୍ତ ଏୟାର ଇଣ୍ଡିଆକୁ  ଅଧିଗ୍ରହଣ କରିବା ପରେ ୨୦୨୨ରେ  ଆସିଥିଲା ଏହି ମିଶ୍ରଣ ପ୍ରସ୍ତାବ । ଭିସ୍ତାରାରେ  ୪୯% ଅଂଶଧନ ହାସଲ କରିଥିବା ସିଙ୍ଗାପୁର  ଏୟାରଲାଇନ୍ସ ଏୟାର ଇଣ୍ଡିଆରେ ମିଶ୍ରଣ ପରେ  ଏବେ ୨୫.୧% ଅଂଶଧନ ପାଇବ । ମିଶ୍ରିତ କମ୍ପାନିରେ ସିଙ୍ଗାପୁର ଏୟାର୍‌ଲାଇନ୍ସ ୩,୧୯୪  କୋଟି ଟଙ୍କା ନିବେଶ କରିବ ବୋଲି ଜଣାପଡ଼ିଛି ।  ମିଶ୍ରଣ ପରେ ଏବେ ଭିସ୍ତାରା ଏୟାର ଇଣ୍ଡିଆର ବ୍ରାଣ୍ଡ୍‌ ଭାବେ ପରିଚିତ ହେବ । ଏହାସହିତ  ଏୟାର୍‌ ଇଣ୍ଡିଆ ଦେଶର ଏକମାତ୍ର ପୂର୍ଣ୍ଣକାଳୀନ ଏବଂ ସୁଲଭ ଏୟାର୍‌ଲାଇନ୍ସ ପାଲଟିବ।  

ବିହାନ ଏଆଇ ଭାବେ ଟାଟା ଗ୍ରୁପ ଏୟାର ଇଣ୍ଡିଆର ରୂପାନ୍ତରଣ କାର୍ଯ୍ୟକ୍ରମ ହାତକୁ  ନେଇଛି । ଏହି ବିମାନ କମ୍ପାନିକୁ ବିଶ୍ୱସ୍ତରୀୟ  କରିବା ଦିଗରେ ଏବେ ଜୋରଦାର ଉଦ୍ୟମ  ହେଉଛି । ତେବେ ଭିସ୍ତାରା ପ୍ରଦାନ କରୁଥିବା  ଗୁଣବତ୍ତା ସେବା ଏୟାର ଇଣ୍ଡିଆ ପ୍ରଦାନ  କରିବାରେ ସକ୍ଷମ ହୋଇପାରିବ କି ନାହିଁ ସେ  ନେଇ ଗ୍ରାହକଙ୍କ ମଧ୍ୟରେ ପ୍ରଶ୍ନ ରହିଛି । 

କେନ୍ଦ୍ର ସରକାରଙ୍କ ନିକଟରେ ଏୟାର  ଇଣ୍ଡିଆ ଥିବା ବେଳେ ଏହା ଘୋର ଆର୍ଥିକ  ସଙ୍କଟ ଦେଇ ଗତି କରୁଥିଲା । ଏକ ପୂର୍ଣ୍ଣକାଳୀନ  ବିମାନ ସେବା ଯୋଗାଣକାରୀ ଭାବେ ଗୁଣବତ୍ତା  ସେବା ପ୍ରଦାନରେ ଏହା ଏତେଟା ପ୍ରତିଯୋଗିତା  ମନୋଭାବ ରଖିବାକୁ ସକ୍ଷମ ହୋଇ ନ  ଥିଲା । ଟାଟା ହାତକୁ ଯିବା ପରେ ଫ୍ଲିଟ୍‌ର  ଆଧୁନିକୀକରଣ ଏବଂ ସମ୍ପ୍ରସାରଣ ଉପରେ  ଏବେ କାର୍ଯ୍ୟ ହେଉଛି । ତେବେ ଏ କ୍ଷେତ୍ରରେ  ସ୍ଥିତି ଦୃଢ଼ କରିବାକୁ କମ୍ପାନିକୁ ବହୁତ କଠିନ  ରାସ୍ତା ଅତିକ୍ରମ କରିବାକୁ ପଡ଼ିବ ବୋଲି କୁହନ୍ତି  ବିଶେଷଜ୍ଞ । ଭିସ୍ତାରା ସିଇଓ ବିନୋଦ କାନନ  କୁହନ୍ତି, ମିଶ୍ରଣର ଆଗାମୀ କିଛି ମାସ ଲାଗି  ଭିସ୍ତାରା ସେବା ଓ ଅଭିଜ୍ଞତା ସମାନ ରହିବ ।  

ବିମାନଗୁଡିକ ସେହି ସମୟ ଏବଂ ସମାନ କ୍ର‌୍ୟୁ  ସଦସ୍ୟଙ୍କୁ ନେଇ ପରିଚାଳିତ ହେବ । ତେବେ  ବିମାନର ନମ୍ବର ଏୟାର ଇଣ୍ଡିଆ ଅନୁସାରେ ପରିବର୍ତ୍ତନ ହେବ । ଭିସ୍ତାରାରା ମାନକ ନୂତନ  ଭାବେ ପରିବର୍ଦ୍ଧିତ ଏୟାର ଇଣ୍ଡିଆ ଲାଗି ନୂଆ  ପରିଚୟ ସୃଷ୍ଟି କରିବ । ଏୟାର ଇଣ୍ଡିଆକୁ ଭିସ୍ତାରା ଭଳି ସେବା ଯୋଗାଣ ସମକକ୍ଷ କରାଯିବ  ଯୋଜନା ରହିଛି । 

ଗ୍ରାହକ ପୂର୍ବରୁ ଭିସ୍ତାରା ଲାଗି ୩ ସଂଖ୍ୟା  ବିଶିଷ୍ଟ ବିମାନ ନମ୍ବରକୁ ବୁକିଂ ବେଳେ ଦେଖିବାକୁ  ପଡୁଥିଲା । ଏହା ଏବେ ଆରମ୍ଭରୁ ୨ ସହ ୪ ସଂଖାବିଶିଷ୍ଟ ହେବ । ଉଦାହରଣ ସ୍ୱରୂପ ଏବେ  ବ୍ରିଟେନ ଲାଗି ଭିସ୍ତାରାର କୋଡ୍‌ ୟୁକେ ୯୫୫  ଥିବା ବେଳେ ଏହା ଏଆଇ ୨୯୫୫ ଭାବେ  ରୂପାନ୍ତରିତ ହେବ । ଭିସ୍ତାରର ରୁଟ୍‌ ଏବଂ ସମୟ  ସୁଚୀ ପୂର୍ବ ବିମାନଗୁଡିକ ଭଳି ସମାନ ରହିବ ।  ବିମାନର ମେନ୍ୟୁ ଏବଂ ସେବା ମଧ୍ୟ ସମାନ  ରହିବ । ସମାନ କ୍ର‌୍ୟୁ ମଧ୍ୟ ବିମାନରେ ରହିବେ । 

ଏୟାର ଇଣ୍ଡିଆର ଥିନ୍‌ ବଡି ବିମାନଗୁଡିକୁ  ନୂଆ ବିମାନ ଏବଂ ନୂଆ ଇଣ୍ଟେରିୟର ଓ  ଭିସ୍ତାରାରା କ୍ୟାଟରିଂ ଏୟାର ଇଣ୍ଡିଆକୁ ଯିବ ।  ଏହି ବିମାନ କମ୍ପାନି ଦ୍ୱୟର ମିଶ୍ରଣ ଦ୍ୱାରା  ବାର୍ଷିକ ୫୦୦ କୋଟି ଟଙ୍କା ସଞ୍ଚୟ ହେବ ।  ପ୍ରମୁଖ ରୁଟ୍‌ଗୁଡିକରେ ଏୟାର ଇଣ୍ଡିଆ ପୁରୁଣା  ବିମାନ ପରିବର୍ତ୍ତେ ଭିସ୍ତାରର ବିମାନଗୁଡିକୁ  ମଧ୍ୟ ଚଳାଇବ । ଉଭୟ କମ୍ପାନି ଯୋଗାଉଥିବା  ଅନ୍ତର୍ଜାତୀୟ ବିମାନ ସେବାକୁ ପୁନଃ ସଙ୍ଗଠିତ  କରିବେ। 

ବିମାନ ବନ୍ଦରରେ ଗ୍ରାହକ ଯେଭଳି  କୌଣସି ସମସ୍ୟାର ସାମ୍ନା ନ କରନ୍ତି ଏବେ  ସେଥିଲାଗି ଅତିରିକ୍ତ ଟଚ୍‌ ପଏଣ୍ଟ ସ୍ଥାପନ ଏବଂ  ବିମାନ ବନ୍ଦର ସହ ମିଳିତ ହୋଇ କାର୍ଯ୍ୟ କରୁଛି  ଏୟାର ଇଣ୍ଡିଆ । ଗ୍ରାହକଙ୍କୁ ସହାୟତା କରିବା  ଲାଗି କର୍ମଚାରୀମାନେ ଭିସ୍ତାରା ଟିସାର୍ଟ ମଧ୍ୟ ପିନ୍ଧିବେ । ବିମାନ ବନ୍ଦରର ସୁରକ୍ଷାକର୍ମୀମାନେ  ମଧ୍ୟ ଏ କ୍ଷେତ୍ରରେ ଗ୍ରାହକଙ୍କୁ ସହାୟତା କରିବେ ।  ଗତ କିଛି ମାସ ୨.୭ ଲକ୍ଷ ରିଜର୍ଭ ଗ୍ରାହକ ଏବଂ  ୪୫ ଲକ୍ଷ ଲୟାଲ୍‌ ଗ୍ରାହକଙ୍କୁ ଏୟାର ଇଣ୍ଡିଆକୁ  ସ୍ଥାନାନ୍ତର କରାଯାଇଛି ।

ନଭେମ୍ବର ୧୨ ପରର ଭିସ୍ତାରା ଟିକଟଗୁଡିକୁ  ଏୟାର ଇଣ୍ଡିଆକୁ ମଧ୍ୟ ସ୍ଥାନାନ୍ତର କରାଯାଇଛି ।  ଗ୍ରାହକଙ୍କ ସୁବିଧା ଲାଗି ଭିସ୍ତାରାର ୧୪୦ ସିଷ୍ଟମକୁ ଏଥିଲାଗି ମାଇଗ୍ରେଟ୍‌ କରାଯାଇଛି ।  ଏହା ମଧ୍ୟରେ ଭିସ୍ତାରାକୁ ସେବା ଯୋଗାଉଥିବା  ୩୩୮୫ ସେବା ଯୋଗାଣକାରୀ, ଦୈନିକ ୩୨୦  ଫ୍ଲାଇଟ, ୩୩୦୦ କ୍ର‌୍ୟୁ, ୮୬ ଆଇଟି କଣ୍ଟ୍ରାକ୍ଟସ  ଏବଂ ୬୫୦୦ କର୍ମଚାରୀ ଏୟାର ଇଣ୍ଡିଆରେ  ସାମିଲ ହୋଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.