ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କଲେ ଭ୍ଲାଦିମିର ପୁଟିନ। ନାଜିମାନଙ୍କ ଉପରେ ବିଜୟ ହାସଲ କରିବାର ୮୦ ବର୍ଷ ପୂର୍ତ୍ତୀ ଅବସରରେ ଚଳିତ ବର୍ଷ ମେ ମାସରେ ମସ୍କୋଠାରେ ହେଉଥିବା କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ପୁଟିନ ପିଏମ ମୋଦିଙ୍କୁ ନିମନ୍ତ୍ରଣ କରିଛନ୍ତି। ପଏମଙ୍କ ସମେତ ଅନେକ ବିଶ୍ୱ ନେତାଙ୍କୁ ଋଷ ନିମନ୍ତ୍ରଣ କରିଛି। 

ସୂଚନା ମୁତାବକ, ୧୯୩୯ ମସିହାରେ ନାଜି ମାନଙ୍କ ଦ୍ୱାରା ଦ୍ୱିତୀୟ ବିଶ୍ୱଯୁଦ୍ଧର ଆରମ୍ଭ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ନାଜି ସୋଭିଏତ ୟୁନିଅନଠୁ ଦୂରତା ବଜାୟ ରଖିଥିଲେ। କିନ୍ତୁ ୧୯୪୧ ମସିହା ଗ୍ରୀଷ୍ମ ଋତୁରେ ନାଜିମାନେ ସୋଭିଏତ ୟୁନିଅନ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ସୋଭିଏତ ୟୁନିଅନର ପ୍ରାୟ ୨୭୦ ଲକ୍ଷ ସାଧାରଣ ଜନତା ଓ ସୈନିକ ମୃତାହତ ହୋଇଥିଲେ। ଆଉ ଏହି ଆକ୍ରମଣର ପ୍ରତିଶୋଧ ନବା ପାଇଁ ଲାଲ ସେନା ୧୯୪୫ ମସିହା ମେ ମାସରେ ବର୍ଲିନ ଅଧିକୃତ କରିବା ପାଇଁ ବାହାରିଥିଲା। ସୋଭିଏତ୍ ୟୁନିଅନର ସଶସ୍ତ୍ର ସେନା ନାଜି ଅଧିକୃତ ଜର୍ମାନର ରାଜଧାନୀ ବର୍ଲିନରେ ପ୍ରବେଶ କରିଥିଲା। ଏ ଖବର ଶୁଣି ନାଜି ସେନା ପ୍ରମୁଖ ଆଡଲଫ ହିଟଲର ଓ ତାଙ୍କ ପତ୍ନୀ ସେମାନେ ରହୁଥିବା ବଙ୍କରରେ ଆତ୍ମହତ୍ୟା କରିଥିଲେ। ଆଉ ଦ୍ୱିତୀୟ ବିଶ୍ୱଯୁଦ୍ଧର ଯବନିକା ପଡିଥିଲା।

ସେହି ସମୟରେ ସୋଭିଏତ୍ ୟୁନିଅନ୍‌ରେ ୟୁକ୍ରେନ, ତିନୋଟି ବାଲ୍ଟିକ୍ ରାଜ୍ୟ ଏବଂ ବେଲାରୁଷ ଆଦି ଦେଶ ଅନ୍ତର୍ଭୁକ୍ତ ଥିଲେ। ନାଜି ସେନାର ଅଧିକାଂଶ କ୍ଷତି ପୂର୍ବ ଫ୍ରଣ୍ଟରେ ଲାଲ ସେନା ବିରୁଦ୍ଧରେ ଲଢ଼ିବା ସମୟରେ ଘଟିଥିଲା। ତେବେ ଏହି ଯୁଦ୍ଧ ଲଢିବା ପୂର୍ବରୁ ଷ୍ଟାଲିନଗ୍ରାଡ୍, ମସ୍କୋ ଏବଂ ଲେନିନଗ୍ରାଡ୍ ଭଳି ଅନେକ ଯୁଦ୍ଧ ଉଭୟ ସେନା ପରସ୍ପର ବିରୁଦ୍ଧରେ ଲଢ଼ିଥିଲେ।

ତେବେ ଚଳିତ ବର୍ଷ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ପିଏମ ମୋଦିଙ୍କୁ ଋଷିଆ ମୁଖ୍ୟ ଅତିଥି ରୂପେ ନିମନ୍ତ୍ରଣ କରିଛି। ତେବେ ଆସନ୍ତା ମେ ୭ରୁ ୯ତାରିଖ ମଧ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହବାକୁ ଯାଉଛି। ତେବେ ମୋଦି ଏହି ନିମନ୍ତ୍ରଣକୁ ଗ୍ରହଣ କରିଛନ୍ତି ହେଲେ ଏନେଇ ଆନୁଷ୍ଠାନିକ ଭାବେ ଏନେଇ ଉତ୍ତର ଦେଇନାହାନ୍ତି ବୋଲି ସୂଚନା ମିଳିଛି। ଅନ୍ୟପଟେ ପୁଟିନ ମଧ୍ୟ ବର୍ଷ ଶେଷ ଆଡକୁ ଭାରତ ଗସ୍ତରେ ଆସିବେ ବୋଲି ଖବର ରହିଛି।

ତେବେ ଋଷିଆ-ୟୁକ୍ରେନ ମଧ୍ୟରେ ଦୀର୍ଘ ୩ ବର୍ଷ ଧରି ଚାଲିଥିବା ଯୁଦ୍ୟକୁ ଭାରତ ଶାନ୍ତି ବୁଝାମଣା ଦ୍ୱାରା ବନ୍ଦ କରିବାକୁ ଚାହୁଁଛି। ଯାଥାଶୀଘ୍ର ସମ୍ଭବ ଦୁଇ ଦେଶ ପରସ୍ପର ସହ କଥା ହୋଇ ଏହି ମାମଲାର ସମାଧାନ କରନ୍ତୁ ବୋଲି ଭାରତ ଆରମ୍ଭରୁ ଉଭୟ ଦେଶକୁ କହିଆସିଛି। ଅନ୍ୟପଟେ ବାକି ସମସ୍ତ ପଶ୍ଚିମ ଦେଶ ଅପେକ୍ଷା ଆମେରିକା ଯୁଦ୍ଧ ବିରତି ଉପରେ ଅଧିକ ପ୍ରାଧାନ୍ୟ ଦେଉଚି। ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ମଧ୍ୟ ଏନେଇ ଉଭୟ ଦେଶ ସହ ଆଲୋଚନା ଜାରି ରଖିଛନ୍ତି।